ପୁରୁଣା ଭୁବନେଶ୍ୱର : ସବୁବର୍ଷ ଭସାଣ ଅବସରରେ ପୁରୁଣା ଭୁବନେଶ୍ୱରର ମା’ ଦୁର୍ଗାଙ୍କ ମେଢ଼ ସକାଳୁ ସକାଳୁ ବିଭିନ୍ନ ମଣ୍ଡପରୁ ବାହାରି ବଢ଼େଇବାଙ୍କ ଓ ଗୋସାଗେରେଶ୍ବର ଛକ ପରିକ୍ରମା କରି ନଦୀ ପଠାକୁ ଯାଇଥା’ନ୍ତି। କିନ୍ତୁ ଚଳିତ ବର୍ଷ ଅସରା ଅସରା ବର୍ଷା ଯୋଗୁଁ ସବୁ ମେଢ଼ ମଣ୍ଡପରୁ ବାହାରିବା ବିଳମ୍ବ ହୋଇଥିଲା। ଏପରିକି ବହୁ ମେଢ଼ ରାତିରେ ବାହାରିଥିଲା। ମୋଟ ୨୩ ମେଢ଼ରୁ କିଛି ଅବଶ୍ୟ ପୂର୍ବାହ୍ଣ ୧୦ଟା‌ ବେଳକୁ ଶୋଭାଯାତ୍ରାରେ ବାହାରିଥିଲା। ତେବେ ପ୍ରଥମେ ବାହାରିଥିବା ବଣିଆସାହି ମେଢ଼ ଅପରାହ୍ଣ ୧ଟାରେ ବଢ଼େଇବାଙ୍କ ଛକ ପରିକ୍ରମା କରିଥିଲା। ପରେ ପରେ ମଠ ସାହି, ଯମେଶ୍ବରପାଟଣା ସାହି, ସୁନ୍ଦରପଦା କପିଳପ୍ରସାଦ, କଞ୍ଚ ସାହି, ଚେମେଡ଼ି ସାହି ମେଢ଼ ରଥଦାଣ୍ଡ ପରିକ୍ରମା କରିଥିଲା।

Advertisment

publive-image

ତେବେ ତୁହାକୁ ତୁହା ବର୍ଷା ହେବା ଫଳରେ ସବୁ ମେଢ଼ ବିସର୍ଜନ ହେବା ବେଳକୁ ରାତି ହୋଇଯାଇଥିଲା। ମେଢ଼ ଓ ମା’ଙ୍କ ମୂର୍ତ୍ତିକୁ ପଲିଥିନି ଓ ଜରିପାଲ ‌ତଳେ ରଖାଯାଇଥିଲା। କିନ୍ତୁ ଯୁବକମାନଙ୍କ ଉତ୍ସାହରେ ବର୍ଷା ବାଧକ ହୋଇପାରିନଥିଲା। ବର୍ଷାରେ ଭିଜି ଭିଜି ସେମାନେ ନାଚୁଥିବା ଦେଖିବାକୁ ମିଳିଥିଲା। ଏମିତିକି ବିସର୍ଜନ ଶୋଭାଯାତ୍ରାରେ ବହୁ ବ୍ୟକ୍ତି ଛତା ଧରି ନାଚୁଥିବା ଦେଖାଯାଇଥିଲା। ବଡ଼ କଥା ହେଉଛି କେବଳ ସ୍ଥାନୀୟ ଲୋକମାନେ ହିଁ ଭସାଣ ଉତ୍ସବ ଦେଖୁଥିଲେ। ନବମୀ ଓ ଦଶହରା ତିଥିରେ ମଧ୍ୟ ବର୍ଷା ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ମେଢ଼ ଦେଖା ମଜାରେ ଫିକା ପଡ଼ିଥିଲା।

publive-image

ଆଖି ଝଲସାଇଲା ଚନ୍ଦ୍ରଶେଖରପୁର ଭସାଣି

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ମହାଆଡ଼ମ୍ବରରେ ମା’ଙ୍କୁ ମେଲାଣି ଦିଆଯାଇଛି। ବର୍ଷାର ଭୟ ଭିତରେ ବି ଏଠାରେ ଭସାଣି ଉତ୍ସବ ବେଶ୍‌ ଜମିଯାଇଥିଲା। ଚନ୍ଦ୍ରଶେଖରପୁର ପଡ଼ିଆରୁ ଆଗପଛ ହୋଇ ଧାଡ଼ିରେ ବାହାରିଥିବା ୨୦ ମେଢ଼ର ଶୋଭାଯାତ୍ରା ଆଖି ଝଲସାଇ ଦେଇଥିଲା।

ଉତ୍ତର ଭୁବନେଶ୍ବର ଭସାଣି କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ହାଉସିଂବୋର୍ଡ କଲୋନି ଫେଜ-୧, ଗାଡ଼କଣ, ମଞ୍ଚେଶ୍ବର ରେଲୱେ କଲୋନି, ବିଡିଏ କଲୋନି, ପ୍ରଶାନ୍ତିବିହାର, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ଶୈଳଶ୍ରୀବିହାର‌ ଫେଜ୍‌-୨, ଶୈଳଶ୍ରୀବିହାର ଫେଜ୍‌- ୬, ଡ଼ିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ୍ , ନୀଳାଦ୍ରିବିହାର, ନୀଳମାଧବ ନଗର, ଲୁମ୍ବିନିବିହାର, ନନ୍ଦନବିହାର, କଳାରାହଙ୍ଗ ହାଉସିଂବୋର୍ଡ କଲୋନି, ଶିଖରଚଣ୍ଡୀନଗର, ଗଣ୍ଡରପୁର, ଇଞ୍ଜଣା, ଟାଙ୍ଗିବନ୍ତ ଓ ନୀଳାଦ୍ରିବିହାର କୈବଲ୍ୟନଗର ପୂଜା କମିଟିର ମେଢ଼ମାନେ ସାମିଲ୍‌ ହୋଇଥିଲେ। ଦିନ ସାରା ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରେ ବର୍ଷା ଛାଡ଼ିବାରୁ ଭସାଣ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହୋଇଥି‌ଲା। ସଂଧ୍ୟା ପ୍ରାୟ ସାଢ଼େ ସାତଟା ବେଳେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମେଢ଼ମାନେ ଏକାଠି ହେବା ପରେ ଭସାଣ କମିଟି ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

publive-image

ଉତ୍ସବ ଆରମ୍ଭରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ବିଧାୟକ ସୁଶାନ୍ତ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଆଇନଜୀବୀ ମଧୁମାଧବ ଜେନାଙ୍କ ସଭାପତିତ୍ବରେ ଅନୁୂଷ୍ଠିତ କାର୍ଯ୍ୟକ୍ରମରେ ମେୟର ‌ସୁଲୋଚନା ଦାସ, କର୍ପୋରେଟର ମିହିର ରାଉତଙ୍କ ସମେତ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ ସମସ୍ତ ପୂଜା କମିଟିର ସଭାପତି, ସଂପାଦକ, ଚନ୍ଦ୍ରଶେଖରପୁର ଜୋନ୍ ଏସିପିଙ୍କ ସହିତ ନନ୍ଦନକାନନ, ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଆଇଆଇସିଙ୍କୁ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗାଡ଼କଣ ପୂଜା କିମିଟି ପକ୍ଷରୁ ଏକ କ୍ବିଣ୍ଟାଲ ଓଜନର ଏକ ଲଡ଼ୁ ନିଲାମ କରାଯାଇଥିଲା। ନୀଳାଦ୍ରିବିହାର ପେଟ୍ରୋଲ ପମ୍ପ ଡିଷ୍ଟ୍ରିକ୍ଟ ସେଣ୍ଟର ଛକରେ ସମସ୍ତ ‌ପୂଜା କମିଟିଙ୍କୁ ମିଠାହାଣ୍ଡି ‌ଦିଆଯାଇଥିଲା। ସମସ୍ତ ମେଢ଼ ନା‌ଲ୍‌କୋ ଛକ ଦେଇ ଆଚାର୍ଯ୍ୟବିହାର ରାସ୍ତାରେ ହଂସପାଳ କୁଆଖାଇ ପଠାକୁ ଯାଇଥିଲେ।