୭ ଦିନିଆ ଓଡ଼ିଶା ଗସ୍ତରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ, ବାଣ୍ଟିବେ ଗାନ୍ଧୀବାଦର ବାର୍ତ୍ତା

ଭୁବନେଶ୍ବର: ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଆସନ୍ତା ଡିସେମ୍ବର ୧ରେ ଓଡ଼ିଶା ଆସୁଛନ୍ତି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଓ ଦେଶ ସ୍ବାଧୀନତାର ୭୫ତମ ପୂର୍ତ୍ତି ଅବସରର ସେ ଏହି ୭ ଦିନିଆ ଓଡ଼ିଶା ଗସ୍ତ କରୁଛନ୍ତି। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ଆନୁକୁଲ୍ୟରେ ସେ ଓଡ଼ିଶା ଆସି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରିବେ ଓ ଗ୍ରାମ ସ୍ବରାଜ, ସ୍ବାବଲମ୍ବନ, ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକ ସଦଭାବନା, ନିଶା ନିବାରଣ ଆଦି ବାର୍ତ୍ତା ବାଣ୍ଟିବେ। ଆଜି ଲୋହିଆ ଏକାଡ‌େମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଡିସେମ୍ବର ୧ ପୂର୍ବାହ୍ଣ‌ରେ ସେ ୟୁନିଟ୍-୩ ରାଜ୍ୟ ସ୍କାଉଟ୍ ଗାଉଡ୍‌ କାର୍ଯ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ୨ ତାରିଖ ପୂର୍ବାହ୍ଣରେ ରାଜ୍ୟର ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିମାନଙ୍କ ସହ ସେ ଦେଶର ପରିସ୍ଥିତି ସମ୍ବନ୍ଧରେ ଚର୍ଚ୍ଚା କରିବେ। ଡିସେମ୍ବର ୩ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ମୁଖ୍ୟବକ୍ତା ଭାବେ ଯୋଗଦେବେ ଓ ସଂଧ୍ୟାରେ ସିଓ୍ବାଇଏସ୍‌ଡି ପରିସରରେ ରାଜ୍ୟର ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କ ସହ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାମର ପ୍ରଭାବ ଉପରେ ଆଲୋଚନା କରିବେ। ୪ ତାରିଖ ଦିନ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ଅଡିଟୋରିଅମଠାରେ ‘ଗାନ୍ଧୀ ଓ ଭାରତ ବିଭାଜନ ଶୀର୍ଷକ’ ଉପରେ ଉଦ୍‌ବୋଧନ ଦେବେ। ୫ ତାରିଖ ଦିନ ଆଠଗଡ଼ ଗସ୍ତ କରି ସେଠାରେ ଆଠଗଡ଼ ଜନଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଏକ ବିଶାଳ ଜନସଭାରେ ଉଦ୍‌ବୋଧନ ଦେବେ। ସେହିଦିନ ସଂଧ୍ୟାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରସ୍ଥିତ ମହାତ୍ମା ଗାନ୍ଧୀ ଔଷଧାରଣ୍ୟ ପରିସରରେ ଉଦ୍‌ବୋଧନ ଦେବେ। ୬ ତାରିଖ ଦିନ ବାଲେଶ୍ବର ଜିଲ୍ଲା ସୋରୋ ଗସ୍ତ କରି ସଂଧ୍ୟାରେ ଗାନ୍ଧୀ ପ୍ରତିଷ୍ଠାନର ଭଦ୍ରକ ଶାଖା ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେବେ। ଓଡ଼ିଶା ଗସ୍ତର ଶେଷ ଦିନ ଅର୍ଥାତ୍ ୭ ତାରିଖ ଦିନ ଚଣ୍ଡୀଖୋଲ ବାର୍‌ ଆସୋସିଏସନ୍‌ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ‘ବାରିଷ୍ଟର ଗାନ୍ଧୀ’ ବିଷୟରେ ଆଲୋଚନା କରିବେ। ଅପରାହ୍ନରେ ବଡ଼ଚଣା ଗସ୍ତ କରି ବାଲିପଡ଼ିଆ ଠକ୍କର ବାପା ଆଶ୍ରମ ପରିସରରେ ନବକୃଷ୍ଣ ଚୌଧୁରୀ ଉଦ୍ୟାନର ଲୋକାର୍ପଣ କରିବେ। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ତଥା ନବକୃଷ୍ଣ ଚୌଧୁରୀଙ୍କ ଝିଅ କୃଷ୍ଣା ଚୌଧୁରୀ ଓ ଓଡ଼ିଶା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ଉପସ୍ଥିତ ରହିବେ।

ଆଜି ସାମ୍ବାଦିକ ସମ୍ମିଳନୀରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ପ୍ରାଦେଶିକ ଅଧ୍ୟକ୍ଷ ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ସଂପାଦକ ବିରୁପାକ୍ଷ ତ୍ରିପାଠୀ, ଲୋହିଆ ଏକାଡ‌େମୀର ସଂପାଦକ ଦେବ ପ୍ରସାଦ ରାୟ, ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ଡ. ବିଶ୍ବଜିତ୍, ଗାନ୍ଧୀବାଦୀ ମାନସ ମିଶ୍ର, ମଳୟ ତ୍ରିପାଠୀ, ମାନସ ପଟ୍ଟନାୟକ, ଇଫ୍‌ତେକାର ଅହମ୍ମଦ ଓ ସୁରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର