ବିଧାନସଭା ଆଗରେ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ: ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କେମିତି ଘଟିଲା ଅଘଟଣ?

ସିସିଟିଭି ନଜରରେ ଥିଲା ଗାନ୍ଧୀମାର୍ଗ
କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଥିଲେ ଏସିପି
ପୁଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର : ଏଥର ବିଧାନସଭା ମୌସୁମୀ ଅଧିବେଶନ ସମୟରେ ଯେମିତି କେହି ଆତ୍ମହତ୍ୟା ଉଦ୍ୟମ ନ କରିବେ ତା’ ଉପରେ ପୁଲିସର ଥିଲା ସ୍ବତନ୍ତ୍ର ନଜର। ବିଧାନସଭା ଚାରିକଡ଼କୁ ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଏରିଆ ଘୋଷଣା କରାଯାଇଥିଲା। ସ୍ପେସାଲ ବ୍ରାଞ୍ଚ ସହ କମିସନରେଟ ପୁଲିସର ଗୁଇନ୍ଦା ମଧ୍ୟ ନଜର ରଖିଥିଲା। ସାଦା ପୋଷାକରେ ପୁଲିସ ବୁଲୁଥିଲେ। ତା’ ସାଙ୍ଗକୁ ପୂରା ଗାନ୍ଧୀ ମାର୍ଗ ସିସିଟିଭି ନଜରରେ ରହିଥିଲା। କିନ୍ତୁ ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ନିଜ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଦୁଷ୍ମନ୍ତ ଏକୁଟିଆ ଚାଲିଚାଲି ଆସି ଏକ ଗଛ ମୂଳେ ଛିଡ଼ା ହୋଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ସାଦା ପୋଷାକଧାରୀ ଗୁଇନ୍ଦା ଓ ପୁଲିସ କର୍ମଚାରୀ କେମିତି ଦେଖି ପାରିଲେ ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବରୁ ବିଧାନସଭା ଅଧିବେଶନ ସମୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଘଟଣାକୁ ଆଖି ଆଗରେ ରଖି କମିସନରେଟ ପୁଲିସ ପକ୍ଷରୁ ଏଥର ମୌସୁମୀ ଅଧିବେଶନ ପୂର୍ବରୁ ଅଧିକ କଟକଣା ଲଗା ଯାଇଥିଲା। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା-୨୮ ଅନୁସାରେ ପୁଲିସ କମିସନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ବିଧାନସଭା ସଂଲଗ୍ନ ୫ଟି ରାସ୍ତାରେ କଟକଣା କରା ଯାଇଥିଲା। ମହାତ୍ମା ଗାନ୍ଧୀ ମାର୍ଗରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଥିଲା। ମାଷ୍ଟରକ୍ୟାଣ୍ଟିନଠାରୁ ପିଏମଜି ପର୍ଯ୍ୟନ୍ତ ପୁଲିସ ଛାଉଣି ହୋଇଥିଲେ। ପିଏମଜି ଛକ ପୂର୍ବରୁ ବରିଷ୍ଠ ପୁଲିସ ଅଧିକାରୀଙ୍କର କ୍ୟାମ୍ପ ରହିଥିବାବେଳେ ଲୋୟର ପିଏମଜି ରାସ୍ତାର ପ୍ରବେଶ ପଥରେ ଗୋଟିଏ କ୍ୟାମ୍ପ ପଡ଼ିଥିଲା। ସାଦା ପୋଷାକରେ ଗୁଇନ୍ଦା ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସତର୍କ ଦୃଷ୍ଟି ରଖିଥିଲେ। କିନ୍ତୁ ବୁଧବାର ମଧ୍ୟାହ୍ନରେ ବିଜେପି ପକ୍ଷରୁ ବିଧାନସଭା ଘେରାଉର କିଛି ସମୟ ପରେ ଏହି ଅଘଟଣ ଘଟିଥିଲା। ଅଚାନକ ଦୁଷ୍ମନ୍ତ ଗାନ୍ଧୀମାର୍ଗ ଓ ସରକାରୀ କ୍ବାର୍ଟର୍ସ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଦେବଦାରୁ ଗଛ ନିକଟକୁ ଆସି ନିଜ ହାତ କାଟିବା ସହ ବିଷ ପିଇ ଦେଇଥିଲେ। ପ୍ରଶ୍ନ ଉଠୁଛି, ଦୁଷ୍ମନ୍ତ ଚାଲିଚାଲି ଆସିବା ଘଟଣାକୁ ପୁଲିସ ଓ ଗୁଇନ୍ଦା କର୍ମଚାରୀ କେମିତି ଦେଖି ପାରିଲେ ନାହିଁ? ପୂରା ଗାନ୍ଧୀ ମାର୍ଗ ଓ ଯେଉଁ ଅଞ୍ଚଳରେ ଘଟଣା ଘଟିଛି ତାହା ସିସିଟିଭି ନଜରରେ ଥିଲା। ଏହାର କଣ୍ଟ୍ରୋଲ ରୁମ୍ ଦାୟିତ୍ବରେ ଜଣେ ଏସିପି ଥିଲେ ମଧ୍ୟ କେମିତି ସନ୍ଦିଗ୍ଧ ଦୁଷ୍ମନ୍ତଙ୍କ ଗତିବିଧି ସମ୍ପର୍କରେ ଜାଣିପାରି ନ ଥିଲେ? ପୁଲିସ ଅଧିକ ସତର୍କ ଥିଲେ ଆତ୍ମହତ୍ୟାକୁ ରୋକିପାରିଥାନ୍ତା କି ? ପୁଲିସର ଅବହେଳା ପା‌ଇଁ ଅକାଳରେ ଗୋଟିଏ ମୂଲ୍ୟବାନ ଜୀବନ ଚାଲିଗଲା କି?

ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଦୁଷ୍ମନ୍ତ ଯେଉଁ ଅଞ୍ଚଳରେ ଆତ୍ମହତ୍ୟା ଉଦ୍ୟମ କଲେ ସେହି ଅଞ୍ଚଳ ‘ନୋ ମ୍ୟାନ୍‌ସ ଲ୍ୟାଣ୍ଡ’ ଏରିଆ ନ ଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରୁ ତୁରନ୍ତ ତାଙ୍କୁ ଏସ୍‌ସିବି ରେଫର୍ କରାଯାଇଥିଲା। ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ଏକ ଷ୍ଟେସନ ଡାଏରି ହୋଇଛି ଏବଂ ଏହାର ତଦନ୍ତ ଜାରି ରହିଛି।

ବରିଷ୍ଠ ଆଇନଜୀବୀଙ୍କ ମତ:ଦୁଷ୍ମନ୍ତଙ୍କ ବୟାନକୁ ମୃତ୍ୟୁକାଳୀନ ଜମାନବନ୍ଦୀ ବିବେଚନା କରାଯାଇ ପାରିବ
ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ପୁଲିସ
ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ଦୁଷ୍ମନ୍ତ ପୂର୍ବରୁ ଅନେକ ଥର ଲିଖିତ ଅଭିଯୋଗ କରିଥିଲେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିବା ସହ ଭୁଲ୍ ଚିକିତ୍ସା ପାଇଁ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଦର୍ଶାଇ ‘ଇଚ୍ଛାମୃତ୍ୟୁ’ ପାଇଁ ଆବେଦନ କରିଥିଲେ। ବୁଧବାର ସେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଗଣମାଧ୍ୟମର କିଛି ପ୍ରତିନିଧିକୁ ଚିକିତ୍ସା ଅବହେଳା ସମ୍ପର୍କରେ କ୍ଷୋଭ ଓ ଦୁଃଖର ସହ ମନ୍ତବ୍ୟ ଦେଇଥିଲେ। ଏହା ଥିଲା ତାଙ୍କର ଶେଷ ବୟାନ। ରାତିରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କ କହିବା ଅନୁସାରେ, ଏହାକୁ ଦୁଷ୍ମନ୍ତଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ବୋଲି ବିବେଚନା କରାଯାଇପାରିବ। ତା’ ସହିତ ଅପମୃତ୍ୟୁ ମାମଲାର ତଦନ୍ତ ସମୟରେ ସେ ଯେଉଁ ଚିକିତ୍ସା ଅବହେଳା କଥା ଉଠାଇଛନ୍ତି ଏବଂ ଯାହାକୁ ଯାହାକୁ ଦାୟୀ କରିଛନ୍ତି; ଆଇନ ଅନୁଯାୟୀ ସେମାନଙ୍କୁ ମଧ୍ୟ ତଦନ୍ତ ପରିରସଭୁକ୍ତ କରିପାରିବ ପୁଲିସ। ଯେଉଁମାନେ ଦାୟୀ ବୋଲି ଜଣାପଡ଼ିବ ସେମାନଙ୍କ ବିରୋଧରେ ଆଇପିସିର ବିଭିନ୍ନ ଦଫାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାର୍ଜସିଟ୍ ଦାଖଲ କରିପାରିବ। କାରଣ ଚିକିତ୍ସାରେ ଅବହେଳା ଦର୍ଶାଇ ଦୁଷ୍ମନ୍ତ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ପୂରା ବ୍ୟବସ୍ଥାର ଅବହେଳା ସାମ୍ନାକୁ ଆସିଛି।

ନିକଟ ଅତୀତରେ ବିଧାନସଭା ଆଗରେ ଘଟିଥିବା କିଛି ଅଘଟଣ
୨୦୨୦ ଅକ୍ଟୋବର ୧ରେ ନୟାଗଡ଼ ଦଶପଲ୍ଲା ବ୍ଲକ୍‌ ଖମାରି ସାହି ପଞ୍ଚାୟତ କଉଡ଼ା ଅଞ୍ଚଳର ଜିତେନ୍ଦ୍ର ପାଳ ନିଜ ମା’ ଝରଣାଙ୍କ ବେକରେ ଛୁରି ଲଗାଇ ହତ୍ୟା ଉଦ୍ୟମ କରିଥିଲେ।
ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ପୀଡ଼ିତାର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ କିରୋସିନ୍ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ।
ନଭେମ୍ବର ୨୭ରେ ତିନି ଆଠଗଡ଼ ଗୁରୁଡ଼ିଝାଟିଆ ଅଞ୍ଚଳର ୩ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ନ୍ୟାୟ ପ୍ରଦାନ ଦାବିରେ ନଭେମ୍ବର ୨୮ରେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ସୁବ୍ରତ ଦାସ ଓ ତାଙ୍କ ମା’ ସୁଲୋଚନା ଦାସ ଆତ୍ମାହୁତି ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର