ଦେବୀଗଡ଼ାରେ ଜନସମୁଦ୍ର

ରାତି ଗୋଟାଏ ସୁଦ୍ଧା ୭୫ ମେଢ଼ ବିସର୍ଜିତ

ଭସାଣି ବେଳେ ବାମ୍ଫିସାହି-ତଳତେଲେଙ୍ଗା ବଜାର ଗଣ୍ଡଗୋଳ

କଟକ : ଧର୍ମ, ମତ, ବର୍ଣ୍ଣ ନିର୍ବିଶେଷରେ ଏକାଠି ହୋଇଛି ସାରା କଟକ ସହର। ମଙ୍ଗଳାବାଗରୁ ବକ୍ସିବଜାର, ବକ୍ସିବଜାରରୁ ଗୌରୀଶଙ୍କର ପାର୍କ ଆଉ ସେହିଠାରୁ କାଠଯୋଡ଼ିର ଦେବୀଗଡ଼ା ପର୍ଯ୍ୟନ୍ତ ଅଞ୍ଚଳ ପାଲଟିଛି ଜନସମୁଦ୍ର। କଟକର ଗଣପର୍ବ ଶାରଦୀୟ ଦୁର୍ଗାପୂଜାର ଅନ୍ତିମପର୍ବ ଭସାଣ ଉତ୍ସବରେ ସାମିଲ ହୋଇ ମା’ଙ୍କୁ ମେଲାଣି ଦେଉଛନ୍ତି କଟକୀଆ। ଗଲା ୫ ଦିନ ଧରି ଚାଲିଥିବା ଏହି ମହୋତ୍ସବର ଶେଷ ପର୍ଯ୍ୟାୟରେ କାଠଯୋଡ଼ିର ଦେବୀଗଡ଼ାରେ ମା’ଙ୍କୁ ବିସର୍ଜନ କରିବାର ପରଂପରାରେ ଉତ୍ସବମୁଖର ହୋଇ ଉଠିଛି ସାରା ସହର। ଗତକାଲିଠାରୁ ପାରଂପରିକ ରୀତିନୀତିରେ ଭସାଣ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆଜି ରାତି ଗୋଟାଏ ସୁଦ୍ଧା ୭୫ ମେଢ ଦେବୀଗଡ଼ା ଗଡ଼ି ସାରିଛନ୍ତି।

ଗତକାଲି ପ୍ରଥମ ମେଢ ଭାବେ ଦେବୀଗଡ଼ା ଗଡିଥିଲେ ଦରଖାପାଟଣା ବାଙ୍କାବଜାର ମେଢ। ପରକୁ ପର ବେପାରୀସାହି-ବକ୍ସିବଜାର, ପୁରୁଣା ରାଉସାପାଟଣା ମେଢ ଦେବୀଗଡ଼ା ଗଡ଼ି ଥିଲେ। ଗତକାଲି ରାତି ୧୧ଟଟା ସୁଦ୍ଧା ମୋଟ ୧୧ଟି ମେଢ ଦେବୀଗଡ଼ା ଗଡିଥିବା ବେଳେ ଆଜି ପ୍ରଥମ ମେଢ ଭାବେ ଦେବୀ ଗଡ଼ା ଗଡିଥିଲେ ମାଛୁଆ ବଜାର ସର୍ପାଦୁର୍ଗା ମେଢ। କଟକ ମହାନଗରରେ ଚଳିତ ବର୍ଷ ୧୬୦ଟି ମେଢ ପୂଜା ପାଇଥିବା ବେଳେ ଆସନ୍ତାକାଲି ସୁଦ୍ଧା ଭସାଣ ଉତ୍ସବ ଶେଷ ହେବ ବୋଲି ଆଶା କରାଯାଉଛି। କାଠଯୋଡିରେ କୃତ୍ରିମ ପୋଖରୀ ପ୍ରସ୍ତୁତ କରି ସେଥିରେ ମୃଣ୍ମୟ ପ୍ରତିମାଙ୍କୁ ବିସର୍ଜନ କରାଯାଉଛି।

ଦଶହରା ଓ ଭସାଣ ଉତ୍ସବ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ପୁଲିସ ଓ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ବି ଗତକାଲି ବାଦାମବାଡ଼ିରେ ବୋମା ମାଡ଼ ଘଟଣା ସାଧାରଣରେ ଅସନ୍ତୋଷର କାରଣ ହୋଇଥିଲା। ସେହିଭଳି ଆଜି ସଂଧ୍ୟାରେ ମେଢ ଯିବାକୁ ନେଇ ବାମ୍ଫିସାହି ଓ ତଳତେଲେଙ୍ଗା ବଜାର ଅଞ୍ଚଳର ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଠେଲାପେଲା, ଢେଲା ମାଡ଼ ଘଟଣା ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଘଟଣାରେ ୩ ଜଣ ଆହତ ହୋଇଥିବା କୁହାଯାଉଛି। ପୁରୀଘାଟ ଥାନା ପୁଲିସ ଘଟଣାରେ ହସ୍ତକ୍ଷେପ କରି ଦୁଇଟି ଯାକ ମେଢକୁ ଭସାଣ ଶୋଭାଯାତ୍ରାରେ ସାମିଲ ହେବାକୁ ଅନୁମତି ଦେଇନାହିଁ। ଘଟଣାସ୍ଥଳରେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

ଗତକାଲିଠାରୁ ପରଂପରା ଅନୁଯାୟୀ ଭସାଣ ଉତ୍ସବ ଆରମ୍ଭ ହୋଇଥିବା ପ୍ରମୁଖ ମେଢ ଗୁଡ଼ିକ କିନ୍ତୁ କଡ଼ା ସୁରକ୍ଷା ଭିତରେ ଆଜି ସକାଳୁ ମଣ୍ଡପ ଛାଡ଼ିଥିଲେ। ଯାକଜମକ ଶୋଭାଯାତ୍ରାରେ ମଣ୍ଡପରୁ ବାହାରି ଦେବୀଗଡ଼ା ଅଭିମୁଖେ ବିଭିନ୍ନ ମେଢ ବାହାରିଥିଲେ। ମଙ୍ଗଳାବାଗ ନିକଟରେ ଦଳମତ ନିର୍ବିଶେଷରେ ସହରର ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ସବୁ ମେଢକୁ ସମ୍ବର୍ଦ୍ଧିତ କରିଥିଲେ। ଦିନରେ ମଧ୍ୟାହ୍ନ ଭୋଜନ ପାଇଁ ପାଖାପାଖି ଘଣ୍ଟାଏ କାଳ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅଟକି ରହିବା ପରେ ପୁଣି ଆଗକୁ ବଢିଥିଲେ। ପୁଲିସ୍‌ କମିସନର, ଡିସିପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୌରୀଶଙ୍କର ପାର୍କ ନିକଟରେ ରହି ମେଢ ଗୁଡିକୁ ପରକୁ ପର ଶୃଙ୍ଖଳିତ ଢଙ୍ଗରେ ଆଗକୁ ବଢିବା ପାଇଁ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି।

ସମ୍ବନ୍ଧିତ ଖବର