ପୁରୁଣା ଭୁବନେଶ୍ବର: ଆସନ୍ତାକାଲି ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ବବରଣ। ସେଥିପାଇଁ ଚଳଚଞ୍ଚଳ ଏବେ ପୁରୁଣା ଭୁବନେଶ୍ବର। ବିଭିନ୍ନ ପୂଜା କମିଟି ପକ୍ଷରୁ ଚାଲିଛି ଜୋର୍ଦାର ପ୍ରସ୍ତୁତି । ଭିନ୍ନ ଭିନ୍ନ ଶୈଳୀରେ ମଣ୍ଡପକୁ ସଜାଇବାରେ ସମସ୍ତେ ଏବେ ବ୍ୟସ୍ତ । ତା’ ସାଙ୍ଗକୁ ମୂର୍ତ୍ତିଗଢ଼ାରେ କାରୀଗର ମଧ୍ୟ ନିମଗ୍ନ। କୈବର୍ତ୍ତସାହି ପୂଜା କମିଟି ପକ୍ଷରୁ ଦଶହରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋର୍ଦାର ଚାଲିଛି । ମୂର୍ତ୍ତି ଗଢ଼ା ପ୍ରାୟ ୯୫ ପ୍ରତିଶତ ସମାପ୍ତ ହୋଇଗଲାଣି। କୈବର୍ତ୍ତସାହି ଦୁର୍ଗାପୂଜା ବହୁ ପୁରାତନ। ୧୯୫୫ ମସିହାରେ ଛାମୁଣ୍ଡିଆ ବାନ୍ଧି ଚାଳଘରେ ପ୍ରଥମେ ରାମ, ଲକ୍ଷ୍ମଣ, ସୀତାଙ୍କ ପୂଜା କାର୍ଯ୍ୟ କରାଯାଉଥିଲା । ତାପରେ ୧୯୫୭ରୁ ୫୯ ମସିହାରେ ହରପାର୍ବତୀଙ୍କ ପୂଜା କରାଗଲା। ତେବେ ୧୯୬୦ ମସିହାରୁ ଅଦ୍ୟାବଧି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ହୋଇଆସୁଛି। ୭୧ବର୍ଷରୁ ଅଧିକ ହେବ ଏଠାରେ ମା’ ଦୁର୍ଗାଙ୍କର ପୂଜା ଚାଲିଛି। ପୂଜାରେ ମହାଷ୍ଟମୀରେ ମା’ଙ୍କ ନିକଟରେ ପାଣିକଖାରୁ ବଳି ଦିଆଯାଇଥାଏ। ସବୁଠାରୁ ବଡ଼ କଥା ହେଲା ଆଧୁନିକତାଠାରୁ ଦୂରେଇ ରହି ମାଙ୍କ ଭସାଣି ଉତ୍ସବ ମଧ୍ୟ ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ପ୍ରତି ବର୍ଷ ଘଣ୍ଟ, ଘଣ୍ଟା, ବାଜା ଆଉ ମହୁରୀର ତାଳେ ତାଳେ ଶୋଭାଯାତ୍ରାରେ ମାଙ୍କୁ ମେଲାଣି ଦିଆଯାଏ। ଏଥର ମଧ୍ୟ ସମାନ ପରମ୍ପରାରେ ପୂଜାର୍ଚ୍ଚନା ସହ ଭସାଣି ଉତ୍ସବ ଆାୟାଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି।
ସୁରକ୍ଷା ପାଇଁ ସିସିଟିଭି ଲାଗିବ
ଚଳିତ ବର୍ଷ ପୂଜା ପାଇଁ ୧୦ଲକ୍ଷ ବଜେଟ୍ କରାଯାଇଛି। ଦଶମୀ ତିଥିରେ ୧ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ କରାଯିବ। ଆମ ମଣ୍ଡପରେ ଗତ ୭୧ ବର୍ଷରୁ ଊର୍ଦ୍ଧ୍ବ ହେବ ପୂଜା କାର୍ଯ୍ୟ ସୁରୁଖୁରୁରେ ହୋଇଆସୁଛି। ଏହି ମଣ୍ଡପ ଭାଇଚାରାର ବାର୍ତ୍ତା ଦେଇଥାଏ। ଚଳିତ ବର୍ଷ ସୁରକ୍ଷା ପାଇଁ ସିସିଟିଭି ଲଗାଯିବ।
ନିରଞ୍ଜନ ମହାଲିକ, ସଭାପତି
ଆମେ ପ୍ରଥା ଓ ପରମ୍ପରାର ପୂଜାରୀ
ପୁରୁଣା ଭୁବନେଶ୍ୱରରେ ବିଭିନ୍ନ ମଣ୍ଡପର କର୍ମକର୍ତ୍ତାମାନେ ଭିନ୍ନ ଭିନ୍ନ ଶୈଳୀରେ ପୂଜା କାର୍ଯ୍ୟ କରିଥାନ୍ତି । କିନ୍ତୁ ସମସ୍ତଙ୍କଠାରୁ ଆମ ମଣ୍ଡପ ଟିକେ ନିଆରା। ପୁରୁଣା ପ୍ରଥା କିପରି ବଜାୟ ରହିବ, ତାହା ଉପରେ ଆମେ ଗୁରୁତ୍ୱ ଦେଇଥାଉ। ମଣ୍ଡପଗୁଡ଼ିକଠାରୁ ଆମର ମୂର୍ତ୍ତି କାରିଗରୀ ବିଦ୍ୟା ସ୍ୱତନ୍ତ୍ର। ମା’ଙ୍କ ମୁଖ୍ୟ ଆକର୍ଷଣ ଚାନ୍ଦିମୁକୁଟ, ସବୁ ଦେବଦେବୀଙ୍କ ଚାନ୍ଦିମୁକୁଟ ସହ ଦେବୀ ଦୁର୍ଗାଙ୍କୁ ଚାନ୍ଦିର ପତ୍ରମାଳା ଲାଗି କରାଯାଇଥାଏ।
ଲକ୍ଷ୍ମୀଧର ବେହେରା, ସମ୍ପାଦକ