ମାୟା ଲଗେଇଛି ମା’ : ରାଜଧାନୀରେ ୧୪ କୋଟିର ପୂଜା

ଭୁବନେଶ୍ବର : ପାର୍ବଣ ମୁଖର କରିଛି ଶରତର ଆଲିଙ୍ଗନ। ବୈଦିକ ମନ୍ତ୍ରରେ ଉଛୁଳୁଛି ପଲ୍ଲୀରୁ ନଗର। ସଂଜ ନଇଁଲେ ରଙ୍ଗ ମାଖୁଛି ରଙ୍ଗିନ ଆଲୁଅ। ଐତିହ୍ୟ ଗାଥା ବଖାଣୁଛି ସୁଦୃଶ୍ୟ ତୋରଣ। ପୂଜା ମଣ୍ଡପକୁ ମୁହାଁଇଛି ସବୁ ପାଦ। ‌ଏଇ କେଇଦିନ ହେଲା ମାୟା ଲଗେଇଛି ମା’।

ପୂଜାରେ ଚମକ ଭରିବା ପାଇଁ ପାଣି ଭଳି ଟଙ୍କା ବୁହାଉଛନ୍ତି ପୂଜା କମିଟି। ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ କମିନି ପୂଜା ମଣ୍ଡପର ଆକର୍ଷଣ। କୋଉଠି ମା’ଙ୍କ ପାଇଁ ସୁନା ମୁକୁଟ ପ୍ରସ୍ତୁତ ହୋଇଛି ତ କୋଉଠି ଚାନ୍ଦି ମେଢ଼ ଯୋଡ଼ି ହୋଇଛି। ଚଳିତ ବର୍ଷ ରାଜଧାନୀ ଓ ଉପକଣ୍ଠରେ ୧୭୧ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖର୍ଚ ହୋଇଛି ୧୪କୋଟି ଟଙ୍କା। ମୁଖ୍ୟ ଆକର୍ଷଣ ସାଜୁଥିବା ୭ଟି ପ୍ରମୁଖ ପୂଜା ମଣ୍ଡପ କେବଳ ୩ କୋଟି ଟଙ୍କା ଖର୍ଚ କରିଛନ୍ତି। ସହିଦନଗର ପୂଜା ସମିତି ୩୦ ଲକ୍ଷ, ବମିଖାଲ ୩୫ ଲକ୍ଷ, ରସୁଲଗଡ଼ ୨୫ ଲକ୍ଷ, ଝାରପଡ଼ା ୩୦ ଲକ୍ଷ, ଷ୍ଟେସନ୍‌ ବଜାର ୩୫ ଲକ୍ଷ, ବରମୁଣ୍ଡା ୨୫ଲକ୍ଷ ଟଙ୍କା ଖର୍ଚ କରିଥିବା ବେଳେ ତୋରଣରେ ସିଂହଭାଗ ବଜେଟ୍‌ ଖର୍ଚ ହୋଇଛି। ଷ୍ଟେସନ୍‌ ବଜାର କେବଳ ତୋରଣ ଓ ଅନ୍ୟ ସାଜସଜା ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ କରିଥିବା ବେଳେ ବମିଖାଲ ୧୮ଲକ୍ଷ, ଝାରପଡ଼ା ୧୫ ଲକ୍ଷ, ରସୁଲଗଡ଼ ୧୫ଲକ୍ଷ, ବରମୁଣ୍ଡା ୧୫ ଲକ୍ଷ, ସହିଦନଗର ୧୫ଲକ୍ଷ ଟଙ୍କା ଖର୍ଚ କରିଛନ୍ତି।

୫୦ରୁ ଅଧିକ ପୂଜା କମିଟି ୧୦ଲକ୍ଷ ଲେଖାଏ ହାରାହାରି ବଜେଟ୍‌ରେ ପୂଜା କରିଛନ୍ତି। ପ୍ରାୟ ୧୨୦ ପୂଜା କମିଟି ପକ୍ଷରୁ ହାରାହାରି ୫ଲକ୍ଷ ଟଙ୍କା ଖର୍ଚ ହୋଇଛି। ସବୁ ପୂଜା ମଣ୍ଡପ ତୋରଣକୁ ଅଗ୍ରାଧିକାର ଭିତ୍ତିରେ ଅଧା ଖର୍ଚ ତୋରଣରେ ବ୍ୟୟ କରିଛନ୍ତି। ଏଥର ସହିଦନଗର ମା’ଙ୍କୁ ସୁନା ମୁକୁଟ ପିନ୍ଧାଇଛି। ପୁଣି ରାଜଧାନୀରେ ଆଉ ଏକ ଚାନ୍ଦି ମେଢ଼ ଯୋଡ଼ି ହେବା ପରେ ୪ଟି ପୂଜା ମଣ୍ଡପ ଚାନ୍ଦି ମେଢ଼ ଭେଟି ଦେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛନ୍ତି।

ତୋରଣ ଓ ସାଜସଜା ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଇ ଖର୍ଚ କରିଛନ୍ତି ପୂଜା କମିଟି। ବଡ଼ ପୂଜା କମିଟି ଚଳିତ ବର୍ଷ ବଲିଉଡ୍‌ ଶିଳ୍ପୀମାନଙ୍କୁ ଆଣିନଥିଲେ ମଧ୍ୟ ପାଖାପାଖି ୫ଲକ୍ଷ ଟଙ୍କା ଲେଖାଏ ଖର୍ଚ୍ଚ କରିଛନ୍ତି। ୧୦୦ରୁ ଅଧିକ ପୂଜା କମିଟି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇଛନ୍ତି। ଅଧିକାଂଶ ସ୍ଥାନରେ ମେଲୋଡି ହିଁ ସାଜିଛି ପ୍ରମୁଖ ଆକର୍ଷଣ। ମେଲୋଡି ସହ ଭଜନ ସମାରୋହ, ରାମଲୀଳା, ଜଗ୍‌ଲର ସୋ’, ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ରାତି ଅଧରେ ଦେବୀ ଦର୍ଶନ

ଦିନରେ ଅସହ୍ୟ ଖରା, ଅପରାହ୍‌ଣ ଓ ସନ୍ଧ୍ୟାରେ ଝିପିଝିପି ବର୍ଷା ଯୋଗୁଁ ଘରୁ ବାହାରିନଥିବା ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତିରେ ଦେବୀଙ୍କୁ ଦର୍ଶନ ପାଇଁ ବାହାରିଥିଲେ। ଦିନବେଳା ଓ ସନ୍ଧ୍ୟାରେ ଟ୍ରାଫିକ୍‌ ଜାମ୍‌ ଥିବାରୁ ସ୍ଥାନୀୟ ଲୋକେ ବିଳମ୍ବିତ ରାତିରେ ବୁଲାବୁଲି କରିଥିଲେ। ଟ୍ରାଫିକ୍‌ ସମସ୍ୟାରୁ ମୁକ୍ତି ଏବଂ ଦେବୀ ଦର୍ଶନ ବେଳେ ଗହଳିରୁ ମୁକ୍ତି ପାଇବା ପାଇଁ ବିଳମ୍ବିତ ରାତି ଯାଏ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଲୋକଙ୍କ ସମାଗମ ଯୋଗୁଁ ମୀନାବଜାର ଓ ଚଟ୍‌ପଟି ଖାଦ୍ୟର ପସରା ମଧ୍ୟ ରାତି ଅଧ ପର୍ଯ୍ୟନ୍ତ ଖୋଲା ରହିଥିଲା।

ସମ୍ବନ୍ଧିତ ଖବର