ବିରାଜିଲେ ମହାମାୟା

ଭୁବନେଶ୍ବର : ବିଲ୍ବବରଣି ସରିଛି। ଠାକୁରାଣୀଙ୍କୁ ନିମନ୍ତ୍ରଣ ହୋଇସାରିଛି। ଦୃଶ୍ୟ ତୋରଣ ଦେଖିବାକୁ ବ୍ୟାକୁଳ ଥିବା ପ୍ରତୀକ୍ଷିତ ମନ ତୋଷ ହୋଇଛି। ରାତି ପାହିଲେ ଧରାବତରଣ କରିବେ ମା’ ଦୁର୍ଗତିନାଶିନୀ। ଜମିବ ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ। ଆଖି ପାଉନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ଉଲ୍ଲସିତ ହେବ ତନ ଓ ମନ। ଏନେଇ ପୂଜା ମଣ୍ଡପ ପ୍ରସ୍ତୁତିରେ ମୁଣ୍ଡି ମରା ସରିଛି। ମା’ଙ୍କ ମୃଣ୍ମୟ ମୂର୍ତିରେ ଶିଳ୍ପୀର ଶେଷ ସ୍ପର୍ଶ ବାଜିଛି। ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି। ସମଗ୍ର ରାଜଧାନୀରେ ଏଥର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସ୍ବତନ୍ତ୍ରତା ଦୃଷ୍ଟିରୁ କିଛି ପ୍ରମୁଖ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

ଅଜନ୍ତା-ଏଲୋରାରୁ ଲକ୍ଷ୍ନୌ ରାଜପ୍ରାସାଦ
ବଙ୍ଗଳା କାରିଗରୀର ଚମକରେ ଚମକୁଛି ତୋରଣ। କିଛି ପ୍ରମୁଖ ପୂଜା ମଣ୍ଡପ ସ୍ବତନ୍ତ୍ର ଥିମ୍‌ ନେଇ ତୋରଣ ପ୍ରସ୍ତୁତ କରିଥିବା ବେଳେ ଦେଖଣାହାରୀଙ୍କ ‌ଆଖି ଖୋସି ଦେଉଛି। ୬୪ ବର୍ଷରେ ପଦାର୍ପଣ କରିଥିବା ଷ୍ଟେସନ୍‌ ବଜାର ତୋରଣରେ ଏଥର ଅଜନ୍ତା-ଏଲୋରାର ଝଲକ ଭେଟି ଦେଇଥିବା ବେଳେ ପୂଜା ପେଣ୍ଡାଲ୍‌ ଭିତରେ ଆଦିମ ମାନବର ପୂଜାର୍ଚନାଠୁ ନେଇ ଆଜିର ଆଡ଼ମ୍ବରପୂର୍ଣ୍ଣ ପୂଜା ଆୟୋଜନର କ୍ରମ ପରିବର୍ତନ ଦେଖିବାକୁ ମିଳିଛି। ତୋରଣ ପ୍ରସ୍ତୁତି ପାଇଁ କେବଳ ୨୧ଲକ୍ଷ ଟଙ୍କା ଖର୍ଚ ହୋଇଛି। ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ପ୍ୟାରିସ୍ ସହରର ‘ଡିଜ୍‌ନି ଲ୍ୟାଣ୍ଡ୍‌ ପାର୍କ’ ଆକର୍ଷଣ ସାଜିବ। ବରମୁଣ୍ଡା ଖେଳ ପଡ଼ିଆରେ ୧୫ଲକ୍ଷ ଟଙ୍କାରେ ନିର୍ମିତ ଗୁଜୁରାଟର ଅକ୍ଷରଧାମ ଦେଖିବାକୁ ମିଳିବ। ଫୁଲ ଓ ଆଲୁଅମାଳାରେ ଆଖିଖୋସା ଅନୁଭବ ଦେବ ରସୁଲଗଡ଼ରେ ପାଖାପାଖି ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କାଳ୍ପନିକ ତୋରଣ। ଉତ୍ତରପ୍ରଦେଶର ଲକ୍ଷ୍ନୌ ରାଜପ୍ରାସାଦର ଅନୁଭବ ଦେବ ସହିଦନଗର ପୂଜା ସମିତି ପକ୍ଷରୁ ୧୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୁଦୃଶ୍ୟ ତୋରଣ। ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଚର୍ଚ୍ଚାରେ ଥିବା ବେଳେ ବମିଖାଲ ଦୁର୍ଗାପୂଜା ସମିତି ଭେଟି ଦେଇଛି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜମ୍ମୁ କଶ୍ମୀର ପ୍ୟାଲେସ୍‌। ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ନିର୍ମିତ ତୋରଣରେ ଝଟକିଛି ଗୁଜୁରାଟର ‘ପଦ୍ମାବତୀ ପ୍ୟାଲେସ୍‌’।

ମା’ ପିନ୍ଧିବେ ସୁନା ମୁକୁଟ, ୪ ଚାନ୍ଦି ମେଢ଼
ଚଳିତ ବର୍ଷ ମା’ଙ୍କ ସାଜସଜାରେ ଯୋଡ଼ି ହୋଇଛି ସୁନା ମୁକୁଟ। ସହିଦନଗର ଦୁର୍ଗାପୂଜା ଚଳିତ ବର୍ଷ ମା’ଙ୍କ ପାଇଁ ଅଢ଼େଇ କେଜି ଓଜନ ବିଶିଷ୍ଟ ଏହି ସ୍ବତନ୍ତ୍ର ମୁକୁଟ ପ୍ରସ୍ତୁତ କରିଛି। ‘ଖିମ୍‌ଜି’ ଜୁଏଲାରିରେ ଏହା ୭ଜଣ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି। ତେଣୁ ଚାନ୍ଦି ମେଢ଼ ସହ ସୁନା ମୁକୁଟରେ ଏଥର ମା’ଙ୍କୁ ଭକ୍ତ ଦର୍ଶନ କରିବେ। ଏଥିସହ ଚଳିତ ବର୍ଷ ରାଜଧାନୀରେ ହେଉଥିବା ପୂଜାରେ ଯୋଡ଼ି ହୋଇଛି ଆଉ ଏକ ଚାନ୍ଦି ମେଢ଼। ପୁରୁଣା ଭୁବନେଶ୍ବର ବ୍ରାହ୍ମଣ ନିଯୋଗ ସମିତି ପକ୍ଷରୁ ଆୟୋଜିତ ପୂଜାରେ ଏଥର ମା’ଙ୍କୁ ଚାନ୍ଦି ମେଢ଼ ଉପରେ ଦର୍ଶନ ଲାଭର ସୁଯୋଗ ମିଳିବ। ପୁରୁଣା ଷ୍ଟେସନ୍‌ ବଜାରରେ ମା’ ଦୁର୍ଗାଙ୍କ ପଛ ପାର୍ଶ୍ବରେ ୨ କୁଇଣ୍ଟାଲ୍‌ରୁ ଅଧିକ ଓଜନ ବିଶିଷ୍ଟ ୧୫ ଫୁଟର ଚାନ୍ଦି ମେଢ଼ ସାଙ୍ଗକୁ ୭୫୦ଗ୍ରାମ ସୁନା ଅଳଙ୍କାରରେ ମା’ ସଜେଇ ହେବେ। ସେହିଭଳି ସାମନ୍ତରାପୁରରେ ମଧ୍ୟ ଚାନ୍ଦି ମେଢ଼ ଶୋଭା ପାଇବ।

ରାମଲୀଳାରୁ ମାତା କି ଜାଗରଣ
ପରମ୍ପରାକୁ ଗୁରୁତ୍ବ ପୂର୍ବକ ଷଷ୍ଠୀରୁ ୧୦ମୀ ପର୍ଯ୍ୟନ୍ତ ନୂଆପଲ୍ଲୀ କସ୍ତୁରବା ପଡ଼ିଆରେ ଦୁର୍ଗାପୂଜା ଅବସରରେ ରାମଲୀଳା ମଂଚସ୍ଥ ହେବ। ୪ଟି ଦଳ ରାତିତମାମ ରାମ କଥାରେ ବିଭୋର ହେବାର ସୁଯୋଗ ଦେବେ। ମା’ଙ୍କ ସମ୍ମୁଖରେ ଭକ୍ତିଗୀତରେ ବିଭୋର ହେବାର ସୁଯୋଗ ଆଣିବ ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ମାତା କି ଜାଗରଣ’ କାର୍ଯ୍ୟକ୍ରମ। ବରମୁଣ୍ଡା ପଡ଼ିଆରେ ପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହ ପ୍ରାୟ ସମସ୍ତ ପୂଜା କମିଟି ‌ତାରକା କଣ୍ଠଶିଳ୍ପୀଙ୍କୁ ନେଇ ସଂଗୀତ ଏବଂ ମେଲୋଡ଼ି କାର୍ଯ୍ୟକ୍ରମ ଭେଟି ଦେବେ।

୫ ସ୍ଥାନରେ ରାବଣ ‌ପୋଡ଼ି
ଚଳିତବର୍ଷ ୫ଟି ପୂଜା ମଣ୍ଡପ ନିକଟରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ତେବେ ବାଣ ପରିବର୍ତେ ଅଗ୍ନି ସଂଯୋଗ କରି ରାବଣ କଳାକୃତିକୁ ଦହନ କରାଯିବାର ବ୍ୟବସ୍ଥା ହୋଇଛି। ନୂଆପଲ୍ଲୀ, ବରମୁଣ୍ଡା, ଝାରପଡ଼ା, ଫୁଲନଖରା ଓ ଗଙ୍ଗନଗରରେ ଦଶହରା ଦିନ ରାବଣ‌ ପୋଡ଼ି ଦେଖିବାର ସୁଯୋଗ ମିଳିବ। କମିସନରେଟ୍‌ ପୁଲିସ ନିର୍ଦେଶ ମୁତାବକ ଏଥର କୌଣସି ସ୍ଥାନରେ ବ୍ୟାପକ ବାଣଫୁଟାର କାର୍ଯ୍ୟକ୍ରମ ନାହିଁ।

ଜମିଲାଣି ଦାଣ୍ଡିଆ
ଶାରଦୀୟ ପାର୍ବଣରେ ରଙ୍ଗ ମାଖିଲାଣି ନବରାତ୍ର ଦାଣ୍ଡିଆ। ଏଥିପାଇଁ ପଞ୍ଚତାରକା ହୋଟେଲ୍‌ରୁ ନେଇ ଜନତା ମୈଦାନ ପର୍ଯ୍ୟନ୍ତ ଦାଣ୍ଡିଆରେ ଝୁମିବାର ଅବକାଶ ଜୁଟିଛି। ମେ’ ଫେୟାରରେ ୨୯ ତାରିଖରୁ ଆରମ୍ଭ ହୋଇଥିବା ଦାଣ୍ଡିଆ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତିଦିନ ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏ ଦାଣ୍ଡିଆ ନୃତ୍ୟରେ ଝୁମିବାର ଅବକାଶ ମିଳୁଛି। ଏଥିସହ ପ୍ରୟାସ ପକ୍ଷରୁ ଆଜିଠୁ ଦାଣ୍ଡିଆ ମହୋତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ଓଟିଡିସି ଆସନ୍ତାକାଲିଠୁ ଦାଣ୍ଡିଆ ନୃତ୍ୟରେ ବିଭୋର ହେବାର ଅବସର ଦେବ। ଜନତା ମୈଦାନରେ ମଧ୍ୟ ଦାଣ୍ଡିଆ ନୃତ୍ୟରେ ବିଭୋର ହେବାର ସୁଯୋଗ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର