ଉଠାଦୋକାନୀ ଉଚ୍ଛେଦରେ ବଳି ପଡ଼ିଗଲେ ଦିବ୍ୟାଙ୍ଗ: କରୋନା କାଳରେ ଭାଙ୍ଗିଦେଲେ ଭାତହାଣ୍ଡି

ଭୁବନେଶ୍ବର: ମା‌ର୍କେଟ୍‌ ବିଲ୍‌ଡିଂ ଭିତରୁ ଉଠାଦୋକାନୀ ଉଚ୍ଛେଦ ପ୍ରକ୍ରିୟାରେ ବଳି ପଡ଼ିଯାଇଛନ୍ତି ୨୦ ଦିବ୍ୟାଙ୍ଗ ଅତି କ୍ଷୁଦ୍ର ବେପାରୀ। କରୋନା ସଂକଟ ବେଳେ ବେପାର ହରାଇ ସେମାନେ ବଡ଼ କଲବଲ ହେଉଛନ୍ତି। ଥଇଥାନ ନକରି ବିଏମ୍‌ସି ସେମାନଙ୍କ ଦାନାପାଣି ବ୍ୟବସ୍ଥା ବୁଡ଼ାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଭିକ ମାଗି ପେଟ ପୋଷିବା ଏକ ହୀନ ବୃତ୍ତି ବୋଲି ବିବେଚନା କରି ନିଜ କ୍ଷୁଦ୍ର ବ୍ୟବସାୟକୁ ଭରସା କରିଥିବା ଦିବ୍ୟାଙ୍ଗମାନେ ଏବେ ବଡ଼ଦାଣ୍ଡକୁ ଚାଲି ଯାଇଛନ୍ତି ବୋଲି କ୍ଷୋଭର ସହ କହିଛନ୍ତି। ଥଇଥାନ ପାଇଁ ସେମାନେ ନେତା, ପ୍ରଶାସକମାନଙ୍କ ଦ୍ବାରସ୍ଥ ହୋଇ ବି କିଛି ସୁଫଳ ପାଇନାହାନ୍ତି। ଫଳରେ ରୋଜଗାର ହରାଇ ଏବେ ସେମାନେ ଭୋକ ଉପାସରେ ଦିନ କାଟୁଥିବା କହିଛନ୍ତି।

ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ୨୦ଜଣ ଦୃଷ୍ଟିବାଧିତ ବ୍ୟବସାୟୀ ଉଠାଦୋକାନ କରିଥିଲେ। ଇଷ୍ଟର୍ଣ୍ଣ ଟାୱାରଠାରୁ ୱେଷ୍ଟର୍ଣ୍ଣ ଟାୱାର ଯାଏ ମଝି ରାସ୍ତାରେ ବସି ବେପାର କରୁଥିଲେ। କିଛି ଓଜନ ମେସିନ୍ ପକାଇ ବସିଥିଲେ ତ ଆଉ କିଛି ଛୋଟ ପ୍ଲାଷ୍ଟିକ୍ ଜିନିଷ, ଆଇନା, ନେଲ୍ କଟର୍, ପାନିଆ, କ୍ଲିପ୍, ଖେଳଣା, ସେଫ୍ଟି ପିନ୍, ସୁତା ଓ ବହି ବିକ୍ରି କରୁଥି‌ଲେ। ସେମାନେ ସବୁଥିଲେ ଅତି କ୍ଷୁଦ୍ର ବେପାରୀ। ସେଥିରୁ ଯେଉଁ ଦି’ ପଇସା ରୋଜଗାର ହେଉଥିଲା, ସେଥିରେ ସେମାନଙ୍କ ପରିବାର ଚଳୁଥିଲା। ସାମାଜିକ ସୁରକ୍ଷା ଭତ୍ତା ସାଙ୍ଗକୁ ଏହି ରୋଜଗାର ତାଙ୍କ ପରିବାରକୁ ଚଳେଇ ନେଉଥିଲା। ପରିତାପର କଥା, ସେମାନଙ୍କୁ ସରକାରୀ ହିସାବରେ ଉଠାଦୋକାନୀ ବୋଲି ମାନ୍ୟତା ଦିଆଯାଉ ନଥିଲା। ତଥାପି ଭିକ ମାଗିବା ଅପେକ୍ଷା ଏମିତି ସ୍ବାବଲମ୍ବୀ ହୋଇ ବଞ୍ଚିବାରେ ସେମାନଙ୍କୁ ସୁଖ ମିଳୁଥିଲା। ମାତ୍ର ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ବିଏମ୍‌ସି ଉଚ୍ଛେଦ କରିବାରୁ ସେମାନେ ବି ବଳିପଡ଼ିଗଲେ। ସେମାନଙ୍କୁ ସେଠାରୁ ଉଠାଇ ଦିଆଯାଇଛି। ଉଚ୍ଛେଦ ହେବା ପରଠାରୁ ସେମାନେ ଘରେ ହାତ ବାନ୍ଧି ବସିଛନ୍ତି। ପଇସାଟିଏ ରୋଜଗାର ନାହିଁ।

ଦିବ୍ୟାଙ୍ଗ ଅମର ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କୁ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କରାଯିବାରେ ଦୁଃଖ ନାହିଁ। କିନ୍ତୁ ଥଇଥାନ ବ୍ୟବସ୍ଥା କରିବା କଥା। ସେମାନେ ଦୃଷ୍ଟିବାଧିତ ହୋଇଥିବାରୁ ଅନ୍ୟମାନଙ୍କ ଭଳି ସହଜରେ ବିକଳ୍ପ ଖୋଜି ପାରୁନାହାନ୍ତି। ରାଜଧାନୀରେ ତାଙ୍କ ବେପାର ପାଇଁ ଛୋଟିଆ ଜାଗାଟିଏ ପାଇବା ବଡ଼ କଷ୍ଟ। ତେଣୁ ଏବେ ସେ ଘରେ ବସି ରହିଛନ୍ତି। ସେହିପରି ମଦନ ସୁନ୍ଦର ନାଏକଙ୍କ କହିବା କଥା, ସେମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ମାସକୁ ୭୦୦ଟଙ୍କା ଭତ୍ତା ମିଳୁଛି। କିନ୍ତୁ ଏହି ମହଙ୍ଗା ଯୁଗରେ ଏତିକି ପଇସାରେ ପରିବାର ଚଳେଇବା କଷ୍ଟକର ହେଉଛି। ବେପାର ଯିବା ପରେ ତାଙ୍କ ଭାତହାଣ୍ଡି ଭାଙ୍ଗିଯାଇଛି ବୋଲି ସେ କୋହ କୋହ ହୋଇ କହିଛନ୍ତି। ବଂଶୀଧର ପ୍ରଧାନଙ୍କ କହିବା କଥା, ୨୦ ବର୍ଷ ହେଲା ସେମାନେ ଏଠାରେ ବ୍ୟବସାୟ କରୁଥିଲେ ବି ବିଏମ୍‌ସି ସେମାନଙ୍କ ଭଳି କ୍ଷୁଦ୍ର ବେପାରୀଙ୍କୁ ଉଠାଦୋକାନୀର ମାନ୍ୟତା ଦେଲା ନାହିଁ। ଫଳରେ ଅନ୍ୟମାନେ କୋଭିଡ୍ ସହାୟତା ରାଶି ବାବଦରେ ୩ ହଜାର ଟଙ୍କା ପା‌ଇଲେ, କିନ୍ତୁ ସେମାନଙ୍କୁ ପାହୁଲାଟିଏ ମିଳିଲା ନାହିଁ। ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କ ପାଖକୁ ବି ଯାଇ ଗୁହାରି କରି କେବଳ ପ୍ରତିଶ୍ରୁତି ହିଁ ମିଳିଛି ବୋଲି ସେ କହିଛନ୍ତି। ତେଣୁ ଏମିତି ଆଉ କେତେ ଦିନ ବେରୋଜଗାର ହୋଇ ଘରେ ବସିବୁ, ଏଣିକି ଭିକ ମାଗିବୁ ଓ ଆମକୁ ଥଇଥାନ ନକରି ବଡ଼ଦାଣ୍ଡକୁ ଠେଲି ଦିଆଯାଇଛି କହିବୁ ବୋଲି ବଂଶୀଧର କହିଛନ୍ତି। ତେବେ ସେମାନଙ୍କୁ ସରକାର ନିଶ୍ଚୟ ନ୍ୟାୟସଂଗତ ଭାବେ ଥଇଥାନ କରିବେ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର