ନିର୍ବାଚନ ଋତୁରେ ଫୁଲ ବେପାରରେ ଫୁଲ ଫୁଟୁଛି

ଧଳାଫୁଲର ବିକ୍ରି ଅଧିକ, ଫୁଲ ପାଇଁ ଅନ୍ୟ ରାଜ୍ୟ ଭରସା

ଭୁବନେଶ୍ବର: ଓଡ଼ିଶାରେ ଖରାଦିନେ ଫୁଲର ବିକ୍ରି କମିଥାଏ। କିନ୍ତୁ ଚଳିତ ବର୍ଷ ନିର୍ବାଚନ ଥିବାରୁ ରାଜଧାନୀରେ ଫୁଲର ଚାହିଦା ଦ୍ବିଗୁଣିତ ହୋଇଛି। ସଭାସମିତି ଓ ପ୍ରଚାରରେ ଫୁଲ ଦରକାର ପଡ଼ୁଛି। ତେଣୁ ଖରାଦିନେ ଫୁଲର ବିକ୍ରି କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଫୁଲ ଦାମ୍‌ ଏବେ ଆକାଶ ଛୁଆଁ ହୋଇଯାଇଛି। ନିର୍ବାଚନକୁ ଲକ୍ଷ୍ୟରେ ରଖି ଅନେକ ଫୁଲ ଦୋକାନୀ ରାଜଧାନୀର ବିଭିନ୍ନ ସ୍ଥାନରେ ପସରା ମେଲିବା ସହିତ ଭଲ ରୋଜଗାର ମଧ୍ୟ କରିପାରୁଛନ୍ତି। ନିର୍ବାଚନ ଆଉ ହାତଗଣତି କିଛିଦିନ ଥିବାରୁ ଫୁଲ ଦୋକାନରେ କର୍ମୀଙ୍କ ଭିଡ଼ ଦେଖିବାକୁ ମିଳୁଛି।

ରାଜଧାନୀରେ ପାଖାପାଖି ୧୩ଶହ ଛୋଟବଡ଼ ଫୁଲ ଦୋକାନ ଓ ୯ରୁ ଅଧିକ ଫୁଲ ସୋ’ରୁମ୍‌ ରହିଛି। ଏହା ବ୍ୟତୀତ ରାସ୍ତାରେ ପସରା ମେଲିଥିବା ଛୋଟ ଫୁଲଦୋକାନୀ ମଧ୍ୟ ଅଛନ୍ତି। ନିର୍ବାଚନ ଋତୁ ଥିବାରୁ ବିଭିନ୍ନ ଦଳ ସଭାସମିତି କରିବା ପାଇଁ ଫୁଲର ଆବଶ୍ୟକତା ପଡ଼ୁଛି। କର୍ମୀମାନେ ମଧ୍ୟ ନେତାଙ୍କୁ ଭେଟିବା ପାଇଁ ଫୁଲତୋଡ଼ା ସହିତ ମାଳ ନେଉଛନ୍ତି। ତେଣୁ ଫୁଲ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଗୋଟିଏ ଗୋଟିଏ ସାଧାରଣ ସଭାରେ ସର୍ବନିମ୍ନ ୫୦ ହଜାର ଟଙ୍କା ଫୁଲ ପାଇଁ ଖର୍ଚ୍ଚ କରିବାରେ କର୍ମୀମାନେ ପଛଘୁଞ୍ଚା ଦେଉନାହାନ୍ତି। ଏଥି ସହିତ ପ୍ରଚାର ପାଇଁ ଗାଡ଼ି ସଜାଇବାରେ ମଧ୍ୟ ୨୦ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ନେତାଙ୍କ ବେକରେ ମାଳ ଛୁଆଁଇବା ପାଇଁ ହଜାର ହଜାର ଟଙ୍କାର ବଡ଼ ଓ ମୋଟା ଫୁଲହାର କିଣାଯାଉଛି। ଏକ ନମ୍ବର ମାର୍କେଟଠାରେ ଥିବା ମା’ ଶାରଳା ଫ୍ଲୋରିଷ୍ଟ୍‌ର ବ୍ୟବସାୟୀ ସରୋଜ ଜେନା କହିଛନ୍ତି, ‘‘ବର୍ତ୍ତମାନ ବେଙ୍ଗାଲୁରୁ, କୋଲକାତା ଆଦିରୁ ଲିଲି, ଅର୍କିଡ, ଡେଜି, ଜରବେରା, ଗେଣ୍ଡୁ, ମଲ୍ଲି, ରଜନୀଗନ୍ଧା ଆସୁଛି। ଧଳାରଙ୍ଗକୁ ଶୁଭ ମାନୁଥିବାରୁ ନିର୍ବାଚନ ପାଇଁ କର୍ମୀମାନେ ଧଳାଫୁଲର ତୋଡ଼ା ସହିତ ମାଳ ନେଉଛନ୍ତି। ପ୍ରାୟ ଏବେ ୯୦ପ୍ରତିଶତ ଧଳାଫୁଲ ହିଁ ବିକ୍ରି ହେଉଛି। ଗେଣ୍ଡୁମାଳ ଓ ଗୋଲାପମାଳ, ରଜନୀଗନ୍ଧାମାଳ ମଧ୍ୟ ବିକ୍ରି ହେଉଛି। ଲିଲିର ତୋଡ଼ା ବିକ୍ରି ବଢ଼ିଛି। ଏହାର ଦାମ୍‌ ୮ଶହ ଟଙ୍କାରୁ ନେଇ ୧୦ ହଜାର ଯାଏ ରହିଛି। ଗୋଟିଏ ଷ୍ଟିକ୍‌କୁ ୩ଶହ ଟଙ୍କା। ଧଳା ଗୋଲାପର ମାଳ ୩.୫ଫୁଟ୍‌କୁ ୫ହଜାର ଟଙ୍କା, ୧୨ ଫୁଟ୍‌କୁ ୨୦ ହଜାର ଟଙ୍କା ରହିଛି। ଲାଲ୍‌ ଗୋଲାପର ମାଳ ୩ଫୁଟ୍‌କୁ ଅଢ଼େଇ ହଜାର ଟଙ୍କା, ୧୨ ଫୁଟ୍‌କୁ ୧୫ ହଜାର ଟଙ୍କା। ଗୋଟିଏ ଧଳା ଗୋଲାପର ଦାମ୍‌ ୩୦ଟଙ୍କା ରହିଛି। ଧଳା ଜାରବେରାରେ ମାଳ ହେଲେ ୬ଶହରୁ ୭ଶହ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ରଜନୀଗନ୍ଧାମାଳ ୩ଶହରୁ ନେଇ ୧୦ହଜାର ପର୍ଯ୍ୟନ୍ତ ରହିଛି। ବାସ୍କେଟର ମଧ୍ୟ ଚାହିଦା ବଢ଼ିବା ସହିତ ତାର ଦାମ୍‌ ୭୫୦ଟଙ୍କାରୁ ନେଇ ୩ହଜାର। ଗେଣ୍ଡୁଫୁଲର ଗୋଟିଏ ‌ଷ୍ଟିକ୍‌ର ଦାମ୍‌ ୪୦ଟଙ୍କା ରହିଛି।’’
ସାଇ ଫ୍ଲୋରିଷ୍ଟର ବ୍ୟବସାୟୀ ନୀଳକାନ୍ତ ମାଝି କହନ୍ତି, ‘‘ଲିଲି ଶୀତଦିନରେ ୨୦ରୁ ୨୫ ଦିନଯାଏ ରହେ। କିନ୍ତୁ ଖରାଦିନେ ଏହା ଶୀଘ୍ର ନଷ୍ଟ ହୋଇଯାଇଥାଏ। ତେଣୁ ପ୍ରତିଦିନ ପାଣି ବଦଳାଇବା ସହିତ କଟାଯାଏ। ଏହାକୁ ବେଶିରୁ ୧୫ଦିନ ଯାଏ ରଖିହୁଏ।’’

ଓଡ଼ିଶାରେ ବିଭିନ୍ନ ଜିଲ୍ଲାମାନଙ୍କରେ ଫୁଲ ଚାଷ ହେଉଥିଲେ ମଧ୍ୟ ତାହାର ମାର୍କେଟିଂ ଠିକ୍‌ ଭାବେ ହୋଇପାରୁ ନାହିଁ। ଖୋର୍ଦ୍ଧାର‌ ଡେରାସ୍‌, ନର୍ଦ୍ଦାରେ ଲିଲି ଚାଷ କରାଯାଉଛି। ବ୍ରହ୍ମପୁରରେ ଗେଣ୍ଡୁ, ରଜନୀଗନ୍ଧା ଚାଷ ହୁଏ। ଦେବଗଡ଼ରେ ଜାରବେରା, ଭୁବନେଶ୍ବରରେ ଅର୍କିଡ଼, ଆଠଗଡ଼ରେ ଗୋଲାପ ଆଦି ଚାଷ କରାଯାଉଛି। ବିଶେଷକରି ରାଜଧାନୀରେ ଫୁଲର ଏତେ ବଡ଼ ବଜାର ଥିବା ସତ୍ତ୍ବେ ରାଜ୍ୟର ଚାଷୀ ଏହାର ଲାଭ ଉଠାଇ ପାରୁ ନାହାନ୍ତି। ବର୍ଷକୁ ହେଉଥିବା କୋଟି କୋଟି ଟଙ୍କାର ଏହି କାରବାରରେ ଓଡ଼ିଆ ଚାଷୀଙ୍କର ଭାଗ ନାହିଁ। ତେଣୁ ବାହାର ରାଜ୍ୟରୁ ବ୍ୟବସାୟୀ ଫୁଲ ଆଣି ବିକ୍ରି କରୁଛନ୍ତି। ଏନେଇ ଓୟୁଏଟିର ସର୍ବଭାରତୀୟ ସମନ୍ବିତ ପୁଷ୍ପ ଗବେଷଣା ପ୍ରକଳ୍ପର ବିଶେଷଜ୍ଞ ସିଦ୍ଧାର୍ଥ କୁମାର ପଲାଇ କହିଛନ୍ତି, ‘‘ ରାଜ୍ୟରେ ବିଦେଶୀ ଫୁଲ ଚାଷ କରିବାକୁ ହେଲେ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଲିଲି ଚାଷ କରିବାକୁ ଏକ ଏକରକୁ ପାଖାପାଖି ୭୦ରୁ ୮୦ଲକ୍ଷ ଖର୍ଚ୍ଚ ହେଉଛି। ଓଡ଼ିଶାର ଜଳବାୟୁ ଗରମ ହୋଇଥିବାରୁ ତାକୁ ପଲ୍ଲୀହାଉସ୍‌ରେ ଚାଷ କରିବାକୁ ପଡ଼େ। ତା’ଛଡ଼ା ହଲାଣ୍ଡରୁ ବୀଜ ଆସୁଥିବାରୁ ଗୋଟିକୁ ୨୦ରୁ ୨୫ଟଙ୍କା ପଡ଼ୁଛି। ଏଠାରେ ଗେଣ୍ଡୁ ଓ ଗୋଲାପ ଚାଷ ହେଉଥିଲେ ମଧ୍ୟ ଆକାର ଛୋଟଥିବାରୁ ବଜାରରେ ତାର ଚାହିଦା ଖୁବ୍‌ କମ୍‌ ଥାଏ। ଛୋଟ ହେବାର କାରଣ ହେଉଛି ଗରମ ଜଳବାୟୁ। କିନ୍ତୁ ଶୀତଦିନରେ ଏହାର ଆକାର କିଛିମାତ୍ରାରେ ବଢ଼ିଥାଏ। ବ୍ୟବସାୟୀମାନେ ଫୁଲ ପାଇଁ ବାହାର ରାଜ୍ୟକୁ ଭରସା କରିବାର ମୁଖ୍ୟ କାରଣ ହେଉଛି ବଜାର ନାହିଁ ତଥା ଏହାକୁ ଚାଷ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।’’

ସମ୍ବନ୍ଧିତ ଖବର