ଭୁବନେଶ୍ବର : ଏଥର ଭସାଣି ଉତ୍ସବରେ ଦୁଲୁକାଇବେ ୨୦ ହଜାର କଳାକାର

ଭୁବନେଶ୍ବର : ଏଥର ଭସାଣି ଉତ୍ସବରେ ରଙ୍ଗ ଭରି‌ବେ ପାରମ୍ପରିକ କଳାକାର। ବଡ଼ ପୂଜା ମଣ୍ଡପଗୁଡ଼ିକ ତାଙ୍କ ଭସାଣି ଶୋଭାଯାତ୍ରାରେ ୨ଶହରୁ ଅଧିକ କଳାକାରଙ୍କୁ ସାମିଲ୍‌ କରିବା ନେଇ ସୂଚନା ଦେଇସାରିଛନ୍ତି। ହିସାବ ମୁତାବକ ୯ ତାରିଖରେ କେବଳ ରାଜଧାନୀର ଭସାଣି ଯାତ୍ରା ଶୋଭାଯାତ୍ରାରେ ସାମିଲ୍‌‌ ହେବେ ୨୦ହଜାର ପାରମ୍ପରିକ କଳାକାର। ବିଶେଷକରି ସମ୍ବଲପୁର, ମୟୂରଭଂଜ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ବ୍ରହ୍ମପୁରର, ବୌଦ୍ଧରୁ ନୃତ୍ୟ ଓ ବାଦ୍ୟଦଳ ଯୋଗ‌େଦବାର କାର୍ଯ୍ୟକ୍ରମ ରହିିଛି।

ସବୁଠୁ ଆକର୍ଷଣ ସାଜିବ ବଡ଼ଗଡ଼ର ନେତାଜୀ ଯୁବକ ସଂଘର ଭସାଣି ଯାତ୍ରା। ୬୦୦ ପାରମ୍ପରିକ କଳାକାର ଏହି ବୃହତ୍‌ ଭସାଣି ଯାତ୍ରାରେ ସାମିଲ୍‌ ହେବେ। ଦିନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଲୁକିବ ବଡ଼ଗଡ଼ ଗାଁରୁ ବଡ଼ଗଡ଼ ବ୍ରିଟ୍‌ ‌କଲୋନି। ସମ୍ବଲପୁରୀ, ଭାଙ୍ଗଡ଼ା, ପଞ୍ଜାବୀ, ଶିଙ୍ଘ ବାଜା, ଘଣ୍ଟ, ଶଙ୍ଖ, ଜାଗା ଆଖଡ଼ା, ଢୋଲ, ଘୋଡ଼ା, ଷଣ୍ଢ, ସଖୀ, ଦଶାବତାର, ଘୋଡ଼ା, ଓଟ, ପୁଟଳି ବାଜା, ସାନ୍ତାଳ ବାଜା, ନାଗା ନାଚ, ସାନ୍ତାଳ ନୃତ୍ୟ, ମୟୂର ନାଚ, ଶ୍ରୀକାକୁଲମ ବ୍ୟାଣ୍ଡ୍‌ ପାର୍ଟିର ବିରାଟ ପଟୁଆର ମଧ୍ୟରେ ହର ପାର୍ବତୀଙ୍କୁ ମେଲାଣି ଦିଆଯିବ। ସେହିପରି ସହିଦନଗର, ନୂଆପଲ୍ଲୀ, ପୁରୁଣା ଷ୍ଟେସନ୍‌ ବଜାର, ବରମୁଣ୍ଡା, ବମିଖାଲ, ଝାରପଡ଼ା ଭସାଣି ଶୋଭାଯାତ୍ରାରେ ୨ଶହରୁ ଅଧିକ ଲେଖାଏ ପାରମ୍ପରିକ କଳାକାର ସାମିଲ୍‌ ହେବେ। ଏହା ବ୍ୟତୀତ ଅନ୍ୟ ପୂଜା ମଣ୍ଡପରେ ୫୦ରୁ ୧୦୦ ପାରମ୍ପରିକ କଳାକାର ନୃତ୍ୟ ଓ ବାଦ୍ୟରେ ମା’ଙ୍କୁ ମେଲାଣି ଦେବେ।

୪ ସ୍ଥାନରେ ମିଳିତ ଭସାଣି

ରାଜଧାନୀରେ ୪ଟି ସ୍ଥାନରେ ମିଳିତ ଭସାଣି କାର୍ଯ୍ୟକ୍ରମ ରହିଛି। ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ୨୦ ମେଢ଼ ସମବେତ ହେବା ପରେ ସେଠାରେ ମିଳିତ ଦର୍ଶନ ଦେବେ। ସେଠାରୁ ମେଢ଼ ଧାଡ଼ିରେ ସିଆର୍‌ପି ଛକ, ଆଠ ନମ୍ବର, ଶିରିପୁର ଛକ ବାଟ ଦେଇ ଗଙ୍ଗନଗରରେ ଯାତ୍ରା ଶେଷ କରିବେ। ସେହିପରି ସହିଦନଗରରେ ମିଳିତ ଭସାଣିରେ ଧାଡ଼ି ଶୋଭାଯାତ୍ରା ଆକର୍ଷଣ ସାଜିବ। ୨୦ଟି ମେଢ଼ ବାଣୀବିହାରରୁ ଶୋଭାଯାତ୍ରା ଆରମ୍ଭ କରି ସହିଦନଗର ଦୁର୍ଗାପୂଜା ମଣ୍ଡପ ସମ୍ମୁଖ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଯିବ। ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କରେ ଧାଡ଼ି ଶୋଭାଯାତ୍ରା ଦେଖିବାକୁ ମିଳିବ। ଲିଙ୍ଗରାଜ ମନ୍ଦିରରୁ ବଢ଼େଇବାଙ୍କ ଦେଇ ୨୫ ମେଢ଼ ଶୋଭଯାତ୍ରାରେ ଯିବେ। ଚନ୍ଦ୍ରଶେଖରପୁର ଥାନା ନିକଟ ଭସାଣି ପଡ଼ିଆରେ ମଧ୍ୟ ମିଳିତ ଭସାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ସମ୍ବନ୍ଧିତ ଖବର