ବିରାଜିବେ ମହାମାୟା, ମହିଳା କଏଦୀଙ୍କୁ ଶାଢ଼ି ପୂଜା ସୁଯୋଗ

ଭୁବନେଶ୍ବର: ଷ୍ଟେସନ୍‌ ବଜାରରେ ଝଲସିବ ମହାରାଷ୍ଟ୍ର ଔରଙ୍ଗାବାଦର ଅଜନ୍ତା ଏଲୋରା ଗୁମ୍ଫା। ଚଳିତ ବର୍ଷ ଦୁର୍ଗାପୂଜାରେ ଷ୍ଟେସନ୍‌ ବଜାର ଦୁର୍ଗାପୂଜା ସମିତି ଶ୍ରଦ୍ଧାଳୁଙ୍କୁ କିଛି ସମୟ ପାଇଁ ଅଜନ୍ତା ଏଲୋରା ଗୁମ୍ଫାରେ ପ୍ରବେଶ କରିବାର ଅନୁଭବ ଦେବ। ୧୨୦ ଫୁଟ ଦୀର୍ଘ ଓ ୫୦ ଫୁଟ ଉଚ୍ଚର ଏହି ତୋରଣ ଝୋଟ, ପ୍ଲାଏ, ପ୍ଲାଷ୍ଟର ପ୍ୟାରିସ୍‌ ଓ ସୋଲରେ ନିର୍ମିତ ହେବ। ଏହାଠୁ ବଳିଯିବ ଭିତର ମହଲର ଦୃଶ୍ୟ। ଆଦିମ ମଣିଷର ପୂଜା ପଦ୍ଧତିଠୁ ନେଇ ଆଧୁନିକ ମଣିଷର ପୂଜା ଆୟୋଜନର କଥାବସ୍ତୁ ଭିତର ପାର୍ଶ୍ବରେ କିଛି ସମୟ ପାଇଁ ଅଟକିଯିବାକୁ ବାଧ୍ୟ କରିବ। ଓଡ଼ିଆ କାରିଗର ସୁବାସ ବେହେରା ଏହି ସୁଦୃଶ୍ୟ କାରୁକାର୍ଯ୍ୟପୂର୍ଣ୍ଣ ତୋରଣ ଭେଟି ଦେବେ। ମା’ ଦୁର୍ଗାଙ୍କ ପଛ ପାର୍ଶ୍ବରେ ଶୋଭା ବଢ଼ାଇବ ୧୫ ଫୁଟ ଉଚ୍ଚର ଚାନ୍ଦି ମେଢ଼। ୨ କୁଇଣ୍ଟାଲ୍‌ରୁ ଅଧିକ ଓଜନ ବିଶିଷ୍ଟ ଏହି ମେଢ଼ ସାଙ୍ଗକୁ ୭୫୦ ଗ୍ରାମ ସୁନା ଅଳଙ୍କାରରେ ମା’ ସଜେଇ ହେବେ। ରାଜେନ୍ଦ୍ର ମୁଦୁଲି ମୃଣ୍ମୟୀ ମୂର୍ତି ପ୍ରସ୍ତୁତରେ ଲାଗିଥିବା ବେଳେ ଚଳିତ ବର୍ଷ ପୂଜା କମିଟି ଏକ ନୂଆ ପଦକ୍ଷେପ ନେଇଛି। ଜେଲ୍‌ରେ ରହିଥିବା ୧୫ରୁ ୨୦ଜଣ ମହିଳାଙ୍କୁ ଅଷ୍ଟମୀ ଦିନ ଶାଢ଼ି ପୂଜାର୍ଚନାର ସୁଯୋଗ ‌ଦିଆଯିବା ନେଇ ଜେଲ୍‌ କର୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ୩ ହଜାର ଲୋକଙ୍କ ପାଇଁ ଅଷ୍ଟମୀ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ।

ଭସାଣିରେ ୨୫୦ କଳାକାର ସାମିଲ୍‌‌ ‌ହେବେ
ପୂଜା କମିଟି ପକ୍ଷରୁ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମରେ ଷଷ୍ଠୀରୁ ୧୦ମୀ ପର୍ଯ୍ୟନ୍ତ ମେଲୋଡ଼ି ଅନୁଷ୍ଠିତ ହେବ। ନବମୀ ଦିନ ଦୀପ୍ତିରେଖା ପାଢ଼ୀ ସଂଗୀତରେ ଦର୍ଶକଙ୍କ ମନୋରଂଜନ କରିବେ। ପାରମ୍ପରିକ ବାଜାରେ ଶିଙ୍ଘବାଜା, ଦୁଲଦୁଲି, ପଂଜାବୀ ବାଜା, ପୁରୀର ସାହିଯାତ ଦେଖିବାକୁ ମିଳିବ। ୨୨ଟି ପାରମ୍ପରିକ ଅନୁଷ୍ଠାନର କଳାକାରମାନେ ସାମିଲ୍‌ ହେବେ। ଭସାଣି ଯାତ୍ରା ବାଣୀବିହାରରୁ ସହିଦନଗର ଦେଇ ରାଜମହଲରେ ଶେଷ ହେବ। ସେଠାରୁ ମା’ ଦୟାନଦୀକୁ ବିସର୍ଜନ ପାଇଁ ଯିବେ।
ଗଣେଶ ସାହୁ (ସଭାପତି)

ଶୃଙ୍ଖଳା ପାଇଁ ରହିବେ ୧୩୦ ସ୍ବେଚ୍ଛାସେବୀ
ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧୩୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ମହିଳା ସ୍ବେଚ୍ଛାସେବୀ ମଧ୍ୟ ସ୍ବତନ୍ତ୍ର ଭାବେ ପୂଜାସ୍ଥଳରେ ରହିବେ। ପୂଜା ପରିସରରେ ୩୦ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସୁବିଧାରେ ଦର୍ଶନ କରାଇବା ପାଇଁ ହ୍ବିଲ୍‌ ଚେୟାର ରହିବ।
ଦୀପକ ଜେନା (ସମ୍ପାଦକ)

ସମ୍ବନ୍ଧିତ ଖବର