ଭୁବନଶ୍ବେର: ଚଳିତବର୍ଷର ଦୁର୍ଗାପୂଜାକୁ ଶୃଙ୍ଖଳିତ ପାଳନ ଉପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୧୯୦ରୁ ଅଧିକ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବାକୁ ଯାଉଥିବାବେଳେ ପାର୍ବଣ ପୂର୍ବରୁ ରାସ୍ତାଘାଟ ମରାମତି, ଆଲୋକୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସହରର ରାସ୍ତାଘାଟ ଓ ଆଲୋକୀକରଣ ବ୍ୟବସ୍ଥା ଯେଉଁଭଳି କଦର୍ଯ୍ୟ ସ୍ଥିତିରେ ରହିଛି, ତାକୁ ନେଇ କର୍ପୋରେଟର୍‌ମାନେ ବିରକ୍ତ ହୋଇଥିଲେ। ଉପସ୍ଥିତ ପୂର୍ତ୍ତ ଓ ଟିପିସିଓଡିଏଲ୍‌ ଅଧିକାରୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ। ପରିମଳ, ଅଗ୍ନିଶମ ବ୍ୟବସ୍ଥା, ପାର୍କିଂ, ଖାଦ୍ୟ ମାନ ଯାଞ୍ଚ ଉପରେ ବି ଗୁରୁତ୍ବ ଦିଆଯାଇଥିଲା।

Advertisment

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର୍‌ ଚଞ୍ଚଳ ରାଣା, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, କର୍ପୋରେଟର ଓ ବିଭିନ୍ନ ବିଭାଗର ଯନ୍ତ୍ରୀ, ଅଧିକାରୀମାନେ ଉପସ୍ଥିତ ଥିଲେ। ମେୟର ଶ୍ରୀମତୀ ଦାସ କହିଛନ୍ତି, ଦୁର୍ଗାପୂଜା ଉପରେ ସେପ୍ଟେମ୍ବର ୧ରେ କମିସନରେଟ୍‌ ପୁଲିସ ସହ ବୈଠକ ସରିଛି। ସହରର ୧୯୦ରୁ ଅଧିକ ପୂଜାକମିଟି ସହ ଆଲୋଚନା କରାଯିବ। ପାର୍ବଣ ପାଇଁ ସହରର ବିଭିନ୍ନ ରାସ୍ତା ମରାମତିକୁ ପ୍ରାଥମିକତା ଦିଆଯାଉଛି। ବିଏମ୍‌ସି ରାସ୍ତା ସହ ଅନ୍ୟାନ୍ୟ ବିଭାଗର ରାସ୍ତା ମରାମତି ସମୟ ପୂର୍ବରୁ ସାରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ପୂର୍ବରୁ କୌଣସି ସ୍ଥାନରେ ରାସ୍ତା ନ ଖୋଳିବାକୁ ପରାମର୍ଶ ଦିଆଯାଇଛି। ମେଲୋଡିରେ ଅଶ୍ଳୀଳ ନୃତ୍ୟ ଉପରେ ରୋକ୍‌ ଲଗାଯାଇଛି। ଲେଜର ଲାଇଟ୍‌ ଓ ଡିଜେକୁ ମଧ୍ୟ ବାରଣ କରାଯାଇଛି। ରାବଣ ପୋଡ଼ି ଓ ଦର୍ଶନ ବେଳେ ମଣ୍ଡପ ନିକଟରେ ଲୋକ ଯେପରି ସୁରକ୍ଷିତ ରହିବେ, ସେ ଦିଗକୁ ଦୃଷ୍ଟି ଦିଆଯାଇଛି। ପାର୍କିଂ ପ୍ରତି ଗୁରୁତ୍ୱ ଦିଆଯାଇଛି।

ରାସ୍ତା, ଆଲୋକୀକରଣ ସ୍ଥିତିକୁ ନେଇ ଅସନ୍ତୋଷ
ପୂଜା ପାଇଁ ପ୍ରତି ୱାର୍ଡକୁ ମିଳିଲା ୫ଲକ୍ଷ
ପ୍ଲାଷ୍ଟିକ୍‌ମୁକ୍ତ ପୂଜା, ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ବ
ଅଶ୍ଳୀଳ ନୃତ୍ୟ, ଲେଜର ଲାଇଟ୍‌, ଡିଜେ ମନା

ଜରୁରୀକାଳିନ ଯାନ ଚଳାଚଳ କରିପାରିବା ଭଳି ଉଚ୍ଚତା ବିଶିଷ୍ଟ ତୋରଣ ଓ ସାଜସଜ୍ଜା ରହିବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ପ୍ରତି ୱାର୍ଡକୁ ୫ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି।  ପୂଜାମଣ୍ଡପଗୁଡ଼ିକରୁ ପୂଜାଫୁଲ  ସଂଗ୍ରହ ପାଇଁ ବିଏମସି ଗାଡ଼ି ପହଞ୍ଚିବ। ବିଏମ୍‌ସି ପକ୍ଷରୁ ପ୍ରତିବର୍ଷ ଭଳି ଏଥର କଣ୍ଟ୍ରୋଲ୍‌ ରୁମ୍‌ ଖୋଲିବ। ପୂଜା ସମୟରେ ବୁଲା ଗାଈଗୋରୁଙ୍କୁ କାଞ୍ଜିଆହୁଦା, କୁକୁରଙ୍କୁ ବିଏମ୍‌ସି କେନେଲରେ ରଖିବାକୁ ଯୋଜନା କରାଯାଉଛି। କମିସନର୍‌ ଶ୍ରୀ ରାଣା କହିଛନ୍ତି, ପ୍ଲାଷ୍ଟିକ୍‌ମୁକ୍ତ ପୂଜା ସୁନିଶ୍ଚିତ କରିବା ପାଇଁ ପୂଜାମଣ୍ଡପଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୁବ୍ୟସ୍ଥିତ ପାର୍କିଂ ଓ  ସ୍ବଚ୍ଛତା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।

କର୍ପୋରେଟର୍‌ମାନେ ନିଜ ନିଜ ଅଞ୍ଚଳର ସମସ୍ୟା ତଥା ପୂଜା କମିଟିର ଆବଶ୍ୟକତା ସମ୍ପର୍କରେ କହିଛନ୍ତି। ଯେଉଁଠାରେ ଷ୍ଟ୍ରିଟ୍‌ ଲାଇଟ୍‌ର ସମସ୍ୟା ରହିଛି, ତାହାର ସମାଧାନ ୪୮ ଘଣ୍ଟା ମଧ୍ୟରେ କରାଯିବ। ଏଜେନ୍ସିମାନେ ଲୋକ ବଳ ବଢ଼ାଇବାକୁ କୁହାଯାଇଛି। ରାସ୍ତା ପାଇଁ ପ୍ରାୟ ୧୦ କୋଟି ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟାଦେଶ ଦିଆସରିଛି ଓ ଚଳିତ ମାସରେ କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଭସାଣି ଉତ୍ସବକୁ ମଧ୍ୟ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯିବ। ଷ୍ଟ୍ରିଟ୍‌ ଲାଇଟ୍‌ ଓ ଅନ୍ୟ ଲାଇଟ୍‌କୁ ଘେରି ରହି ଅନ୍ଧକାର କରୁଥିବା ଗଛ ଡାଳ କାଟିବା ପାଇଁ ଟିପିସିଓଡିଏଲ୍‌କୁ କୁହାଯାଇଛି। ବର୍ଷାରେ ଜଳବନ୍ଦି ସମସ୍ୟା ନେଇ ଆମେ ପ୍ରସ୍ତୁତ ଅଛୁ। କର୍ପୋରେଟର୍‌ କୁମରେନ୍ଦ୍ର ମହାପାତ୍ର କହିଛନ୍ତି, ବୈଠକରେ ରାସ୍ତାଘାଟ ଓ ଆଲୋକୀକରଣ ସ୍ଥିତିକୁ ନେଇ ସବୁ କର୍ପୋରଟେର୍‌ ପ୍ରଶ୍ନ କରିଥିଲେ। ମୁକୁଳା ଟ୍ରାନ୍ସଫର୍ମର ସହ ଅନ୍ୟାନ୍ୟ ସମସ୍ୟା ଉଠିଥିଲା। ମେଢ଼ ଯିବା ବେଳେ ଯେଭଳି ତାର ଓ ଗଛ ନ ଲାଗିବ, ତାର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଆସନ୍ତା ୧୦ ତାରିଖରେ ପୂଜାମଣ୍ଡପ ସହ ପୁଣି ବୈଠକ ରହିଛି।