ବାଲିପାଟଣା ଓ ବନମାଳିପୁରରେ ଦୁର୍ଗାପୂଜା

‘ରାବଣ ପୋଡ଼ି’ ମନ ମୋହିଲା

ବାଲିପାଟଣା,: ବାଲିପାଟଣା ଓ ବନମାଳିପୁରରେ ଚଳିତବର୍ଷ ଦୁର୍ଗାପୂଜା ବେଶ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଗତକାଲି ବିଜୟା ଦଶମୀ ଥିବାରୁ ଦୁଇଟିଯାକ ମଣ୍ତପରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ସକାଳୁ ସ˚ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମଣ୍ତପ ନିକଟରେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଉଭୟ ପୂଜା କମିଟି ପକ୍ଷରୁ ବିଭିନ୍ନ ଦିନରେ ସା˚ସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା। ଏହି ଅବସରରେ ବାଲିପାଟଣା ମେଳଣ ପଡ଼ିଆରେ ଦୁଇଦିନ ଧରି ‘ଅଲକ୍ଷଣୀ’ ଓ ‘ସୁଖ ସାତପର ଦୁଃଖ ନିଜର’ ଶୀର୍ଷକ ଦୁଇଟି ନାଟକ ପରିବେଷଣ କରାଯାଇଥିଲା। ସ୍ଥାନୀୟ ଯୁବକମାନଙ୍କୁ ନେଇ ପରିବେଷିତ ଏହି ନାଟକ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା। ଗତକାଲି ବାଲିପାଟଣା ଖେଳ ପଡ଼ିଆରେ ଅନୁଷ୍ଠିତ ‘ରାବଣ ପୋଡ଼ି’ ଉତ୍ସବ ବି ବେଶ ଚିତ୍ତାକର୍ଷକ ହୋଇଥିଲା। ବାଲିପାଟଣା ସା˚ସ୍କୃତିକ ପରିଷଦ ପକ୍ଷରୁ ଅୟୋଜିତ ଏହି ରାବଣ ପୋଡ଼ି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶି ଭୂଷଣ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧୢକ୍ଷା ସୁମିତ୍ରା ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ପାତ୍ର, ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତି, ଶିଶୁ ସାହିତ୍ୟିକା ତନୟା ଦାସ ଗୋସ୍ବାମୀ, ପାଲା ଗାୟକ ନିରଞ୍ଜନ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗାୟକ ଶ୍ରୀ ବିଶ୍ବାଳ, ବିଶ୍ବଜିତ ମହାରଣା ଓ ଗୁନ ମହାରଣାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଆତସବାଜିର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ସେହିପରି ଆଜିର ଭସାଣ ଉତ୍ସବ ଦେଖିବା ପାଇଁ ମଧ୍ୟ ପ୍ରବଳ ଜନସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର