ସପ୍ତାହେ ନପୂରୁଣୁ ଭୁଶୁଡ଼ିଲା ଡ୍ରେନ୍‌

ପୁରୁଣା ଭୁବନେଶ୍ୱର: ମାତ୍ର ସପ୍ତାହଟିଏ ବିତିଛି କି ନାହିଁ, ନିର୍ମାଣ ହୋଇଥିବା ଡ୍ରେନ୍‌ର କଂକ୍ରିଟ୍‌ କାନ୍ଥ ଭୁଶୁଡ଼ି ପଡ଼ିଛି। ସାମନ୍ତରାପୁର ନିକଟ ଜାତୀୟ ରାଜପଥ କଡ଼ରେ ନିର୍ମାଣାଧୀନ ଡ୍ରେନ୍‌ର ପ୍ରାୟ ୧୦ ମିଟର ଦୈର୍ଘ୍ୟର କଂକ୍ରିଟ୍ କାନ୍ଥ ଭୁଶୁଡ଼ି ପଡ଼ିଛି। ତେଣୁ ନିମ୍ନମାନର କାର୍ଯ୍ୟ ଚାଲିଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦାମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ସାମନ୍ତରାପୁର ଛକରୁ ଗଙ୍ଗୁଆ ଆଡ଼କୁ ୫ଶହ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଡ୍ରେନ୍‌ ତିଆରି ଚାଲିଥିଲା। ପୂର୍ତ୍ତ ବିଭାଗର ଏସ୍‌ଡିଓ ମାନସ ରଞ୍ଜନ ସେଠୀଙ୍କ ତତ୍ବାବଧାନରେ କାର୍ଯ୍ୟ ଚାଲିଥିବା ସତ୍ତ୍ବେ ଡ୍ରେନ୍‌ କାନ୍ଥ ଭୁଶୁଡ଼ିଗଲା। ତେଣୁ କାମ ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଭିଯୋଗ ଅନୁସାରେ ନିମ୍ନମାନର କାମ ଯୋଗୁଁ ଡ୍ରେନ୍‌ କାନ୍ଥ ଭୁଶୁଡ଼ି ପଡ଼ିଛି। ନିମ୍ନମାନର ରଡ୍‌, ସିମେଣ୍ଟ ଓ ନିମ୍ନମାନର କାମ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଏତିକି ଭୁଶୁଡ଼ି ପଡ଼ିଛି, ଆଗକୁ ବର୍ଷା ଦିନ ଆସିଲେ, ଅଧିକ ଭୁଶୁଡ଼ିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ନିମ୍ନମାନର କାମ ହେଉଥିବା ନେଇ ବିଭାଗୀୟ ଅଧିକାରୀମାନେ ଜାଣିଥିଲେ ବି ଚୁପ୍‌ ରହିଥିବା ନେଇ ଶ୍ରୀ ନାୟକ ସଂଗିନ୍ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର