ଖଣ୍ଡଗିରି: ଏଥର ଦୁର୍ଗାପୂଜାରେ ରାଜସ୍ଥାନର ଉମେଦ ଭବନ ନିର୍ମାଣ କରୁଛି ବରମୁଣ୍ଡା ଦୁର୍ଗାପୂଜା କମିଟି। ପଶ୍ଚିମବଙ୍ଗ ମେଦିନିପୁରର ନାମକରା ଶିଳ୍ପୀଙ୍କ ସହ ୩୦ ଜଣ ଅନ୍ୟ କାରିଗର ଦେଢ଼ମାସ ହେବ ତୋରଣ ନିର୍ମାଣରେ ଲାଗିଛନ୍ତି। ବେଣା, ବାଉଁଶ, କାଠ, ଫାଇବର୍‌, ସନ୍‌ପ୍ୟାକ୍‌, ୟୁନିଫୋମ୍‌ ଓ ରଙ୍ଗିନ କାଚ ଇତ୍ୟାଦିରେ ହାରାହାରି ୮୫ ଫୁଟ୍‌ ଉଚ୍ଚ ଓ ୧୨୦ ଫୁଟ୍‌ ଚଉଡ଼ାର ଭବ୍ୟ ତୋରଣ ନିର୍ମାଣ କରାଯାଉଛି। ତୋରଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଲକାତା ଓ ରାଜଧାନୀର ଟେଣ୍ଟ୍‌ସଂସ୍ଥାଙ୍କୁ ଅଣାଯାଉଛି। ୨ଟି ମୁଖ୍ୟ ଫାଟକରେ ବେଣାରେ ପ୍ୟାଲେସ୍‌ର ମୂର୍ତ୍ତି ଓ ଖମ୍ବ ନିର୍ମାଣ ହେବ। ଏହି ପୂଜା ଏଥର ୨୫ ବର୍ଷରେ ପଦାର୍ପଣ କରୁଛି। ବଙ୍ଗୀୟ କାରିଗରମାନେ ୧୬ ଫୁଟ୍ ଉଚ୍ଚତାବିଶିଷ୍ଟ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ିଛନ୍ତି। ପ୍ରତିବର୍ଷ ଦେଶ ବିଦେଶରୁ ରାଜସ୍ଥାନ ଉମେଦ ଭବନକୁ ବୁଲିବାକୁ ଓ ସେଠାରେ ତିଆରି ହୋଇଥିବା ରାଜକୀୟ ହୋଟେଲ୍‌ରେ ରହିବାକୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏଥର ଦୁର୍ଗାପୂଜାରେ ବରମୁଣ୍ଡାରେ ଏହାକୁ ଦେଖିବାକୁ ପ୍ରବଳ ଗହଳି ଜମିବ ବୋଲି ପୂଜା କମିଟିର ଆଶା ରହିଛି।

Advertisment

ତୋରଣକୁ ପରିବେଶ ଅନୁକୂଳ କରିବା ଲକ୍ଷ୍ୟରେ ଏହାକୁ ଜୁଣ କାଠିରେ ନିର୍ମାଣ କରାଯାଉଛି। ମା’ ମସ୍ତକରେ ଚାନ୍ଦି ମୁକୁଟ ଓ ସୁନାର ସିନ୍ଥି ପରିଧାନ କରିବେ, ସହ ପାର୍ଶ୍ବ ଦେବଦେବୀ ମଧ୍ୟ ରୁପାର ଗହଣା ପିନ୍ଧିବେ। ମାତ୍ର ୧ଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିବା ଏହି ପୂଜାର ବଜେଟ୍‌ ଏବେ ୨୫ଲକ୍ଷ ଟଙ୍କାରେ ପହଞ୍ଚିଛି। ପୂଜାକୁ ପଲିଥିନ୍ ମୁକ୍ତ ରଖିବା ସହ ପରିବେଶ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଷଷ୍ଠୀରେ କଳସ ଯାତ୍ରା ହେଉଥିବାବେଳେ ସପ୍ତମୀରେ ମା’ଙ୍କର ପୂଜାବିଧି ସହ ଭଜନ ସମାରୋହ ଅନୁଷ୍ଠିତ ହେବ। ଅଷ୍ଟମୀ ଦିନ ସନ୍ଧିପୂଜା ଓ ବଳି ସହ ସନ୍ଧ୍ୟାରେ କଟକରୁ ଆସିଥିବା ମେଲୋଡ଼ି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ନବମୀରେ ବି ମେଲୋଡ଼ି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଥିବାବେଳେ ଦଶମୀ ଦିନ ୫୫ ଫୁଟ୍ ଉଚ୍ଚତାର ରାବଣ ପୋଡ଼ି ଅନୁଷ୍ଠିତ ହେବ। ଏହି ରାବଣ ପୋଡ଼ି ପୂଜାର ବିଶେଷ ଆକର୍ଷଣ ପାଲଟିବ। ପ୍ରବଳ ଜନସମାଗମକୁ ଲକ୍ଷ୍ୟ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ମୀନା ବଜାର ମଧ୍ୟ ବସିବ। 

ଶୃଙ୍ଖଳା ଦର୍ଶନ ପାଇଁ ୧୦୦ ସହଯୋଗୀ
ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପ୍ରତି ଆମେ ବିଶେଷ ଯତ୍ନବାନ ହେବୁ। ଅସାମାଜିକ ବ୍ୟକ୍ତି ଓ ପକେଟମାରଙ୍କ ଉପରେ ନଜର ରଖିବା ପାଇଁ ୨୦ଟି ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯିବ। ଏହାସହ ଟ୍ରାଫିକ୍ ପରିଚାଳନା ଓ ପୂଜା ମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ଓ ସମସ୍ତେ ୱାକିଟକି ଧରି ସତର୍କ ଦୃଷ୍ଟି ରଖିବେ। ୧୦୦ ସହଯୋଗୀ ସମ୍ପୂର୍ଣ୍ଣ ପଡ଼ିଆର ସୁରକ୍ଷାରେ ରହି‌ବେ।  
-ରାମଚନ୍ଦ୍ର ରଣସିଂହ, ସଭାପତି

ଭକ୍ତଙ୍କ ପାଇଁ ହୋଇଛି ନିଃଶୁଳ୍କ ପ୍ରସାଦସେବନ
ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସନ୍ଧ୍ୟାରେ ହେଉଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ସପ୍ତମୀ ଦିନ ୩ରୁ ୪ହଜାର ଲୋକଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହ ବିନାମୂଲ୍ୟରେ ପ୍ରସାଦସେବନ କରିବେ। ସେହିଭଳି ଧୁମ୍‌ଧାମ୍‌ର ରାବଣ ପୋଡ଼ି କରିବା ପାଇଁ ସମସ୍ତ ପ୍ରକାର ଯୋଜନା ହୋଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ଏହାକୁ ଦେଖିବାଲାଗି ଗହଳି ହେବ। 
-ନରେନ୍ଦ୍ରନାଥ ସାହୁ, ସାଧାରଣ ସମ୍ପାଦକ