ଏଥର ଭୁବନେଶ୍ୱରରେ ନିରାଡମ୍ବର ଦୁର୍ଗା ପୂଜା; ରାବଣ ପୋଡ଼ି କି ଭସାଣି ଉତ୍ସବ ଅନୁଷ୍ଠିତ ହେବ ନାହିଁ

ଭୁବନେଶ୍ୱର : କରୋନା ମହାମାରୀ ପ୍ରକୋପ କାରଣରୁ ଚଳିତ ବର୍ଷ  ଭୁବନେଶ୍ୱରରେ ନିରାଡମ୍ବର ଭାବେ ପାଳନ ହେବ ଦୁର୍ଗା ପୂଜା । ରାଜଧାନୀ ଭୁବନେଶ୍ବରରେ ଏଥର କଟକଣା ଯୁକ୍ତ ପୂଜା ପାଇଁ ନିଷ୍ପତ୍ତି ହୋଇଛି । ବିନା ତୋରଣ ଓ ବିନା ସାଜସଜ୍ଜା କେବଳ ମଣ୍ଡପରେ ମା’ ଦୁର୍ଗତିନାଶିନୀ ଦୁର୍ଗାଙ୍କ ପୂଜା କରାଯିବ । ପୂଜା ସମୟରେ ମଣ୍ଡପରେ ୧୦ରୁ ଅଧିକ ପୂଜା କମିଟି ସଦସ୍ୟ ସାମିଲ ହୋଇ ପାରିବେ ନାହିଁ  କି ଭକ୍ତମାନେ ମାଆଙ୍କୁ ପୂଜା କରିବା ପାଇଁ ମଣ୍ଡପକୁ ଆସି ପାରିବେ ନାହିଁ । ଆଜି ପୁଲିସ କମିସନରେଟ୍ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହିତ ଏକ ବୈଠକ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏ ନେଇ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।  ଏହାସହ ଚଳିତ ବର୍ଷ ରାବଣ ପୋଡି ହେବ ନାହିଁ  କି ଆଡମ୍ବର ପୂର୍ଣ୍ଣ ଭସାଣି ଉତ୍ସବ କରାଯିବ ନାହିଁ  ବୋଲି ନିଷ୍ପତ୍ତି ହୋଇଛି । ପୂଜା କମିଟି ସଦସ୍ୟମାନେ ଚାନ୍ଦା ଆଦାୟ କରି ପାରିବେ ନାହିଁ ଏବଂ ଯିଏ ବି ଯାହା ଦେବେ ସ୍ବେଚ୍ଛାରେ ଦେବେ । ଏଥିସହ ମୂର୍ତ୍ତିର ଆକାରକୁ ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ପୂଜାରେ ବଡ ବଡ଼ ମୂର୍ତ୍ତି ତିଆରି କରାଯିବ ନାହିଁ। ମାତ୍ର ୪ରୁ ୫ ଫୁଟ ଉଚ୍ଚର ମୂର୍ତ୍ତି ତିଆରି କରି ପୂଜା କରାଯିବ । ଏଥର ଟ୍ରକ ଓ ଟ୍ରାକଟର ବଦଳରେ ଅଟୋ ଓ ଟ୍ରଲିରେ ଭସାଣି ହେବ। ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ହେବ ନାହିଁ। ଅକ୍ଟୋବର ପ୍ରଥମ ସପ୍ତାହରେ ପୂଜା କମିଟି ଓ ଲୋକ ପ୍ରତିନିଧିଙ୍କ ସହ ଆଉ ଥରେ ଆଲୋଚନା କରାଯିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଢ଼ଙ୍ଗୀ।

ସମ୍ବନ୍ଧିତ ଖବର