ମା’ଙ୍କୁ ବିଦାୟ

ଭୁବନେଶ୍ୱର : ସରିଛି ପାର୍ବଣର ମହାପର୍ବ। ଭକ୍ତଙ୍କ ସହ ଭାବ ଦିଆନିଆ ପରେ ଲେଉଟି ଯାଇଛନ୍ତି ମା’। ପାରମ୍ପରିକ ପଟୁଆର ସାଙ୍ଗକୁ ଡିଜେର ତାଳେତାଳେ ମସଗୁଲ ହୋଇ ଦେବୀଙ୍କୁ ବିଦାୟ ଦେଇଛନ୍ତି ପୂଜା କମିଟିର କର୍ମକର୍ତା। ଦଶହରାରେ ବର୍ଷା ଦାଉ ସାଧିବା ପରେ ଭସାଣିର ଅନୁକୂଳ ପାଗ ଲୋକଙ୍କୁ ଆଉ ଘରେ ଅଟକାଇ ପାରି ନଥିଲା। ସହରର ରାସ୍ତାଘାଟ ଲୋକାରଣ୍ୟ ହୋଇଯାଇଥିଲା। ମିଳିତ ଭସାଣି ଉପଭୋଗ ପାଇଁ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲେ। କେଉଁ ମା’ଙ୍କର ହସହସ ମୁହଁ, କେଉଁ ମା’ଙ୍କ ମୁହଁ କ୍ରୋଧର ଚିହ୍ନ ତାହାକୁ ନେଇ ଚର୍ଚା କରୁଥିଲେ ସମବେତ ଶ୍ରଦ୍ଧାଳୁ। ସହରର ୪ଟି ସ୍ଥାନରେ ଅନୁଷ୍ଠିତ ହେଉଥିଲା ମିଳିତ ଭସାଣି। ସମଗ୍ର ରାଜଧାନୀରେ ୧୭୨ଟି ପୂଜା ମଣ୍ଡପରେ ଏଥର ପୂଜା ଅନୁଷ୍ଠିତ ହେଉଥିବା ବେଳେ ମିଳିତ ଭସାଣିରେ ଅଂଶୀଦାର ହୋଇଥିଲେ ୮୦ ମେଢ଼। ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ଯାତ୍ରା ପଡ଼ିଆରେ ୨୧ଟି ମେଢ଼, ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପଡ଼ିଆରେ ୧୬ଟି ମେଢ଼, ପୁରୁଣା ଭୁବନେଶ୍ୱରରେ ୨୫ଟି ମେଢ଼ ଏବଂ ଉତ୍ତର ଭୁବନେଶ୍ୱରରେ ୨୦ ମେଢ଼ଙ୍କ ସମାଗମ ଦେଖିବାକୁ ମିଳିଥିଲା। ମେଢ଼ର ଧାଡ଼ି ଯାତ୍ରା ଦେଖିବାକୁ ସାରା ସହରର ରାସ୍ତାଘାଟ ଲୋକାରଣ୍ୟ ପାଲଟିଥିଲା। ରାସ୍ତା କଡ଼ରେ ହଜାର ହଜାର ନେତ୍ର ପାରମ୍ପରିକ ପଟୁଆର ଭିତରେ ମା’ଙ୍କ ମେଲାଣିକୁ ଉପଭୋଗ କରିବାକୁ ଧାଡ଼ିବାନ୍ଧି ଛିଡ଼ା ହୋଇଥିଲେ। ସନ୍ଧ୍ୟାରେ କୋଳାହଳରେ ଫାଟି ପଡ଼ୁଥିବା ପରିବେଶ ରାତି ବଢ଼ିବା ସହ ଶୂନଶାନ୍‌ ହୋଇଯାଇଥିଲା। କିଛିଦିନ ହେବ ପୂରା ସହରକୁ ଆଧ୍ୟାତ୍ମିକ ବାତାବରଣରେ ଆଚ୍ଛାଦିତ କରିଥିବା ପୂଜା ମଣ୍ଡପ ଖାଁ ଖାଁ ହୋଇଯାଇଥିଲା।

ସହିଦନଗର ଭସାଣିରେ ୨୧ମେଢ଼
ସହିଦନଗର ଦୁର୍ଗାପୂଜା ପକ୍ଷରୁ ୨୧ଟି ମେଢ଼ର ଭସାଣି ଶୋଭାଯାତ୍ରା ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ଏକାଠି ମେଢ଼ମାନଙ୍କୁ ସମ୍ମିଳିତ କରା ନଯାଇ ଯେଉଁ ମେଢ଼ ପ୍ରଥମେ ଆସୁଥିଲା ତାକୁ ପ୍ରଥମେ ମେଲାଣି ଦେବା ପାଇଁ ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏହି ଭିତ୍ତିରେ ପୁରୁଣା ବସ୍‌ଷ୍ଟାଣ୍ଡ୍‌ ତ୍ରିନାଥ ବ୍ୟବସାୟୀ ସଂଘ ପୂଜା ସମିତି ଅପରାହ୍‌ଣ ୩ଟା ୫୦ରେ ପହଞ୍ଚିଥିବା ବେଳେ ତାକୁ ପ୍ରଥମେ ବିଦାୟ ଦିଆଯାଇଥିଲା। ପରେ ବାଣୀବିହାର ଦୁର୍ଗାପୂଜା ସମିତି, ୟୁନିଟ୍‌ ୯, ସତ୍ୟନଗର, କୋରଡ଼କଣ୍ଟା, ପୁରୁଣା ଷ୍ଟେସନ୍‌ ବଜାର, ଭିଏସ୍‌ଏସ୍‌ ନଗର, କେସୁରା, ପଳାଶୁଣି, ୟୁନିଟ୍‌ ୧ ମହାଦେବ ପୂଜା କମିଟି, ବାଣୀବିହାର ଟ୍ରାଫିକ୍‌ ଛକ, କଟକ ରୋଡ୍‌, ୟୁନିଟ୍‌ ୩, ଚକେଇସିଆଣି, ୬ନମ୍ବର, ଭୀମଟାଙ୍ଗି, ଝାରପଡ଼ା ପୂଜା ସମିତ ପ୍ରମୁଖ ଧାଡ଼ି ଭସାଣିରେ ସହିଦନଗରରୁ ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ଶେଷରେ ସହିଦନଗର ଦୁର୍ଗାପୂଜା କମିଟିର ମା’ ମେଲାଣି ନେଇଥିଲେ। ଏହି ଅବସରରେ ସମସ୍ତ ପୂଜା କମିଟିକୁ ସମ୍ବର୍ଧିତ କରାଯାଇଥିବା ବେଳେ ସୁରକ୍ଷା ପାଇଁ ୮ ପ୍ଲାଟୁନ ପୁଲିସ୍‌ ମୁତୟନ ହୋଇଥିଲେ ବୋଲି ପୂଜା କମିଟିର ସାଧାରଣ ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି।

ପୁରୁଣା ଭୁବନେଶ୍ୱରରେ ୨୫ ମେଢ଼
ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା ମିଳିତ ଭସାଣି କାର୍ଯ୍ୟକ୍ରମ। ଏଥିରେ ବିଭିନ୍ନ ସାହିର ୨୫ଟି ମେଢ଼ ବଢ଼େଇବାଙ୍କ ଛକ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଦେଇ ଦୟା ନଦୀକୁ ବିସର୍ଜନ ପାଇଁ ଯାଇଥିଲେ। ପାରମ୍ପରିକ ବାଦ୍ୟର ପଟୁଆର ମଧ୍ୟରେ ସମସ୍ତ ମେଢ଼କୁ ଶୋଭାଯାତ୍ରାରେ ନିଆଯାଇଥିଲା। ପ୍ରଥମେ ହରଚଣ୍ଡୀ ସାହି ମେଢ଼ ପରେ ସୁନ୍ଦରପଦା ଏବଂ ଅନ୍ୟ ମେଢ଼କୁ ମେଲାଣି ଦିଆଯାଇଥିଲା। ସନ୍ଧ୍ୟାରେ ବଡୁ ସାହି, ରାମାୟଣୀ ସାହି, ପୁରୁଣା ଭୁବନେଶ୍ୱର ବ୍ୟବସାୟୀ ସଂଘ, ବ୍ରାହ୍ମଣ ନିଯୋଗ, ମହାବୀର ବଜାର ଓ ସାମନ୍ତରାପୁର ବ୍ୟବସାୟୀ ସଂଘର ମେଢ଼ ବିସର୍ଜନ ପାଇଁ ଯାଇଥିଲେ।

ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ୧୬ ମେଢ଼
ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମିଳିତ ଭସାଣିରେ ନିଆରା ଅନୁଭୂତି ସାଉଁଟିଥିଲେ ଶ୍ରଦ୍ଧାଳୁ। ଏକକାଳୀନ ପୂଜା ପଡ଼ିଆରେ ୧୬ଟି ମେଢକୁ ବୁଲିବୁଲି ଦର୍ଶନ କରିବାର ଅବସର ଜୁଟିଥିଲା। ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ଆନୁକୂଲ୍ୟରେ ଆୟୋଜିତ ମିଳିତ ଭସାଣିକୁ ଉପଭୋଗ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶିରିପୁରସ୍ଥିତ ପ୍ରାଚୀନ ପୀଠ ଦେବୀ ଝାଡ଼େଶ୍ୱରୀଙ୍କୁ ପ୍ରଥମେ ବିଦାୟ ଦିଆଯାଇଥିବା ବେଳେ ଡୁମଡୁମା ହାଉସିଂବୋର୍ଡ ପୂଜା କମିଟିକୁ ଦ୍ୱିତୀୟରେ ବାହାରିଥିଲା। ପରେ ଗଙ୍ଗନଗର, ଗଣ୍ଡମୁଣ୍ଡା, କଳାରାହାଙ୍ଗ, ଭଗବାନପୁର ଶିଳ୍ପାଞ୍ଚଳ, ଆଇଗିଣିଆ, ଶ୍ୟାମପୁର, ନୂଆସାହି, ଶିରିପୁର, ଓୟୁଏଟି,କ୍ଲବ୍‌ ରାଜ୍‌, ପୋଖରୀପୁଟ ପରେ ସବା ଶେଷରେ ନୟାପଲ୍ଲୀ ଦୁର୍ଗା ମଣ୍ଡପର ମା’ଙ୍କୁ ମେଲାଣି ଦିଆଯାଇଥିଲା। ଡିସିପି ସତ୍ୟବ୍ରତ ଭୋଇଙ୍କ ଦ୍ୱାରା ‘ଆଦ୍ୟାଶକ୍ତି’ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସମିତିର ସଭାପତି ନିରଂଜନ ମିଶ୍ର, ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ସୁରକ୍ଷା ପାଇଁ ୩୦ ପୁଲିସ୍‌ ଅଫିସରଙ୍କ ସମେତ ୭୦ ପୁଲିସ୍‌ କର୍ମକର୍ତା ଏବଂ ୩୦୦ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ ବୋଲି ସମିତିର ଉପଦେଷ୍ଟା ନବକିକଶୋର ବେହେରା କହିଛନ୍ତି।

ଉତ୍ତର ଭୁବନେଶ୍ୱର ଭସାଣିରେ ୨୦ ମେଢ଼
ଉତ୍ତର ଭୁବନେଶ୍ୱର ଭସାଣି କମିିଟି ପକ୍ଷରୁ ଆୟୋଜିତ ଭସାଣି ମହୋତ୍ସବରେ ଚଳିତ ବର୍ଷ ୨୦ଟି ମେଢ଼ ଅଂଶଗ୍ରହଣ କରିଥିଲେ। ଚନ୍ଦ୍ରଶେଖରପୁର ଥାନା ପାଖ ଭସାଣି ପଡ଼ିଆରେ ଏନେଇ ଏକ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବିଭିନ୍ନ ଓ୍ଵାର୍ଡର କର୍ପୋରେଟର୍‌ମାନେ ଅତିଥି ଭାବେ ଯୋଗ ଦେଇଥିଲେ। କମିଟିର ଉପଦେଷ୍ଟା କିଶୋର ଜେନା ଓ ମଧୁମାଧବ ଜେନା ସମସ୍ତ ଦେବୀ ମେଢ଼ଗୁଡ଼ିକୁ ପୂଜାର୍ଚନା ପୂର୍ବକ ପଡ଼ିଆ ମଧ୍ୟକୁ ପାଛୋଟି ଆଣିଥିଲେ। ଆବାହକ ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେବା ସହିତ କମିଟି ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ବରିଷ୍ଠ ସଦସ୍ୟ ଭୁବନାନନ୍ଦ ଜେନା, ସୁରେଶ ରଥ, ମିହିର ରାଉତ ଓ ପ୍ରଦୀପ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଏସିପି ସୀତାରାମ ଶତପଥୀ, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଦୀପକ ମିଶ୍ର ଓ ଇନ୍‌ଫୋସିଟି ଥାନା ଅଧିକାରୀ ବନିତା ମହାରଣାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ମେଢ଼ଗୁଡ଼ିକ ଶୋଭଯାତ୍ରାରେ ଡମଣା ଛକ ଦେଇ ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ପୂଜା କମିଟି ନିକଟରେ ପହଞ୍ଚିଥିଲେ। ସେଠାରେ ସମସ୍ତ ମେଢ଼କୁ ସମ୍ବର୍ଧିତ କରାଯାଇଥିଲା। ପରେ ବିଡିଏ, କଳିଙ୍ଗ ହସ୍ପିଟାଲ୍‌ ଛକ ଦେଇ କୁଆଖାଇ ନଦୀରେ ବିସର୍ଜନ ପାଇଁ ପ୍ରସ୍ଥାନ କରିଥିଲେ। ଭସାଣି କମିଟିର ସଦସ୍ୟମାନଙ୍କ ସହିତ ଲେଡ଼ି ପ୍ରୋଟେକ୍ଟ୍‌ (ଏଲ୍‌ପି) ଟିମ୍‌ର କାର୍ଯ୍ୟକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

୩୦ରୁ ଅଧିକ ପ୍ଲାଟୁନ୍‌ ପୁଲିସ
ଭୁବନେଶ୍ୱର : ଭସାଣି ଯାତ୍ରା ସମୟରେ ଅଘଟଣକୁ ଏଡ଼ାଇବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ରାଜଧାନୀର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ନୂଅପାଲ୍ଲୀ ଭସାଣି ପଡ଼ିଆରେ ୧୬ଟି ମେଢ଼ ଅଂଶଗ୍ରହଣ କରିଥିବା ବେଳେ ସହିଦନଗର ପୂଜା ମଣ୍ଡପରୁ ବାହାରୁଥିବା ଭସାଣିରେ ୨୧ଟି ମେଢ଼ ଅଂଶଗ୍ରହଣ କରିଛନ୍ତି। ସହିଦନଗର ପୂଜା ମଣ୍ଡପରୁ ବାହାରୁଥିବା ଭସାଣି ଶୋଭାଯାତ୍ରା ଜନପଥରେ ରାଜମହଲ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଇଥିଲା। ସେହିପରି ନୂଆପଲ୍ଲୀ ପୂଜା ମଣ୍ଡପରୁ ବାହାରୁଥିବା ଭସାଣି ଶୋଭାଯାତ୍ରା ସିଆର୍‌ପି, ଡିଏଭି ସ୍କୁଲ, ଗୋପବନ୍ଧୁ ଛକ, ଶିରିପୁର ଛକ ଦେଇ ଗଙ୍ଗନଗର ପର୍ଯ୍ୟନ୍ତ ଯିବ। ଭସାଣି ଶୋଭଯାତ୍ରା ଲାଗି ସେହି ସବୁ ରାସ୍ତାଗୁଡ଼ିକରେ ଟ୍ରାଫିକ କଟକଣା କରାଯାଇଛି।

ରସୁଲଗଡ଼ରେ ଉତ୍ତେଜନା
ଭୁବନେଶ୍ୱର : ମା’ଙ୍କୁ ମେଲାଣି ବେଳେ ଆତସବାଜି କାର୍ଯ୍ୟକ୍ରମକୁ ନେଇ ଆଜି ରସୁଲଗଡ଼ ଛକରେ ଉତ୍ତେଜନା ଦେଖାଦେଇଥିଲା। ଭସାଣି ସମୟରେ ଆତସ୍‌ବାଜି କାର୍ଯ୍ୟକ୍ରମ ପାଇଁ ରସୁଲଗଡ଼ ପୂଜା କମିଟିକୁ କମିସନରେଟ୍‌ ପୁଲିସ ପକ୍ଷରୁ ଅନୁମତି ମିଳି ନଥିଲେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଏପରି କାର୍ଯ୍ୟକ୍ରମ କରାଯାଇଥିଲା। ତେବେ ଅନୁମତି ନଥିବାରୁ ସେଠାରେ ଥିବା ପୁଲିସ କର୍ମଚାରୀମାନେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ପୂଜା କମିଟି ସଦସ୍ୟ ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୂଜା କମିଟି ସଦସ୍ୟ ଓ ସ୍ଥାନୀୟଲୋକମାନେ ଆତବାସି କାର୍ଯ୍ୟକ୍ରମ ପାଇଁ ଜିଦ୍‌ ଧରିଥିଲେ। କିଛି ସମୟ ପାଇଁ ରସୁଲଗଡ଼ ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ରାସ୍ତାରେ ଜାତାୟାତ ଠପ୍‌ ହୋଇଯାଇଥିଲା। ମଞ୍ଚେଶ୍ୱର ଥାନା ଆଇଆଇସି କେପି ମିଶ୍ର ଘଟଣାରେ ହସ୍ତକ୍ଷେପ କରି ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୁ ଉଠିଥିଲେ। ହେଲେ ଅତସ୍‌ବାଜି କାର୍ଯ୍ୟକ୍ରମ ବନ୍ଦ ହୋଇ ନଥିଲା। କମିଟିର ଲୋକମାନେ ଜିଦ୍‌ରେ ଅଟଳ ଥିଲେ। ପୁଲିସ ମଧ୍ୟ ପରିସ୍ଥିତିକୁ ଦେଖି ଚୁପ୍‌ ରହିଥିଲା। ଅନ୍ୟପଟେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଯେ, ଏନେଇ ଘଟଣାର ତଦନ୍ତ ଚାଲିଛି। ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର