ଚନ୍ଦ୍ରଶେଖରପୁର: ଦୁର୍ଗନ୍ଧରେ ଫାଟି ପଡ଼ୁଛି ଭୁବନେଶ୍ବର ମହାନଗର ନିଗମ ୩ ନମ୍ବର ୱାର୍ଡରେ ଥିବା ଶ୍ରୀବିହାର। ଅଳିଆ ଗଦା ଗନ୍ଧରେ ଅଞ୍ଚଳବାସୀଙ୍କ ଦିନରାତି କଟୁଛି। ବରିଷ୍ଠ ନାଗରିକ ରାସ୍ତାଘାଟରେ ଯାଇ ପାରୁ ନଥିବା ବେଳେ ମ୍ୟାଲେରିଆ, ଡେଙ୍ଗୁ ପରି େରାଗ ବ୍ୟାପିବାରେ ଲାଗିଛି। ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ଉପୁଜିଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ। ଏନେଇ ବରିଷ୍ଠ ନାଗରିକମାନେ ବିଧାୟକଙ୍କଠାରୁ ଆରମ୍ଭ କରି ମେୟରଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ବି ସୁଫଳ ମିଳୁନିି। ପୂର୍ବରୁ ଯେମିତି ଅଳିଆ ଜମା ହେଉଥିଲା, ଏବେ ବି ସେମିତି ପଡ଼ୁଛି। ପ୍ରଶାସନର ନିଦ ଭାଙ୍ଗୁନି କି ଅଳିଆ ପକାଉଥିବା ସଂସ୍ଥା ‘ଜାଗୃତି’ ଦୃଷ୍ଟି ଦେଉନି। ପରିମାଣ ସ୍ବରୂପ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଭୟଙ୍କର ରୂପ ନେଲାଣି। ସମସ୍ୟା ସମ୍ପର୍କରେ କେହି ଶୁଣୁନଥିବାରୁ ଶେଷରେ ବରିଷ୍ଠ ନାଗରିକମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଅଳିଆ ପକାକୁ ବିରୋଧ କରିବା ସହ ଅଳିଆ ବୁହା ଗାଡ଼ିକୁ ଛାଡ଼ିନାହାନ୍ତି। ସ୍ଥାନୀୟ କର୍ପୋେରଟର ମଧ୍ୟ ବରିଷ୍ଠ ନାଗରିକଙ୍କ ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନନନ୍ଦକାନନରୁ ଜୟଦେବ ବିହାର ରାସ୍ତାପାର୍ଶ୍ବରୁ ଏହି ଅସ୍ଥାୟୀ ଓ ବେଆଇନ ଡମ୍ପିଂୟାର୍ଡ ହଟା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଯେ ପଟିଆ, ଡମଣା, ଚନ୍ଦ୍ରଶେଖରପୁର, କାନନ ବିହାର, ବିଗ୍ବଜାର ଅଞ୍ଚଳରୁ ବାହାରୁଥିବା ଶହେ ଟ୍ରକ୍ ଅଳିଆ ଏଠାରେ ପଡ଼ୁଛି। ଫଳରେ ଶ୍ରୀବିହାରବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରି ପାରୁ ନାହାନ୍ତି। କିଛି ବ୍ୟକ୍ତି ଡେଙ୍ଗୁ, ମ୍ୟାଲେରିଆ ରୋଗରେ ପଡ଼ିଲେଣି। ଏନେଇ ମେୟର ଓ ବିଧାୟକଙ୍କୁ ଜଣାଇବା ପରେ ବି ଡମ୍ପିଂୟାର୍ଡକୁ ବନ୍ଦ କରାଯାଉ ନାହିଁ। ବେଆଇନ ଭାବେ ଅଳିଆ ପକାଉଛି ଜାଗୃତି। ଏନେଇ ଏକ ଦସ୍ତଖତ ଅଭିଯାନ କରାଯାଇ ପ୍ରଶାସନିକ ଅଧିକାରୀଙ୍କୁ ଦିଆଯାଇଥିଲେ ମଧ୍ୟ କିଛି ବି ସୁଫଳ ମିଳୁନି। ଯଦି ବନ୍ଦ କରା ନଯାଏ ତେବେ ବ୍ୟାପକ ଆନ୍ଦୋଳନ ହେବ। ୩ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ ଜେନା କହିଛନ୍ତି ଯେ ଅଭିଯୋଗ ଆସିବା ପରେ ମେୟର, ବିଧାୟକଙ୍କୁ ଅବଗତ କରିଥିଲି। ଏହା ପରେ କିଛି ଦିନ ବନ୍ଦ ହୋଇଥିଲା। ପୁଣି ଅଳିଆ ପଡ଼ୁଛି। ଆଗକୁ ଏଠାରେ ଅଳିଆ ପକାଇବାକୁ ଦିଆଯିବ ନାହିଁ। ଏହି ବିକ୍ଷୋଭରେ ବରିଷ୍ଠ ନାଗରିକ ସଂଘର ସଭାପତି ସୁରେଶ ମିଶ୍ର, କୋଷାଧ୍ୟକ୍ଷ ଅଧିକାରୀ ଶ୍ରୀଚନ୍ଦନ, ଉପସଭାପତି ଅଭୟ ବେହେରା, ସମ୍ପାଦକ ଆରଏନ୍ ଲେଙ୍କା, ଶକ୍ତିପ୍ରସାଦ ମିଶ୍ର, ରାସବିହାରୀ ପରିଜା, ଅମିତାଭ ରଥ, ଏଲ୍ ପି ସିଂ, ଡି କାନୁନ୍ଗୋ, ଗୌରାଙ୍ଗ ସାହୁ, ସୁଧାକର ଦାସ, କୈଳାଶ ଚନ୍ଦ୍ର ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।
ଅଳିଆ ଗଦାରେ ‘ଶ୍ରୀବିହାର’
ଅଳିଆ ବୁହା ଗାଡ଼ିକୁ ଅଟକାଇଲେ ବରିଷ୍ଠ ନାଗରିକ
/sambad/media/post_attachments/wp-content/uploads/2018/10/ଶ୍ରୀ-ବିହାର-୧.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)