ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା, ଗାର୍ଡ ଅଫ୍‌ ଅନର୍‌ ତଦାରଖ କଲେ ସିପି

ଆଜିଠୁ କାରକେଡ୍‌ ରିହର୍ସାଲ୍‌, ଦାୟିତ୍ବରେ ୩ଶହ ଅଧିକାରୀ, ୫୫ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ବର: ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିସନରେଟ୍ ପୁଲିସ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀରୁ ଶ୍ରୀମନ୍ଦିର ଯାଏ ପୁଲିସ ଛାଉଣି ରହିବ। ସୁରକ୍ଷା ବ୍ୟବସ୍ଥାରେ ୩ ଶହ ବରିଷ୍ଠ ପୁଲିସ ଅଧିକାରୀ ଥିବା ବେଳେ ବିମାନବନ୍ଦରରୁ ପୁରୀ, ରାଜଭବନ ଆଦି ସ୍ଥାନରେ ୫୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ ମୁତୟନ ହେବେ। କେବଳ ରାଜଧାନୀରେ ୩୦ ପ୍ଲାଟୁନ୍‌ ପୁଲିସ ମୁତୟନ ହେ‌ବେ।

ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ ଏବଂ ଅନ୍ୟ ଅଧିକାରୀମାନେ ବିମାନବନ୍ଦରକୁ ଯାଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛନ୍ତି। ବିଶେଷକରି ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କିଭଳି ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ, ତା’ର ରିହର୍ସାଲ କରାଯାଇଛି। ବୁଧବାର ଦିନ ଫୁଲ୍‌ ଡ୍ରେସ୍ ରିହର୍ସାଲ କରାଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ସେହିପରି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ପାଇଁ ଏସ୍‌ପି ରୢାଙ୍କର ୫ ଓ ଏଏସ୍‌ପି ରାଙ୍କର ୭ ଅଧିକାରୀଙ୍କ ସମେତ ୧୮ ଡିଏସ୍‌ପି ଏବଂ ୩୦ ଇନ୍ସପେକ୍ଟରଙ୍କୁ ଦାୟିତ୍ବ ଦିଆଯାଇଛି। ୧୧୦ ଜଣ ଏସ୍‌ଆଇ, ଏଏସ୍‌ଆଇ ଓ ୩୦୦ ହୋମଗାର୍ଡ ଓ ୨୪ ପ୍ଲାଟୁନ ପୁଲିସ ମୁତୟନ ରହିବେ। ଆସନ୍ତାକାଲି ପୁରୀରେ ମଧ୍ୟ କାର୍‌କେଡ୍ ରିହର୍ସାଲ କରାଯିବ। ଶ୍ରୀମନ୍ଦିରରୁ ରାଜଭବନ ପର୍ଯ୍ୟନ୍ତ କାର୍‌କେଡ୍ ରିହର୍ସାଲ୍‌ କରାଯିବ। ମନ୍ଦିର ଗସ୍ତ ସମୟ ଅନୁଯାୟୀ ବୁଧବାର ସକାଳେ ରିହର୍ସାଲ କରାଯିବ।

ସମ୍ବନ୍ଧିତ ଖବର