ମେଲାଣି ନେଲେ ମା’, ଦୁଲୁକିଲା ରାଜଧାନୀ

କମ୍ପିଲା ନୂଆପଲ୍ଲୀରୁ ଗଙ୍ଗନଗର, ସହିଦନଗରରୁ ୨୨ ମେଢ଼ର ଶୋଭାଯାତ୍ରା

ଭୁବନେଶ୍ବର : ଇନ୍ଦ୍ରଦେବଙ୍କ ମେଘ ସବାରିରେ ଗୁରୁବାର ଦିନ ମା’ ମେଲାଣି ନେଇଛନ୍ତି। ଦିନସାରା ତୁହାକୁ ତୁହା ବର୍ଷା ଭସାଣି ଉତ୍ସବକୁ ଫିକା କରିବ ବୋଲି ଆଶଙ୍କା ଦେଖାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ପାଗ ବଦଳିଗଲା। ବର୍ଷା ଛାଡ଼ିଗଲା। ତେଣୁ ପୁଣି ଜମିଯାଇଥିଲା ମା’ଙ୍କ ଭସାଣ ଶୋଭାଯାତ୍ରା। ପାରମ୍ପରିକ ବାଦ୍ୟ ଓ ନୃତ୍ୟର ସମାରୋହରେ ରାଜଧାନୀ ଦାଣ୍ଡ ଦୁଲୁକି ଉଠିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଢ଼ମାନେ ବିଶାଳ ଶୋଭାଯାତ୍ରାରେ ରାଜଧାନୀର ରାଜରାସ୍ତା ଦେଇ କୁଆଖାଇ ନଦୀ ଅଭିମୁଖେ ଚାଲିଥିଲେ। ମା’ଙ୍କ ଶେଷ ଦର୍ଶନ ପାଇଁ ଅଗଣିତ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ ରାସ୍ତାକଡ଼ରେ।

ଚଳିତ ବର୍ଷ ରାଜଧାନୀରେ ମୋଟ ୧୭୮ ମଣ୍ଡପରେ ମା’ ବିରାଜିଥିଲେ। ଭସାଣ ଉତ୍ସବ ପାଇଁ ସହିଦନଗର, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବରରୁ ମେଢ଼ମାନେ ଏକାଠି ହୋଇ ଶୋଭାଯାତ୍ରାରେ ଯିବାର ଥିଲା। କିନ୍ତୁ ଦିନ ତମାମ୍ ବର୍ଷା ଲାଗି ରହିବାରୁ କିଛି ମେଢ଼ ନିଜ ନିଜ ମଣ୍ଡପରୁ ସିଧାସଳଖ ନଦୀପଠାକୁ ଯାଇଥିଲେ। ତେବେ ସନ୍ଧ୍ୟା ବେଳକୁ ବର୍ଷା ଛାଡ଼ିଯିବାରୁ ଭସାଣ ଉତ୍ସବ ଯଥାରୀତି ଆରମ୍ଭ ହୋଇଥିଲା। ଅବଶ୍ୟ ଭସାଣ ଶୋଭାଯାତ୍ରାରେ ସେଭଳି ଜନସମାଗମ ହୋଇନଥିଲା। କେବଳ ରାଜଧାନୀବାସୀଙ୍କୁ ଛାଡ଼ିଦେଲେ, ବାହାର ଲୋକଙ୍କ ସଂଖ୍ୟା ବହୁତ କମ୍‌ ଥିଲା। ତଥାପି ଭସାଣ ଆକର୍ଷଣ କିଛି କମ୍‌ ନଥିଲା। ସବୁ ମେଢ଼ ଆଗରେ ଥିଲା ଆଧୁନିକ ଡିଜେ ସାଙ୍ଗକୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସମାବେଶ। ଶଙ୍ଖ, ଘଣ୍ଟ, ଘଣ୍ଟା, ଶିଙ୍ଗ ବାଜା, ତୂରୀ, ମହୁରୀ ସାଙ୍ଗକୁ ଦୁଲୁଦୁଲି, ଢ଼ୋଲ, ମର୍ଦ୍ଦଳ ଓ ହଳଦୀକାଠ ବାଜାରେ ଶୋଭାଯାତ୍ରା ପ୍ରକମ୍ପିତ ହୋଇଉଠୁଥିଲା। ସେହିଭଳି ସିଂହ ନାଚ, ଘୋଡ଼ା ନାଚ, କଣ୍ଢେଇ ନାଚ ଓ ଷଣ୍ଢ ନାଚ ଆଦି ବେଶ୍ ଚମତ୍କାର ପରିବେଶ ସୃଷ୍ଟି କରିଥିଲା। ଚନ୍ଦ୍ରଶେଖରପୁରରୁ ପଳାସୁଣୀ, ସହିଦନଗରରୁ ଖଣ୍ଡଗିରି ଓ ପୁରୁଣା ଭୁବନେଶ୍ବରରୁ ଟଙ୍କପାଣି ପର୍ଯ୍ୟନ୍ତ ସମଗ୍ର ରାଜଧାନୀ ବିଳମ୍ବିତ ରାତି ଯାଏ ଭସାଣ ସମାରୋହରେ ପଡ଼ୁଥିଲା ଉଠୁଥିଲା।

କମ୍ପିଲା ନୂଆପଲ୍ଲୀରୁ ଗଙ୍ଗନଗର

ଖଣ୍ଡଗିରି : ଗୁରୁବାର ସନ୍ଧ୍ୟାରେ ମା’ଦୁର୍ଗାଙ୍କ ମେଲାଣି ଅବସରରେ ଆୟୋଜିତ ଭସାଣ ଉତ୍ସବ ପାଇଁ ନୂଆପଲ୍ଲୀରୁ ଗଙ୍ଗନଗର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଥିଲା। ପ୍ରତି ମେଢ଼ ଚାରିକଡ଼ରେ ଝୁଣା ଓ ଅଗୁରୁ ଗନ୍ଧ ଖେଳିଯାଉଥିବା ବେଳେ ମେଢ଼ ସମ୍ମୁଖରେ ଶୁଭୁଥିଲା ବିଭିନ୍ନ ପାରମ୍ପରିକ ବାଦ୍ୟର କୋଳାହଳ। ଘଣ୍ଟଘଣ୍ଟା, ଶଙ୍ଖ, ଢୋଲ, ମର୍ଦ୍ଦଳ, ମହୁରୀ ସାଙ୍ଗକୁ ଆଧୁନିକ ଡିଜେ ଶବ୍ଦରେ କମ୍ପୁଥିଲା ପରିବେଶ। କମିଟି ସଦସ୍ୟମାନଙ୍କ ସହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏକାଠି ହୋଇ ମା’ଙ୍କୁ ଶୋଭାଯାତ୍ରାରେ ନେଇ ନଦୀପଠା ଅଭିମୁଖେ ବାହାରିଥିଲେ।

ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ପକ୍ଷରୁ ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ ସମ୍ମୁଖରେ ଭସାଣି ଉତ୍ସବ ପାଇଁ ମେଢ଼ ସବୁ ଏକାଠି ହୋଇଥିଲେ। ପ୍ରତିବର୍ଷ ୧୮ ମ‌େଢ଼ ଏକାଠି ହୋଇ ଏଠାରୁ ଶୋଭାଯାତ୍ରାରେ ବାହାରିଥାଆନ୍ତି। କିନ୍ତୁ ଚଳିତ ବର୍ଷ ତୁହାକୁ ତୁହା ବର୍ଷା ହେବାରୁ କିଛି ମେଢ଼ ଭିନ୍ନ ରାସ୍ତାରେ ବିସର୍ଜନ ଶୋଭାଯାତ୍ରା କରି କୁଆଖାଇ ନଦୀପଠାକୁ ଯାଇଥିଲେ। ତେବେ ଝାଡ଼େଶ୍ବରୀ ଦୁର୍ଗାପୂଜା କମିଟି, ନୂଆସାହି ମହାବୀର ପୂଜା କମିଟି, ସାଲିଆସାହି ଆଞ୍ଚଳିକ ଦୁର୍ଗାପୂଜା କମିଟି, ଡୁମୁଡୁମା, ଗଣ୍ଡମୁଣ୍ଡା ସାର୍ବଜନୀନ ଦୁର୍ଗୋତ୍ସବ ସମିତି ଭଳି ଏକାଧିକ ମେଢ଼ ଏକାଠି ହୋଇ ଏଠାରୁ ଭସାଣିରେ ବାହାରିଥିଲେ। ସେମାନେ ନୂଆପଲ୍ଲୀରୁ ବାହାରି ସିଆର୍‌ପି ଛକ, ଡିଏଭି ସ୍କୁଲ୍‌ ଛକ, ଓୟୁଏଟି ଛକ, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ଦେଇ କୁଆଖାଇ ନଦୀ ପଠାରେ ନିର୍ମିତ ଦେବୀଗଡ଼ାକୁ ଯାଇଥିଲେ। ବିଭିନ୍ନ କମିଟିର ଭିନ୍ନ ଭିନ୍ନ ବାଜା ସାଙ୍ଗକୁ ବାଘ ନାଚ ଓ ଘୋଡ଼ା ନ‌ାଚ ବେଶ୍ ଆକର୍ଷଣୀୟ ହୋଇଥିଲା।

ସହିଦନଗରରୁ ୨୨ ମେଢ଼ର ଶୋଭାଯାତ୍ରା

ଭୁବନେଶ୍ବର : ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ସହିଦନଗରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୨ ମେଢ଼ ମେଢ଼ ସାମିଲ୍‌ ହୋଇଥିଲେ। ବାଣୀବିହାରରୁ ରାଜମହଲ ଦେଇ କୁଆଖାଇ ନଦୀପଠାକୁ ଯାଇଥିବା ବିଶାଳ ଶୋଭାଯାତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀକୁ ହୁଲୁସ୍ତୁଲ୍‌ କରିଥିଲା।

ଆଧୁନିକ ଡିଜେ ସାଙ୍ଗକୁ ବ୍ୟାଣ୍ଡ ପାର୍ଟି ବାଜା ଯେତିକି କୋଳାହଳ କରୁଥିଲା, ପାରମ୍ପରିକ ଢୋଲ, ଦୁଲୁଦୁଲି ଯୋଡ଼ି ଶଙ୍ଖ, ଅନୁଗୁଳିଆ ବାଜା ଆଜି ରାଜଧାନୀବାସୀଙ୍କ ମନ କିଣି ନେଇଥିଲା। ଏସବୁ ସାଙ୍ଗକୁ ଘୋଡ଼ାନାଚ, କାଳିସୀ ନୃତ୍ୟ, ଆଦିବାସୀ ନୃତ୍ୟ, ବୁଢ଼ାବୁଢ଼ୀ ନାଚ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା। ଭୁବନେଶ୍ବର ଭସାଣି ଉତ୍ସବ କମିଟି ଓ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ବିଭିନ୍ନ ସ୍ଥାନରୁ ଆସିଥିବା ମେଢ଼କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମା’ଙ୍କୁ ମାଟିହାଣ୍ଡିରେ ମିଠେଇ ଭୋଗ ପରସାଯାଇଥିଲା। ଏହି ଉତ୍ସବରେ ପ୍ରଥମେ ଚକେଇସିଆଣୀ ମେଢ଼ ପହଞ୍ଚିବା ପରେ ବାଣୀବିହାର ଟ୍ରାଫିକ୍‌ ଛକ, ୟୁନିଟ୍‌-୯ ମହାବୀର ପୂଜା କମିଟି ମେଢ଼, କେସୁରା, ସତ୍ୟନଗର, ପୁରୁଣା ଷ୍ଟେସନ ବଜାର, ୟୁନିଟ୍‌-୯ ପୂଜା କମିଟି, ପଳାସୁଣୀ, ଭିଏସ୍‌ଏସ୍‌ ନଗର, ସତ୍ୟନଗର, ବାଙ୍କୁଆଳ, ବମିଖାଲ, ୟୁନିଟ୍‌-୧ ମହାଦେବ ପୂଜାକମିଟି, ଗିରିଦୁର୍ଗା, ଗଡ଼ ନହରକଣ୍ଟା, ଶାସ୍ତ୍ରୀନଗର ମହାବୀର ମେଢ଼, ଲକ୍ଷ୍ମୀସାଗର, କଟକ ରୋଡ୍‌ ବ୍ୟବସାୟୀ ସଂଘ, ଗଜପତିନଗର, ତ୍ରିନାଥ ବଜାର ମେଢ଼ ଆସିଥିଲା। ଶେଷରେ ସହିଦନଗର ମେଢ଼ ଶୋଭାଯାତ୍ରାରେ ବାହାରିଥିଲା।

ଅପରପକ୍ଷେ ରସୁଲଗଡ଼ ମେଢ଼ ଆଜି ମଣ୍ଡପରୁ ବାହାରି ରସୁଲଗଡ଼ ଗାଁ ପରିକ୍ରମା କରିଥିଲା। ମେଢ଼ ସାଙ୍ଗରେ ପାରମ୍ପରିକ ‌ଘୋ‌ଡ଼ାନାଚ, ଘଣ୍ଟୁଆ ଓ ବଲାଙ୍ଗୀର ଲୋକନୃତ୍ୟ ସାଙ୍ଗକୁ ଆଧୁନିକ ଡିଜେର ସମାରୋହ ବେଶ୍ ଆକର୍ଷଣୀୟ ଥିଲା। ସେହିଭଳି ଝାରପଡ଼ା ପୂଜା ସମିତି ପକ୍ଷରୁ ମେଢ଼ ଗଣେଷ ମଣ୍ଡପ ଦେଇ ଝାରପଡ଼ା ଗାଁ ଭିତରେ ବୁଲିଥିଲା। ଏହା ପରେ ପୁରୀ ବାଇପାସ୍‌ ଦେଇ ମା’ଙ୍କ ପଟୁଆର କୁଆଖାଇ ନଦୀ ପଠ‌ା‌ରେ ପହଞ୍ଚିଥିଲା। ଡିଜେ ସହ ସମ୍ବଲପୁରୀ ବାଜା, ଘୋଡ଼ା ନାଚ ଆଦି ‌ଲୋକମାନଙ୍କ ମନ ମୋହିଥିଲା।

ସମ୍ବନ୍ଧିତ ଖବର