ଦୁର୍ଗାପୂଜା ପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତି ବୈଠକ: ଟ୍ରାଫିକ୍‌ ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଯୋଗଦେଲେ ୧୬୧ ପୂଜା କମିଟି

ଭୁବନେଶ୍ୱର: ଆସନ୍ତା ଦୁର୍ଗାପୂଜା ସମୟରେ ରାଜଧାନୀରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ମଙ୍ଗଳବାର ଅପରାହ୍‌ଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପାର୍କିଂ ସ୍ଥାନ ଚିହ୍ନଟ, ଭାରୀଯାନ ଚଳାଚଳ ଉପରେ କଟକଣା ଆଦି ବିଷୟ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। ରସୁଲଗଡ଼ ଓଭରବ୍ରିଜ୍‌ ତଳେ ଥିବା ଖାଲି ସ୍ଥାନ ଓ ନୂଆପଲ୍ଲୀସ୍ଥିତ ରାବଣ ପୋଡ଼ି ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ସେହିପରି ବରମୁଣ୍ଡା ଦୁର୍ଗାପୂଜା କମିଟିକୁ ରାବଣ ପୋଡ଼ି ପଡ଼ିଆକୁ ପାର୍କିଂ ଲାଗି ଅନୁମତି ଦିଆଯିବ ବୋଲି କୁହାଯାଇଛି। ପ୍ରତିବର୍ଷ ଜାତୀୟ ରାଜପଥର ଏହି ୩ଟି ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଗୁରୁତର ହୋଇଥାଏ। କିନ୍ତୁ କଟକ ରୋଡ୍‌ରେ ଭାରୀଯାନ ଚଳାଚଳ ନେଇ ଷ୍ଟେସନ ବଜାର, ଲକ୍ଷ୍ମୀସାଗର, ଝାରପଡ଼ା ଓ ବମିଖାଲ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କମିସନରେଟ ପୁଲିସ କୌଣସି ନିଷ୍ପତ୍ତି ନେଇ ପାରି ନାହିଁ। ସମସ୍ତ ପୂଜା ମଣ୍ଡପ ନିକଟରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାରିକେଡ୍‌ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ପୂଜା ମଣ୍ଡପ ନିକଟରେ ପର୍ଯ୍ୟାପ୍ତ ଆଲୋକୀକରଣ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ପ୍ରତି ପୂଜା ମଣ୍ଡପରେ ଅନ୍ୟୂନ ୨ଟି ଲେଖାଏଁ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି। ସେହିପରି ପୂଜା ମଣ୍ଡପଗୁଡ଼ିକୁ ସ୍ୱେଚ୍ଛାସେବୀଙ୍କ ତାଲିକା ଆଗୁଆ ପ୍ରଦାନ କରିବାକୁ କୁହାଯାଇଛି। ଏହାଦ୍ୱାରା ସେମାନଙ୍କୁ କମସନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ଆଗୁଆ ତାଲିମ୍‌ ଦିଆଯାଇ ପାରିବ ବୋଲି ବୈଠକରେ କୁହାଯାଇଥିଲା। ଭିଡ଼ ସମୟରେ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସମସ୍ତ ମଣ୍ଡପ ଭିତରେ ଓ ବାହାରେ ପର୍ଯ୍ୟାପ୍ତ ସିସି କ୍ୟାମେରା ଲଗାଇବା ପାଇଁ ମଣ୍ଡପଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଲାଇସେନ୍ସ ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ସେଲ୍‌ ଖୋଲାଯିବ। ଆସନ୍ତା ୨୪ ତାରିଖରୁ ଏଠାରେ ଆବେଦନ କରିବା ପାଇଁ ସମସ୍ତ ମଣ୍ଡପଗୁଡ଼ିକୁ କୁହାଯାଇଛି। ପ୍ରଦୂଷଣ ରୋକିବା ପାଇଁ କଟକଣା ଲାଗୁ କରାଯାଇଛି। ମା’ଙ୍କ ମୂର୍ତିରେ ରସାୟନିକ ରଙ୍ଗ ବ୍ୟବହାର ନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଆତସବାଜି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ତେବେ ମୂର୍ତି ବସର୍ଜନ ପାଇଁ ତିଆରି ହୋଇଥିବା ଅସ୍ଥାୟୀ ପୋଖରୀ ସଫେଇ ହେଉ ନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସେହିପରି ଭସାଣି ଓ ମେଲୋଡି କାର୍ଯ୍ୟକ୍ରମ ବେଳେ ନିର୍ଧାରିତ ଡେସିବେଲ୍‌ରୁ ଅଧିକ ଶବ୍ଦ ନ କରିବାକୁ କଡ଼ା ନିର୍ଦେଶ ଦିଆଯାଇଛି। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୭୮ଟି ପୂଜା କମିଟି ମଧ୍ୟରୁ ୧୬୧ଟି ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟମାନେ ଯୋଗ ଦେଇଥିଲେ। ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସଂହ, ଡିସିପି ଅନୁପ ସାହୁ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବାଦଲ ମହାନ୍ତିି, ମେୟର ଅନନ୍ତ ନାରାୟଣ ଜେନା, ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ଅଗ୍ନିଶମ ବିଭାଗ, ଟ୍ରାଫିକ୍‌ ବିଭାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଇଆଇସିଙ୍କୁ ନୂଆ ଦାୟିତ୍ୱ

ଚଳିତ ବର୍ଷ କମିସନରେଟ୍‌ ପୁଲସ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଏଣିକି ପୂଜା ମଣ୍ଡପଗୁଡ଼ିକ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିକଟସ୍ଥ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ। ଯେଉଁ ପୂଜା ମଣ୍ଡପ ଯେଉଁ ଥାନା ଅଧୀନରେ ଥିବ ପୂଜା ମଣ୍ଡପ ସଭାପତି ଓ ସମ୍ପାଦକ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ ବାଟ କାଢ଼ିବେ।

ସମ୍ବନ୍ଧିତ ଖବର