ବର୍ଷାରେ ବିରସ

ଭୁବନେଶ୍ୱର : ପାର୍ବଣରେ ପାଗକୁ ନେଇ ମନ ଉଚ୍ଛନ୍ନ ଥିଲା। ଷଷ୍ଠୀରୁ ନବମୀ ସବୁ ଠିକ୍‌ଠାକ୍‌ ଥିଲା। କିଛି ସ୍ଥାନରେ ଅସରା ଦିଅସରା ବର୍ଷିଥିଲେ ହେ ବୁଲାବୁଲି ଜମିଥିଲା। ହେଲେ ଦଶହରା ଫିକା ପଡ଼ିଗଲା। ଦଶହରାରେ ଦିନସାରା ତୁହାକୁ ତୁହା ବର୍ଷା ସତ୍ତ୍ୱେ ମନ ଯେତିକି ଦୁଃଖ ହୋଇ ନଥିଲା ସନ୍ଧ୍ୟାରେ ରାବଣପୋଡ଼ି ବେଳକୁ ବର୍ଷା ସହ ଘଡ଼ଘଡ଼ି ସବୁ ଆଶା ଧୋଇଦେଲା। ବରମୁଣ୍ଡାରେ ବାରମ୍ବାର ରକେଟ୍‌ ବାଣ ମାଡ଼ ପରେ ବି ୭୦ ଫୁଟର ରାବଣକୁୁ ନିଆଁ ଧରୁ ନଥିଲା। ନୟାପଲ୍ଲୀରେ ବାରମ୍ବାର ପେଟ୍ରୋଲ ଢାଳିବା ପରେ ଯାଇଁ ରାବଣରେ ନିଆଁ ଧରିଥିଲା। ପାଣିପାଗ କାର୍ଯ୍ୟାଳୟର ସୂଚନା ମୁତାବକ ସହରରେ ୬୪.୨ ମିଲିମିଟର ବର୍ଷା ହୋଇଥିଲା। ତେଣୁ ରାବଣପୋଡ଼ିର ଚମକ ଦେଖିବାକୁ ମିଳି ନଥିଲା।

ବରମୁଣ୍ଡାରେ ରାବଣପୋଡ଼ି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିଲା। ଏନେଇ କମିଟି ପକ୍ଷରୁ ୭୦ ଫୁଟର ରାବଣ ପ୍ରତିକୃତି କରାଯାଇଥିଲା। ରାତି ୯ଟାରେ ରାବଣ ପୋଡ଼ି ଅନୁଷ୍ଠିତ ହେବାକୁ ଥିବା ବେଳେ ବର୍ଷା ଯୋଗୁଁ ରାତି ୧୦ଟାରେ ରାବଣପୋଡ଼ି ହୋଇଥିଲା। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଅଗ୍ନି ରାବଣରେ ଅଗ୍ନି ସଂଯୋଗ କରିଥିଲେ। ମାତ୍ର ବର୍ଷା ଯୋଗୁଁ ବାରମ୍ବାର ରକେଟ୍‌ ବାଣ ରାବଣଙ୍କ ପ୍ରତିକୃତିକୁ ମାଡ଼ କରିବା ପରେ ନିଆଁ ଧରିଥିଲା। ନୟାପଲ୍ଲୀ କସ୍ତୁରବା ପଡ଼ିଆରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ହିଁ ନିଆଁ ଲାଗି ଯାଇଥିଲା। ପେଟ୍ରୋଲ ଢ଼ାଳିବା ପରେ ତଳେ ରଖା ଯାଇଥିବା ଏକ ଦୀପରୁ ନିଆଁ ଧରି ରାବଣ ପ୍ରତିକୃତି ଜଳି ଯାଇଥିଲା।

ଅନେକ ସ୍ଥାନରେ କାଦୁଅ ପଚପଚ ରାସ୍ତା ଯୋଗୁଁ ବୁଲାବୁଲି ବି ଠିକ୍‌ ଭାବେ ହୋଇପାରି ନଥିଲା। ତେଣୁ ଆଜି ମା’ଙ୍କୁ ବିସର୍ଜନ ସରିଥିଲେ ହେଁ ଭସାଣି ପୂର୍ବରୁ ମା’ଙ୍କୁ ଦର୍ଶନ ପାଇଁ ଲୋକଙ୍କ ପ୍ରବଳ ସମାଗମ ହୋଇଥିଲା। ସେହିପରି ରାଜଧାନୀର ନହରକଣ୍ଟା ଓ ଡମଣା ଛକ ସମେତ ୧୫ରୁ ଊର୍ଧ୍ୱ ସ୍ଥାନରେ ରାବଣପୋଡ଼ି ଅନୁଷ୍ଠିତ ହୋଇଥିଲା।

ସାହି ମୁରବିଙ୍କୁ ସମ୍ମାନ
ବଢ଼େଇବାଙ୍କ ଛକରେ ମେଢ଼ ଗୁଡିକ ଯିବା ବେଳେ ସେଠାରେ ପୁରୁଣା ଭୁବନେଶ୍ୱର ମିଳିତ ଭସାଣ କମିଟି ପକ୍ଷରୁ ସାହି ମୁରବିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ସ୍ଥାନୀୟ ମୁରବି ଅଭିମନ୍ୟୁ(ବନ୍ଧୁ) ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସାହି ମୁରବିଙ୍କୁ ବିଜେପି ନେତା ଅମିୟ ଦାଶ ସମ୍ମାନିତ କରିଥିଲେ। ଏଥିରେ ବ୍ରହ୍ମଣ ନିଯୋଗର ପୂର୍ବତନ ସଭାପତି ଭାଗୀରଥି ମହାସୁଆର, ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ, ପୂର୍ବତନ ସମ୍ପାଦକ ଜିତେନ କୁମାର ବଡ଼ୁ, ଶେଷ ଶେଖର ଗରାବଡ଼ୁ, ଶିବ ପ୍ରସାଦ ବେହେରା, ଅନିକେତ ବଡ଼ୁ, ବଗୁ ମହାରଣା, ଶକ୍ତି ପ୍ରସାଦ ସାହୁ, ସୂର୍ଯ୍ୟ ସୌରଭ ମହାନ୍ତି ପ୍ରମୁଖ ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ। ଭଜନ ମଣ୍ଡପଠାରେ ସନତ ମିଶ୍ରଙ୍କ ସଂଯୋଜନାରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମେଢ଼ର ମୁରବିଙ୍କୁ ସମ୍ବର୍ଧିତ କରିଥିଲେ।

ମନ ଜିଣିଲା ବଗବଗୁଲି, କଣ୍ଢେଇ ନାଟ
ଭସାଣି ଶୋଭାଯାତ୍ରାରେ ଆଧୁନିକ ନୃତ୍ୟଗୀତ ସହ ପାରମ୍ପରିକ ନୃତ୍ୟଗୀତର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଉତ୍କଳୀୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ବଗବଗୁଲି ନୃତ୍ୟ, ଚଇତି ଘୋଡ଼ା ନାଚ, କଣ୍ଢେଇ ନାଟ, ମୟୂର ନୃତ୍ୟ, କଳସ ନୃତ୍ୟ, ଘଣ୍ଟବାଦ୍ୟ ଓ ନାଗା ନୃତ୍ୟ ଆଦି ଦେଖିବାକୁ ମଳିିଥିଲା।

ବିଦ୍ୟୁତ୍‌ କାଟ ଯୋଗୁ ଅସନ୍ତୋଷ
ପୁରୁଣା ଭୁବନେଶ୍ୱର ରଥ ଦାଣ୍ଡରେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ହୋଇଥିଲେ ମଧ୍ୟ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ଯିବା ବେଳେ ବହୁବାର ବିଦ୍ୟୁତ୍‌ କାଟ ହୋଇଥିଲା। ଏପରିକି ରାସ୍ତା ଘାଟ ସନ୍ଧ୍ୟାରେ ଅନ୍ଧାର ହୋଇଯାଇଥିଲା। ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକେ ଅନ୍ଧାର ଯୋଗୁ ସମସ୍ୟା ଭୋଗିଥିଲେ। ଭିଡ଼ରେ ଠେଲା ପେଲା ହେବା ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

କିନ୍ନର ନୃତ୍ୟ
ଆଜି କିଛି ପୂଜା କମିଟି ସେମାନଙ୍କ ଭସାଣି ଶୋଭାଯାତ୍ରାରେ କିନ୍ନରଙ୍କୁ ସାମିଲ କରିଥିବା ଦେଖାଯାଇଥିଲା। କିନ୍ନରଙ୍କ ବିଭିନ୍ନ ଅଙ୍ଗଭଙ୍ଗୀ ସହ ନୃତ୍ୟ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ନୟାପଲ୍ଲୀ ସମେତ ସହିଦନଗର ଧାଡ଼ି ଭସାଣି ବେଳେ କିନ୍ନରଙ୍କ ନୃତ୍ୟ ଦେଖେଣାହାରୀଙ୍କ ଆକର୍ଷଣ ସାଜିଥିଲା। ଢୋଲ ଓ ଗାଡ଼ି ଉପରେ ଛିଡ଼ା ହୋଇ କିନ୍ନରଙ୍କ ନୃତ୍ୟ ପ୍ରଦର୍ଶନରେ ଦର୍ଶକଙ୍କୁ ଚମତ୍କତ କରିଥିଲା।

ଠେଲାପେଲାରେ ୪ ଅସୁସ୍ଥ
ମେଢ଼ଗୁଡ଼ିକ ଯିବା ବେଳେ ବିଦ୍ୟୁତ କାର୍ଯ୍ୟାଳୟ ଛକଠାରେ ଠେଲାପେଲା ହୋଇ ୪ଜଣ ଅସୁସ୍ଥ ହୋଇଥିଲେ। ଷଣ୍ଢ ଯୋଗୁଁ ଠେଲାପେଲା ହୋଇ ଏହି ପରିସ୍ଥିତି ଦେଖା ଦେଇଥିଲା। ସେମାନଙ୍କୁ ବିଏମ୍‌ସି ହସ୍ପିଟାଲାରେ ଚିକିତ୍ସା କରାଯାଇଥିଲା। ଷଣ୍ଢ ଯୋଗୁଁ ଗହଳିରେ ବହୁ ଶିଶୁ ମଧ୍ୟ ଆହତ ହୋଇଥିଲେ।

ଢୋଲ ଉପରେ ନୃତ୍ୟ
ଭସାଣି ଉତ୍ସବରେ ଦର୍ଶକଙ୍କ ମନ ଜିଣିବାକୁ ବିଭିନ୍ନ ପୂଜା କିମିଟି ଭିନ୍ନ ଭିନ୍ନ ଆୟୋଜନ କରିଥିଲେ। ଭିଏସ୍‌ଏସ୍‌ ନଗର ପୂଜା କମିଟି ପକ୍ଷରୁ ହୋଇଥିବା ଶୋଭାଯାତ୍ରା ଦଳରେ ଚାରି ଜଣ ଲୋକଙ୍କ କାନ୍ଧ ଉପରେ ଥୁଆଯାଇ ଥିବା ଢୋଲ ଉପରେ ଜଣେ କଳାକାରଙ୍କ ନୃତ୍ୟ ବେଶ୍‌ ଆକର୍ଷଣୀୟ ଥିଲା। ବିଭିନ୍ନ ଭାବଭଙ୍ଗୀରେ ଢୋଲ ଉପରେ ଛିଡ଼ା ହୋଇ ଭାରସାମ୍ୟ ରକ୍ଷା କରି କଳାକାରଙ୍କ ନୃତ୍ୟ ପ୍ରଦର୍ଶନକୁ ଦର୍ଶକ ପ୍ରଶଂସା କରିଥିଲେ।

ଯୋଡ଼ିଏରୁ କୋଡ଼ିଏ
ଦୁଇଟି ମେଢକୁ ନେଇ ଆରମ୍ଭ ହୋଇଥିବା ଉତ୍ତର ଭସାଣି ପୂଜା କମିଟିର ମେଢ ସଂଖ୍ୟା ଆଜି କୋଡ଼ିଏରେ ପହଞ୍ଚିଥିଲା। ଅନୁଷ୍ଠାନର ମୁଖ୍ୟ ଉଦ୍ୟୋକ୍ତା ସ୍ୱର୍ଗତ ରଜନୀ ଜେନାଙ୍କ ସ୍ମୃତିଚାରଣ ଅବସରରେ ତାଙ୍କର ‘ଯୋଡ଼ିଏରୁ କୋଡ଼ିଏ’ ଉକ୍ତି ଆଜି ବାସ୍ତବତାରେ ପରିଣତ ହୋଇଥିବା ସମସ୍ତ ଅତିଥି ମତ ଦେଇଥିଲେ।

ବର୍ଷାରେ ଫସିଗଲା ଆମ୍ବୁଲାନ୍ସ
ନୟାପଲ୍ଲୀରେ ଅନୁଷ୍ଠିତ ଭସାଣି ଉତ୍ସବ ପାଇଁ ପୂଜା ମଣ୍ଡପ ସମ୍ମୁଖ ଏତେ ଭିଡ଼ ଥିଲା ଯେ ଯାନବାହନ ଯାତାୟାତ ଅସମ୍ଭାଳ ହୋଇପଡ଼ିଥିଲା। ନୟାପଲ୍ଲୀ ଓଭରବ୍ରିଜ୍‌ ଉପରେ ଗାଡ଼ି ଲମ୍ବା ଧାଡ଼ିରେ ଅଟକି ରହିଥିଲା। ଏହା ମଧ୍ୟରେ ଏକ ଆମ୍ବୁଲାନ୍ସ ବି ଫସି ଯାଇଥିଲା। ତେବେ ମେଢ଼ ପଟୁଆର ମଧ୍ୟରେ ଆସୁଥିବାରୁ ଆମ୍ବୁଲାନ୍ସ ଦୀର୍ଘ ସମୟ ଯାଏଁ ଅଟକି ରହିଥିଲା।

୧ କୁଇଣ୍ଟାଲ୍‌ କୋଡ଼ିଏ କେଜିର ଲଡ଼ୁ
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଡ଼କଣ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ୧ କୁଇଣ୍ଟାଲ୍‌ କୋଡ଼ିଏ କେଜିର ଲଡ଼ୁ କମିଟିକୁ ପ୍ରଦାନ କରାଯାଇଥିଲା। ଏହି ଲଡ଼ୁ ଆଜି ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ସଭାପରେ ଏହି ଲଡ଼ୁ ୨୦,୬୦୦ ଟଙ୍କାରେ ନିଲାମ ହୋଇଥିଲା।

ଭାଙ୍ଗି ପଡ଼ିଲା ଶିବଙ୍କ ବେକ
କ୍ଲବ୍‌ ରାଜ୍‌ ପକ୍ଷରୁ ହର ପାର୍ବତୀଙ୍କୁ ପାରମ୍ପରିକ ପଟୁଆର ମଧ୍ୟରେ ନୟାପଲ୍ଲୀ ପୂଜା ମଣ୍ଡପର ଭସାଣ ପଡ଼ିଆକୁ ନିଆଯାଉଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା। ଶିବଙ୍କର ମୁଣ୍ଡ ବେକ ପାଖରୁ ଭାଙ୍ଗିପଡ଼ିବାରୁ ଲଟକି ରହିଥିଲା। ତେଣୁ ପୂଜା କମିଟିର ଜଣେ ସଦସ୍ୟ ଶିବଙ୍କ ବେକକୁ ହାତରେ ଢେରା ଦେଇ ରଖିଥିଲେ।

ସମ୍ବନ୍ଧିତ ଖବର