ଭୁବନେଶ୍ୱର : ୟୁନିଟ୍‌ ୮ ସ୍ଥିତ ରାଜ୍‌ କ୍ଲବ୍‌ ହରପାର୍ବତୀ ପୂଜା କମିଟି ପକ୍ଷରୁ ନିର୍ମିତ ତୋରଣ ‘ରୟାଲ୍‌ ପ୍ୟାଲେସ୍‌‌‌’ରେ ପୂଜା ପାଇବେ ୧୫ଫୁଟର ହର ପାର୍ବତୀ

ଭୁବନେଶ୍ବର: ହିନ୍ଦୁ-ମୁସ୍‌ଲିମ୍‌-ଖ୍ରୀଷ୍ଟିୟାନ ଭାଇମାନଙ୍କ ମିଳିତ ପ୍ରସ୍ତୁତିରେ ଏଥର ବି ଭାଇଚାରାର ବାର୍ତା ବାଣ୍ଟିବ ରାଜ୍‌ କ୍ଲବ୍‌ ହରପାର୍ବତୀ ପୂଜା କମିଟି। ୟୁନିଟ୍‌ ୮ରେ ହୋଇ ଆସୁଥିବା ଏହି ପୂଜାରେ ଚଳିତ ବର୍ଷ ୧୫ଫୁଟର ହର ପାର୍ବତୀ ପୂଜା ପାଇବେ। ୨୧ ଫୁଟର ଜରି ମେଢ଼ ମୂର୍ତି ପଛ ପାର୍ଶ୍ବରେ ଶୋଭା ପାଇବ। ପୂଜା ମଣ୍ଡପ ପ୍ରବେଶ ପଥରେ କେରଳର ରୟାଲ୍‌ ପ୍ୟାଲେସ୍‌ ଅନୁଭବ ଦେବ ୩୫ ଫୁଟ ଉଚ୍ଚ ଓ ୫୫ ଫୁଟ ଓସାରର ତୋରଣ। ଏହା ବଙ୍ଗାଳୀ କାରିଗରଙ୍କ ଦ୍ବାରା ନିର୍ମାଣ ଚାଲିଥିବା ବେଳେ ଥିମ୍‌ ଆଲୁଅ ତୋରଣ ମଧ୍ୟ ଆକର୍ଷଣ ସାଜିବ। ପୂଜା ପାଇଁ ୫ରୁ ୬ଲକ୍ଷ ଟଙ୍କା ଖର୍ଚ ହେବ। ସୁନା ଓ ରୁପା ଅଳଙ୍କାରରେ ସଜେଇ ହେବେ ଦେବୀ ଓ ପାର୍ଶ୍ବ ଦେବଦେବୀ। ସୁରକ୍ଷା ପାଇଁ ବିଶେଷ ଗୁରୁତ୍ବ ଦିଆଯିବ। ସିସିଟିଭି କ୍ୟାମେରା ସହ ସ୍ବେଚ୍ଛାସେବୀମାନେ ନିୟୋଜିତ ହେବେ। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଦର୍ଶନ ଉଦ୍ଦେଶ୍ୟରେ ସ୍ବେଚ୍ଛାସେବୀମାନେ ସହାୟତା ଯୋଗାଇ ଦେବେ। ଭସାଣି କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟ ସହ କିଛି ପୂଜା କମିଟିକୁ ସମ୍ବର୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଅଷ୍ଟମୀରେ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଉପେନ ଗୋଚ୍ଛାୟତ, ଜୀବନ ପଣ୍ଡା, ବିଜୟ ଖୁଣ୍ଟିଆ ଓ ହାଇଦର ମହମ୍ମଦ ଓ ଅନ୍ୟ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିବେ।

ଜଗ୍‌ଲର ସୋ’
ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଜଗ୍‌ଲର ସୋ’ ଆକର୍ଷଣ ସାଜିବ। ନିଆଁକୁ ଆୟତ୍ତ ପୂର୍ବକ ସାହସିକ କ୍ରୀଡ଼ା ପ୍ରଦର୍ଶନ ମଂଚ ଉପରେ ଦେଖିବାକୁ ମିଳିବ। ଷଷ୍ଠୀ ଓ ସପ୍ତମୀରେ ନୃତ୍ୟ ପ୍ରତିଯୋଗିତା ସହ ଅଷ୍ଟମୀରେ ମେଲୋଡ଼ି କାର୍ଯ୍ୟକ୍ରମ ପରିବେଷଣ ହେବ। ଏଥିସହ ‌ପିଲାମାନଙ୍କ ପାଇଁ ମ୍ୟାଜିକ୍‌ ସୋ’ର ବ୍ୟବସ୍ଥା ରହିଛି। ୧୦ମୀ ଦିନ ଗୋଟିପୁଅ, ଓଡ଼ିଶୀ, ଛଉ ନୃତ୍ୟ ପରିବେଷଣ କରାଯିବ।
ବନ ପ୍ରସାଦ ପଟ୍ଟନାୟକ (ସମ୍ପାଦକ)

ଟ୍ରାଫିକ୍‌ ସଚେତନତା ବାର୍ତା ଦିଆଯିବ
ଟ୍ରାଫିକ୍‌ ନିୟମକୁ ନେଇ ନୂଆ ନିୟମ ପ୍ରଣୟନ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ପରିଲକ୍ଷିତ ହେଉଥିବା ବେଳେ ଟ୍ରାଫିକ୍‌ ସଚେତନତାର ବାର୍ତା ବାଣ୍ଟିବ ପୂଜା କମିଟି। ଏଥିସହ ଥରେମାତ୍ର ବ୍ୟବହୃତ ପ୍ଲାଷ୍ଟିକ୍‌ରୁ ଦୂରେଇ ରହିବା ପାଇଁ ସଚେତନ କରାଯିବା ସହ ବୃକ୍ଷରୋପଣର କାର୍ଯ୍ୟକ୍ରମ ରହିଛି।
କୈଳାସ ଚନ୍ଦ୍ର ମହାନ୍ତି (କର୍ତା)

ସମ୍ବନ୍ଧିତ ଖବର