ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ଭୁବନେଶ୍ବର କମିସନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ପୂଜା କମିଟିମାନେ ଜୋର୍ଦାର ବିରୋଧ କରିଛନ୍ତି। ଚଳିତବର୍ଷ ଯେଉଁଭଳି ସର୍ତ୍ତ ରଖାଯାଇଛି, ସେମିତି ପୂଜା କରିବା ନିରାଡ଼ମ୍ବର ପୂଜା ପାଳନ ସହ ସମାନ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଭୁବନେଶ୍ବର ଭସାଣି ଉତ୍ସବ ସମିତି ସହ ପୁଲିସର ବୈଠକରେ ସମିତି କାର୍ଯ୍ୟକର୍ତ୍ତାମାନେ ମାର୍ଗଦର୍ଶିକାର ସର୍ତ୍ତାବଳୀକୁ ଦୃଢ଼ ବିରୋଧ କରିଛନ୍ତି। ଡିଜେ ଗାଡ଼ିରେ ଲାଇଟ୍ ବ୍ୟବସ୍ଥା, ଶୋଭାଯାତ୍ରା ପାଇଁ ଅଧିକ ଟ୍ରଲି ଅବା ଗାଡ଼ି, ସାଉଣ୍ଡ୍ ବକ୍ସ ଆଦି ବ୍ୟବହାର କରିବା ଲାଗି ଅନୁମତି ଦେବାକୁ ସମିତି ଦାବି ରଖିଥିଲେ ବି ପୁଲିସ କମିସନର୍ଙ୍କ ସହ ଆଲୋଚନା ପରେ ଯାହା କିଛି କହିପାରିବୁ ବୋଲି ବୈଠକରେ ଉପସ୍ଥିତ ପୁଲିସ ଅଧିକାରୀମାନେ କହିଛନ୍ତି। ଫଳରେ ଆଜିର ବୈଠକ ଏକପ୍ରକାର ଅଧୁରା ରହିଛି ବୋଲି କୁହାଯାଉଛି।
ଆଜି ସହିଦନଗର ପୂଜା ମଣ୍ଡପଠାରେ ଭୁବନେଶ୍ବର ଭସାଣି ଉତ୍ସବ ସମିତି ସହ କମିସନରେଟ୍ ପୁଲିସର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଡିସିପି ହେଡ୍କ୍ବାର୍ଟର କିଶୋର ଚନ୍ଦ୍ର ମୁଣ୍ଡ, ଭୁବନେଶ୍ବର ଏସିପି ବିଶ୍ବରଂଜନ ସେନାପତି, ସହିଦନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି, ଭୁବନେଶ୍ବର ଭସାଣି ଉତ୍ସବ ସମିତି ସଂପାଦକ ହରିଶ ରଥ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ସମିତି ସହ ସହିଦନଗର, ରସୁଲଗଡ଼, ଭୀମଟାଙ୍ଗୀ ଆଦି ଅଞ୍ଚଳର ୨୭ଟି ପୂଜା କମିଟି ସହବନ୍ଧିତ ଥିବାବେଳେ ଆଜିର ବୈଠକରେ ୨୪ଟି ପୂଜା କମିଟିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଦୁର୍ଗାପୂଜା ଆୟୋଜନ ଓ ଭସାଣି ଆୟୋଜନ ଅନୁମତିର ଶେଷ ତାରିଖ ଆସନ୍ତା ୨୦ ତାରିଖ ରହିଛି।
ଭୁବନେଶ୍ବର ଭସାଣି ଉତ୍ସବ ସମିତିରେ ହୋଇପାରିଲାନି ସହମତି
ଡିଜେ ଗାଡ଼ିରେ ଲାଇଟ୍ ବ୍ୟବସ୍ଥା, ଅଧିକ ଟ୍ରଲି ଓ ଗାଡ଼ି, ସାଉଣ୍ଡ୍ ବକ୍ସ ଦାବି
ପୂଜା ଆୟୋଜନର ୭ ଦିନ ପୂର୍ବରୁ ଅନୁମତି ଦେବାକୁ ଭୁବନେଶ୍ବର କମିସନରେଟ୍ ପୁଲିସ କହିଛି। ଜାରି ମାର୍ଗଦର୍ଶିକାରେ କମିସନରେଟ୍ ପୁଲିସ କହିଛି ଯେ ପୂଜା ଆୟୋଜନ ପାଇଁ ବିଦ୍ୟୁତ୍ ବିଭାଗ, ପୂର୍ତ୍ତ ବିଭାଗ ପକ୍ଷରୁ ଏନ୍ଓସି ବାଧ୍ୟତାମୂଳକ। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ବାଧ୍ୟତାମୂଳକ। କେହି ବାଣ ଫୁଟାଇ ପାରିବେନି କି ଦାହ୍ୟ ପଦାର୍ଥ ରଖିପାରିବେନି। ପୂଜା କମିଟିମାନେ ଫ୍ଲାସ୍, ଫୋକସ୍, ଶାର୍ପି, ବିକନ୍, ଲେଜର୍ ବିମ୍ ଲାଇଟ୍ ମଧ୍ୟ ପୂଜା ମଣ୍ଡପରେ କି ଭସାଣିରେ ବ୍ୟବହାର କରି ପାରିବେନି। ଶାନ୍ତିଶୃଙ୍ଖଳା ପାଇଁ ସ୍ବେଚ୍ଛାସେବୀ ନିୟୋଜନ କରିବା ପାଇଁ କୁହାଯାଇଛି। ଭଜନ କାର୍ଯ୍ୟକ୍ରମରେ ୪ଟି ସାଉଣ୍ଡ୍ ବକ୍ସ ଲଗାଇପାରିବେ। ରାତି ୧୦ଟା, ଅତିବେଶିରେ ରାତି ୧୨ଟା ପର୍ଯ୍ୟନ୍ତ ଏସବୁ ଲାଗି ପାରିବ। ପୂଜା ମଣ୍ଡପ ନିକଟରେ ପାର୍କିଂର ପର୍ଯ୍ୟାପ୍ତ ବ୍ୟବସ୍ଥା ହେବ। ୬୫ ଡେସିବିଲ୍ରୁ ଅଧିକ ଶଦ୍ଦ ସୃଷ୍ଟିକାରୀ କୌଣସି ଡିଜେ ବ୍ୟବହାର କରିପାରିବେନି।
ଭସାଣି ବେଳେ ଗୋଟିଏ ବ୍ୟାଣ୍ଡ୍ ପାର୍ଟିକୁ ଅନୁମତି ମିଳିବ। ୩ଟି ସାଉଣ୍ଡ ବକ୍ସ, ବ୍ୟାଣ୍ଡ ପାର୍ଟି ଆସବାବ ପାଇଁ ୫ଟି ପ୍ୟାଡଲ୍ ଟ୍ରଲି ଅବା ଏକ ହାଲୁକା ଯାନ ନେଇପାରିବେ। ଏଭଳି ୪୮ଟି ସର୍ତ୍ତ ପୂଜା କମିଟିର ପୂଜା ଆୟୋଜନ ଓ ଭସାଣି ପାଇଁ ରଖାଯାଇଛି। କିନ୍ତୁ ୩ଟି ସର୍ତ୍ତାବଳୀକୁ କମିଟି ଦୃଢ଼ ବିରୋଧ କରିଛନ୍ତି। ଭୁବନେଶ୍ବର ଭସାଣି ଉତ୍ସବ ସମିତି ସଦସ୍ୟମାନେ କହିଛନ୍ତି, ‘ଆମେ ଡିଜେ ନେବୁନି, କିନ୍ତୁ ଡିଜେ ଗାଡ଼ି ବିନା ଲାଇଟ୍ ବ୍ୟବସ୍ଥା ଅନ୍ୟ କୌଣସିଥିରେ ନାହିଁ। ଡିଜେ ବଜାଇବୁନି, କିନ୍ତୁ ଡିଜେ ଗାଡ଼ି ଲାଇଟ୍ ଲଗାଇବାକୁ ଅନୁମତି ମିଳୁ।’ ଭୁବନେଶ୍ବର ଭସାଣି ଉତ୍ସବ ସମିତି ସଂପାଦକ ହରିଶ ରଥ କହିଛନ୍ତି, ‘ଆମେ ସବୁ ସର୍ତ୍ତାବଳୀକୁ ମାନୁଛୁ। କିନ୍ତୁ ଡିଜେ ଗାଡ଼ିରେ ଲାଇଟ୍ ନେଇ ପାରିବୁ କି ନାହିଁ, ପୁଲିସ ସ୍ପଷ୍ଟ କରୁ। ସେହିଭଳି ୫ଟି ପ୍ୟାଡଲ୍ ଟ୍ରଲି ଅବା ଏକ ହାଲୁକା ଯାନ ବ୍ୟାଣ୍ଡ ପାର୍ଟି ଜିନିଷ ନେବା ସମ୍ଭବ ନୁହେଁ। ପୁଲିସ ସ୍ପଷ୍ଟ କରୁ କି ଏହି ଗାଡ଼ିରେ ଆମେ କ’ଣ କ’ଣ ନେବୁ। କାରଣ ଜେନେରେଟର୍ , ସାଉଣ୍ଡ୍ ବକ୍ସ, ବାଜା ଓ ଅନ୍ୟାନ୍ୟ ଜିନିଷ ନେବାକୁ ପଡ଼ିବ। ସେପଟେ ଆମକୁ ୩ଟି ସାଉଣ୍ଡ୍ ବକ୍ସ ନେବାକୁ କୁହାଯାଇଛି। ଫ୍ଲାସ୍, ଫୋକସ୍, ଶାର୍ପି, ବିକନ୍, ଲେଜର୍ ବିମ୍ ଲାଇଟ୍ ଲଗାଇବା ଦିଗରେ ବି ପୁଲିସ ସ୍ପଷ୍ଟୀକରଣ ରଖୁ।’ ଶ୍ରୀ ରଥ ଆହୁରି କହିଛନ୍ତି, ‘ଆମେ ପୁଲିସ ପାଖରେ ଆମର ସମସ୍ୟା ଉପସ୍ଥାପନ କରିଛୁ।’ ପୁଲିସ ଶନିବାର ସୁଦ୍ଧା ଏହା ସ୍ପଷ୍ଟ କରିବେ ବୋଲି କହିଛନ୍ତି।