ଭୁବନେଶ୍ବର,: ପାର୍ବଣ ନେଇ ପୁଣି ଫେରିଛି ଶରତ। ମାତ୍ର ଏଥର ସାଙ୍ଗରେ ଆଣିନି ଉତ୍ସାହ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। କିନ୍ତୁ ଏଥର ସଜେଇ ହୋଇନି ପୂଜା ମଣ୍ଡପ। ମନ ଚାହୁଁଛି ମା’ଙ୍କ ଦର୍ଶନ ସହ ପାର୍ବଣର ମଜା ଉଠାଇବା ପାଇଁ। ହେଲେ ବେଡ଼ି ପକାଇ ଦେଇଛି କରୋନା। ଏଥର ୪ଫୁଟ ମଧ୍ୟରେ ମୂର୍ତିର ଉଚ୍ଚତା ସୀମିତ ରହିବ ବୋଲି ପ୍ରଶାସନ ସ୍ଥିର କରିଥିବା ବେଳେ ପୂଜାସ୍ଥଳକୁ ଶ୍ରଦ୍ଧାଳୁମାନଙ୍କୁ ବାରଣ ରହିଛି। ତେଣୁ ଏଥର ପୂଜା କଟକଣାରେ ବିତିଯିବ ବୋଲି ଏକରକମ ସ୍ପଷ୍ଟ ହୋଇଥିବା ବେଳେ ପୂଜା ମଣ୍ଡପ ମଧ୍ୟ କେବଳ ବିଧି ରକ୍ଷା ପାଇଁ ପୂଜା କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜଧାନୀର ପୂଜା ମଣ୍ଡପର ସାଜସଜାକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନାରେ ଏଥର ସହିଦନଗର ଦୁର୍ଗାପୂଜା।
ଚଳିତ ବର୍ଷ ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଅକ୍ଟୋବର ୨୨ରୁ ଷଷ୍ଠୀରୁ ପୂଜା ଆରମ୍ଭ ହୋଇଯିବ। ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପୂଜା ବିଧିର ସମୟ ସାରଣୀ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଯଦିଓ ଏଥର ପୂଜାସ୍ଥଳକୁ କୌଣସି ଶ୍ରଦ୍ଧାଳୁଙ୍କ ଆଗମନ ହେବ ନାହିଁ, କିନ୍ତୁ ମା’ଙ୍କ ଦର୍ଶନ ପାଇଁ ଆଧୁନିକ ଜ୍ଞାନକୌଶଳକୁ ଆପଣାଇଛି ପୂଜା ସମିତି। କାରିଗର ଲକ୍ଷ୍ମୀଧର ରଣାଙ୍କ ଦ୍ବାରା ୪ ଫୁଟର ମୂର୍ତି ପ୍ରସ୍ତୁତି ଚାଲିଥିବା ବେଳେ ମା’ ଏଥର ଅଳଙ୍କାର ବଦଳରେ କାଗଜରେ ପ୍ରସ୍ତୁତ ଅଳଙ୍କାରରେ ସଜେଇ ହେବେ। କାଗଜ ଓ ସୋଲ ମେଢ, ଅଳଙ୍କାର ପ୍ରସ୍ତୁତ କରୁଛନ୍ତି କଟକର ଜିତୁ ପଟ୍ଟନାୟକ। ସପ୍ତମୀରେ ମା’ଙ୍କ ପୂଜା ୬ଟା ୫୭ରୁ ଆରମ୍ଭ ହୋଇ ସକାଳ ୯ଟା ୧୮ ପର୍ଯ୍ୟନ୍ତ ଚାଳିବ। ମହା ଅଷ୍ଟମୀରେ ସକାଳ ୬ଟା ୩୫ରୁ ଆରମ୍ଭ ହୋଇ ୭ଟା ୨୩ ମିନିଟ୍, ମହାନବମୀରେ ସକାଳ ୭ଟା ୪୨ ଓ ଦଶମୀରେ ସକାଳ ୭ଟାରୁ ପୂଜା ଆରମ୍ଭ ହେବ। ଏହା ବ୍ୟତୀତ ପୁଷ୍ପାଞ୍ଜଳି ସମୟ ଦଶମୀ ପର୍ଯ୍ୟନ୍ତ ପୂର୍ବାହ୍ନ୧୧ ଟା, ଭୋଗ ଆରତି ଦିନ ୧ଟା, ଯଜ୍ଞ ଓ ସନ୍ଧ୍ୟା ଆଳତି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଏ ସମସ୍ତ ଦୃଶ୍ୟକୁ ସମିତିର ଫେସ୍ବୁକ୍ ପେଜ୍ ଓ ୟୁ-ଟ୍ୟୁବ୍ରେ ପ୍ରସାରଣ କରାଯିବ। ତେଣୁ ଶ୍ରଦ୍ଧାଳୁମାନେ ଘରେ ରହି ମା’ଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଦେଇପାରିବେ।
ଭକ୍ତଙ୍କ ପୂଜା ପାଇଁ ଅଭିନବ ବ୍ୟବସ୍ଥା
ଭକ୍ତ ଯେପରି ପୂଜାରୁ ବଞ୍ଚିତ ନହେବେ ସେଥିପାଇଁ ପୂଜା ସମିତି ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ପୂଜା କରିବା ପାଇଁ ଭକ୍ତମାନେ ମୋବାଇଲ୍ ନମ୍ବର ୯୪୩୮୭୩୧୬୩୯କୁ ନିଜର ଗୋତ୍ର, ନାଁ ଓ ଠିକଣା ପଠାଇପାରିବେ। ଏଥିସହ ପୂଜା ପାଇଁ ନିର୍ଧାରିତ ଦେୟ ମଧ୍ୟ ପଠାଇପାରିବେ। ଏହାବ୍ୟତୀତ ପୂଜା ପାଇଁ ଯେଉଁମାନେ କିଛି ଦାନ ଦକ୍ଷିଣା ଦେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ପୂଜା ସମିତିର ଆକାଉଣ୍ଟକୁ ପଠାଇପାରିବେ।
ସଚ୍ଚିଦାନନ୍ଦ ରଥ (ସଭାପତି)
ଘରେ ରହି ପୁଷ୍ପାଞ୍ଜଳି ଦିଅନ୍ତୁ
ସରକାରଙ୍କ ଗାଇଡ୍ଲାଇନ୍ ଅନୁକରଣ ପୂର୍ବକ କୌଣସି ସଦସ୍ୟ, ଭକ୍ତ ଓ ସାଧାରଣ ଜନତା ଦୁର୍ଗାମଣ୍ଡପ ପରିସରକୁ ପୂଜାଦିନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଅନଲାଇନ୍ରେ ପୁଷ୍ପାଞ୍ଜଳି ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଘରେ ସୁରକ୍ଷିତ ରହି ସୋସିଆଲ ମିଡିଆ ସହଯୋଗରେ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ତାଳ ଦେଇ ପୁଷ୍ପାଞ୍ଜଳି ଦେଇ ପାରିବେ। ଭୋଗ ପାର୍ସଲ ବି ଘରେ ପହଞ୍ଚିବା ବ୍ୟବସ୍ଥା କରାଯାଇଛି।
ନାରାୟଣ ମହାପାତ୍ର (ସମ୍ପାଦକ)
ମଣ୍ଡପରେ ଭିଡ଼ ନ କରିବାକୁ ପରାମର୍ଶ
ଭୁବନେଶ୍ବର: ଅନ୍ଲକ୍ରେ ଜୀବନ ଜୀବିକାକୁ ଗୁରୁତ୍ୱ ଦିଆଯାଉଥିବାରୁ ଆମକୁ କେତେକ ନିର୍ଦ୍ଦେଶାବଳୀ ମାନି ଚଳିବାକୁ ହେବ। ଯାହାଦ୍ବାରା ଆମେ କରୋନା ସଂକ୍ରମଣକୁ ରୋକି ପାରିବା। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତାହାକୁ ଦୃଷ୍ଟିରେ ନିରାଡ଼ମ୍ବର ଭାବେ ପୂଜାବିଧି କରନ୍ତୁ। ଆଉ କୌଣସି ଜାକଜମକ କରନ୍ତୁ ନାହିଁ। ପୂଜାରେ ସର୍ବସାଧାରଣଙ୍କ ଯୋଗଦାନକୁ ପ୍ରଶ୍ରୟ ନ ଦେବା ଲାଗି ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ନିବେଦନ କରାଯାଇଛି।
ଏକ ଗାଇଡ୍ଲାଇନ୍ ମାଧ୍ୟମରେ ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ପୂଜା ପାଇବାକୁ ଥିବା ମୂର୍ତିଙ୍କ ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖନ୍ତୁ। ପେଣ୍ଡାଲ୍ ଚାରିପାର୍ଶ୍ବ ଘୋଡ଼ାନ୍ତୁ। କୌଣସି ପ୍ରକାରର ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ରଖନ୍ତୁ ନାହିଁ। ଡାକବାଜି ଯନ୍ତ୍ରର ବ୍ୟବହାର କରନ୍ତୁ ନାହିଁ। ଏକ ସମୟରେ ମଣ୍ଡପରେ ପୂଜକ ଓ କର୍ତାଙ୍କୁ ମିଶାଇ ୭ ଜଣଙ୍କଠାରୁ ଅଧିକ ବ୍ୟକ୍ତି ରୁଣ୍ଡ ହୁଅନ୍ତୁ ନାହିଁ। ପୂଜା କରୁଥିବା ଅନୁଷ୍ଠାନ ଗୀତ, ନାଚ, ସଙ୍ଗୀତ, ଖେଳକୁଦ, ସାମଗ୍ରୀ ଦୋକାନ ଖୋଲି କିମ୍ବା ଲଟେରି କାର୍ଯ୍ୟକ୍ରମ କରାଇ ଜନଗହଳି କରାନ୍ତୁ ନାହିଁ। କୋଭିଡ୍-୧୯ ଓ ଆନୁସଙ୍ଗିକ ନିର୍ଦେଶାବଳୀ ମାନି ଚଳନ୍ତୁ। ପ୍ରଶାସନ ଦ୍ୱାରା କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିନା ଆଡମ୍ବରରେ ମୂର୍ତି ବିସର୍ଜନ କରନ୍ତୁ। ଏହି ସବୁ ନିୟମର ଉଲ୍ଲଙ୍ଘନ କଲେ ଦଣ୍ଡ ସାଙ୍ଗକୁ ଜରିମାନା ଆଦାୟ କରାଯିବ ବୋଲି ବିଏମ୍ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।