ଆଜି ମା’ଙ୍କ ଧରାବତରଣ : ମଣ୍ଡପରେ ଦର୍ଶନ ଦେବେ

ଭୁବନେଶ୍ବର : ବିଲ୍ବ ବରଣ ସରିଛି। ଠାକୁରାଣୀଙ୍କୁ ନିମନ୍ତ୍ରଣ ହୋଇସାରିଛି। ସକାଳ ପାହିଲେ ଧରାବତରଣ କରିବେ ମା’ ଦୁର୍ଗତି ନାଶିନୀ। ଜମିବ ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ। କିଛିଦିନ ଧରି ସୁଦୃଶ୍ୟ ତୋରଣ ଦେଖିବାକୁ ବ୍ୟାକୁଳ ଥିବା ମନ ବି ତୋଷ ହେବ। ଆଖି ପାଉ ନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜାରେ ମନ ପୂରି ଉଠିବ। ଏନେଇ ପୂଜା ମଣ୍ଡପ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମା’ଙ୍କ ମୃଣ୍ମୟ ମୂର୍ତିରେ ଶିଳ୍ପୀର ଶେଷ ସ୍ପର୍ଶ ବାଜିଛି। ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି। ମା’ଙ୍କୁ ଏପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ମିଳି ନଥିଲେ ହେଁ କିଛି ବ୍ୟକ୍ତିବିଶେଷ ଆଜିଠୁ ବୁଲିବୁଲି ତୋରଣ ଦେଖିଛନ୍ତି। ଏଥିସହ କିଛି ସ୍ଥାନରେ ନବରାତ୍ର ଦାଣ୍ଡିଆ ଆରମ୍ଭ ହୋଇଯାଇଥିବାରୁ ସହରବାସୀ ଏହାର ମଜା ଉଠାଇଛନ୍ତି। କିଛି ପୂଜା ମଣ୍ଡପରେ ଆଜିଠୁ ଆରମ୍ଭ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ। କୋଉଠି ମେଲୋଡ଼ି ତ କୋଉଠି ରାମଲୀଳା। ପୁଣି କେଉଁଠି ନୃତ୍ୟର କାର୍ଯ୍ୟକ୍ରମ ତ ଆଉ କେଉଁଠି ପାରମ୍ପରିକ ପାଲା ପରିବେଷିତ ହୋଇଛି।

କସ୍ତୁରବା ପଡ଼ିଆରେ ରାମଲୀଳା

ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ କସ୍ତୁରବା ବିଦ୍ୟାଳୟ ପରିସରରେ ରାମଲୀଳା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ କଟକ ମୁଣ୍ଡମୁହାଣର ମା କନକ ଦୁର୍ଗା ରାମଲୀଳା ଦଳ ଆଜି ଭରତଲୀଳା ପରିବେଷଣ କରିଥିଲେ। ବ୍ରହ୍ମଚାରୀ ନରୋତ୍ତମ ଦାସ ଆଜି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅତିରିକ୍ତ ଡିସିପି ତପନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଦୁର୍ଗାପୂଜା ସମିତିର ଉପଦେଷ୍ଟା ନବକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉମାକାନ୍ତ ପ୍ରଧାନ, ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ‌ମହେନ୍ଦ୍ର ବଳବନ୍ତରାୟ, ସଂଗ୍ରାମ କେଶରୀ ନନ୍ଦ, ଦେବେନ୍ଦ୍ର ମହାକୁଡ଼, ପ୍ରକାଶ ବେହେରା, ଚିତ୍ରସେନ ବେହେରା ଏବଂ ବିଷ୍ଣୁ ବେହେରାଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

ନିରାଡ଼ମ୍ବର ହେବ ଭସାଣି ଭେଟ୍‌ଘାଟ୍‌

ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏଥର ସମୁଦାୟ ୨୧ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ସବୁ ସାହିର ମେଢ଼ ବଢ଼େଇବାଙ୍କ ଛକ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଅଞ୍ଚଳ ପରିକ୍ରମା କରିବା ପରେ ଦୟା ନଦୀରେ ବିସର୍ଜନ କରାଯିବ। ତେବେ ବଢ଼େଇବାଙ୍କ ଛକଠାରେ ପ୍ରତିବର୍ଷ ସାହି ମୁରବିଙ୍କୁ ଭସାଣି ଭେଟ୍‌ଘାଟ୍‌ ସମୟରେ ସମ୍ବର୍ଧନା ଦିଆଯାଉଥିବା ବେଳେ ଚଳିତ ବର୍ଷ ବର୍ଷା ଓ ବନ୍ୟା ଯୋଗୁ ଏହାକୁ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ଭସାଣ ଉତ୍ସବ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ବୈଠକରେ କମିଟିର ଆବାହକ ମଦନ ମୋହନ ପ୍ରଧାନ, ଶେଷ ଶେଖର ଗରାବଡ଼ୁ, ଶିବ ପ୍ରସାଦ ବେହେରା, ଅନିକେତ ବଟୁ ପ୍ରମୁଖ ସାମିଲ ହୋଇଥିଲେ।

ଯମେଶ୍ୱର ପାଟଣା ସାହିରେ ସନ୍ଧିପୂଜା ଆକର୍ଷଣ

ପୁରୁଣା ଭୁବନେଶ୍ୱର : ଯମେଶ୍ବର ପାଟଣା ସାହି ଦୁର୍ଗାପୂଜା ସମିତି ପକ୍ଷରୁ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଛି। ୧୯୪୯ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ମହାଷ୍ଟମୀର ସନ୍ଧିପୂଜା ଆକର୍ଷଣ ସାଜିଥାଏ। ଏହି ଦିନ ମା’ଙ୍କ ନିକଟରେ ଆମିଷ(ମାଛ) ଭୋଗ କରା ଯାଉଥିବା ବେଳେ ପାଣି କଖାରୁ ବଳି ପରେ ୪ଶହରୁ ଅଧିକ ବ୍ୟକ୍ତି ସହସ୍ର ଦୀପ ଦାନ କରିଥାନ୍ତି । ପୂର୍ବ ମୁଖା ମା’ଙ୍କ ମୃଣ୍ମୟ ମୂର୍ତି ଦର୍ଶନ କରିବା ପାଇଁ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ସମିତିର ସଭାପତି ସଚିକାନ୍ତ ପୂଜାପଣ୍ଡାଙ୍କ କହିବା ମୁତାବକ, ମହାନବମୀରେ କୁମାରୀ କନ୍ୟାଙ୍କ ସହ ଶ୍ରୀକାର୍ତ୍ତିକେୟଙ୍କ ବିବାହ ଅନ୍ୟତମ ଆକର୍ଷଣ। ପାରମ୍ପରିକ ବାଦ୍ୟ ମେଳରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ ବୋଲି ସମିତି ପକ୍ଷରୁ ପୂଜା ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି । ଚଳିତ ବର୍ଷ ଜଟଣୀ ବ୍ୟାଣ୍ଡ୍ ବାଜା, ‌େଢଙ୍କାନାଳର ମାଦଳ ବାଜା ଓ ଆଧୁନିକ ଡିଜେ ଓ ଅନ୍ୟ ପାରମ୍ପରିକ ବାଦ୍ୟ ମେଳରେ ମା’ଙ୍କୁ ମେଲାଣି ଦିଆଯିବ।

ସମ୍ବନ୍ଧିତ ଖବର