ରାଜଧାନୀରେ ଚାଲିଛି ସ୍ୱଚ୍ଛ ସର୍ବେକ୍ଷଣ : ଗଳିକନ୍ଦିରେ ଆବର୍ଜନା ଭର୍ତ୍ତି

ପୁରୁଣାଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ ପାଇଁ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ଡେରା ପକାଇଛି। ୪ଜଣିଆ ଟିମ୍‌ ଡକୁମେଣ୍ଟ ଯାଞ୍ଚ କରୁଥିବାବେଳେ ୨ଜଣିଆ ଟିମ୍‌ ଭୁବନେଶ୍ୱର ବୁଲି ପରିମଳ ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। କେନ୍ଦ୍ରୀୟ ଟିମ୍‌ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ନଜଣାଇ ରାଜଧାନୀରେ ଚକ୍କର କାଟୁଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କିନ୍ତୁ ନିଜକୁ ଅଧିକ ଚାଲାକ ଭାବୁଛନ୍ତି। ଯେଉଁଥିପାଇଁ ରାଜଧାନୀର ପ୍ରମୁଖ ଛକ, ମୁଖ୍ୟ ରାସ୍ତା ଆଦିକୁ ପରିଷ୍କାର କରି ଦିଆଯାଇଥିବାବେଳେ ଗଳିକନ୍ଦିରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। ବିଶେଷ କରି ଏକାମ୍ର କ୍ଷେତ୍ରରୁ ନବୀନ ନିବାସ ଆଡ଼କୁ ଯାଇଥିବା ଜମେଶ୍ୱର ପାଟଣା ରାସ୍ତାରେ ମଇଳା ନର୍ଦମା ପାଣି ଭାସୁଛି। ଶହ ଶହ ଶ୍ରଦ୍ଧାଳୁ ଏହି ରାସ୍ତରେ ଯିବା ଆସିବା ବେଳେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏହି ରାସ୍ତା କଡ଼ରେ ଥିବା ଡ୍ରେନ୍‌ଗୁଡ଼ିକ ଭଲ ଭାବେ ସଫା ହେଉ ନଥିବାରୁ ଡ୍ରେନ୍‌ ପାଣି ଏବେ ରାସ୍ତାରେ ଭାସୁଛି ବୋଲି ସ୍ଥାନୀୟ ବାସିନ୍ଦା ଶିବ ପ୍ରସାଦ ବେହେରା କହିଛନ୍ତି। ସେହିପରି ପରକରଣ ସାହି ଛକ, ବଣିଆ ସାହି ଛକ, ବେହେରା ସାହି ଛକ, ଚେମେଡ଼ି ସାହି ଛକ, ପାଟଣା ସାହି ଛକରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି। ଏବେ ମୁଖ୍ୟ ରାସ୍ତାକୁ ଛାଡ଼ି ଦେଲେ ଗଳି କନ୍ଦି ଠିକ୍‌ ଭାବେ ସଫେଇ ହେଉ ନାହିଁ ବୋଲି ଅଭିଯୋଗ ହେଉଛି। ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏହି ଅଞ୍ଚଳର ବାସିନ୍ଦାମାନେ କହିଛନ୍ତି ସ୍ୱଚ୍ଛ ସର୍ବେକ୍ଷଣରେ ଆସିଥିବା କେନ୍ଦ୍ରୀୟ ଟିମ୍‌ ମୁଖ୍ୟ ରାସ୍ତା ଛାଡ଼ି ଯଦି ଗଳିକନ୍ଦି ବୁଲିବେ ତେବେ ବିଏମ୍‌ସିର ଅସଲ କାର୍ଯ୍ୟ ଜାଣିପାରିବେ।

ହୁତୁହୁତୁ ଜଳୁଛି ଡମ୍ପିଂୟାର୍ଡ

ଭୁବନେଶ୍ୱର: ଭୁଆସୁଣି ଡମ୍ପିଂୟାର୍ଡରେ ଗଦା ହୋଇଥିବା ପାହାଡ଼ ଉଚ୍ଚର ଆବର୍ଜନାରେ ନିଆଁ ଲାଗି ନିକଟବର୍ତ୍ତୀ ଅଞ୍ଚଳ ପୂରା ଧୂଆଁମୟ ହୋଇଯାଇଛି। ମଙ୍ଗଳବାର ନିଆଁ କିଛି ମାତ୍ରାରେ ନିୟନ୍ତ୍ରଣ ହୋଇଥିଲେ ହେଁ ଆଜି ପୁଣି ହୁତୁହୁତୁ ହୋଇ ଜଳୁଛି। ବିଏମ୍‌ସି କର୍ତ୍ତୃପକ୍ଷ ଜାଣିଶୁଣି ନିଆଁ ଲଗାଇଥିବା ଦାରୁଠେଙ୍ଗ ଗ୍ରାମବାସୀ ଅଭିଯୋଗ ଆଣିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି କେମିତି ନିଆଁ ଲାଗିଛି ଆମେ ଜାଣିନୁ। ନିଆଁ ଲିଭାଇବାକୁ ଆମେ ସବୁ ପ୍ରକାରର ଉଦ୍ୟମ ଲଗାଇଛୁ। ନିିଆଁକୁ ନେଇ ବିଏମ୍‌ସି ଓ ଗ୍ରାମବାସୀ ଟଣାଓଟରା ହେଉଥିବାବେଳେ ନିଆଁ ସଂପୂର୍ଣ୍ଣ ନ ଲିଭିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିଏମ୍‌ସିକୁ ୨୫ହଜାର ଟଙ୍କା ଜରିମାନା କରିବ ବୋଲି ଚେତାଇ ଦେଇଛି। ସ୍ୱଚ୍ଛ ସର୍ବେକ୍ଷଣ ଚାଲିଥିବା ବେଳେ ଭୁବନେଶ୍ୱର ଆସିଥିବା କେନ୍ଦ୍ରୀୟ ଟିମ୍‌ ବୈଜ୍ଞାନିକ ପଦ୍ଧତିରେ ଆବର୍ଜନା ଡମ୍ପିଂୟାର୍ଡରେ ପଡ଼ୁ ନଥିବା ନେଇ ମାର୍କ କାଟିଛି। ଏପଟେ ଗଦା ହୋଇଥିବା ପାହାଡ଼ ଉଚ୍ଚର ଆବର୍ଜନାରେ ନିଆଁ ଲାଗି ଚତୁର୍ଦ୍ଦିଗ ଧୂଆଁମୟ ହୋଇଗଲାଣି। ନିଆଁ କୁହୁଳୁଥିବାରୁ ଧୂଆଁ କମିନି। ଏବେବି କୁହୁଳି କୁହୁଳି ଧୂଆଁ ବାହାରୁଛି। ସହର ବାହାରେ ଡମ୍ପିଂୟାର୍ଡ ହୋଇଥିବାରୁ ଏବଂ କେନ୍ଦ୍ରୀୟ ଟିମ୍‌ ସେଠାକୁ ଯିବାର ସମ୍ଭାବନା ନଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ବି ଉପରଠାଉରିଆ ଭାବେ ନିଆଁ ଲିଭା କାର୍ଯ୍ୟ ତଦାରଖ କରୁଛନ୍ତି।

ଏପଟେ ଦାରୁଠେଙ୍ଗ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବିଏମ୍‌ସି କର୍ତ୍ତୃପକ୍ଷ ଜାଣିଶୁଣି ଡମ୍ପିଂୟାର୍ଡରେ ନିଆଁ ଲଗାଉଛନ୍ତି। ପ୍ରତିବର୍ଷ ଏହିଭଳି ନିଆଁ ଲଗାଉଛନ୍ତି। ଫେବ୍ରୁଆରିରୁ ମେ ମାସ ପର୍ଯ୍ୟନ୍ତ ଏମିତି ନିଆଁ ଲଗାଉଛନ୍ତି। ଏବେଠୁ ଯଦି ବିଏମ୍‌ସି ଉପରେ ରୋକ୍‌ ଲଗାନଯାଏ ତେବେ ଡମ୍ପିଂୟାର୍ଡ ନିକଟବର୍ତ୍ତୀ ବାସିନ୍ଦା, ପଶୁପକ୍ଷୀଙ୍କ ବଞ୍ଚିବା କଷ୍ଟକର ହୋଇଯିବ। ଅକାଳରେ ବହୁ ରୋଗ ମାଡ଼ିଯିବ। ଡମ୍ପିଂୟାର୍ଡରେ ନିଆଁ ଲାଗିବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାଣିବା ପରେ ବିଏମ୍‌ସିକୁ ଚିଠି ଲେଖିଛି। ଆବର୍ଜନାରେ ଲାଗିଥିବା ନିଆଁ ଆକସ୍ମିକ ବୋଲି ବିଏମ୍‌ସି କହିବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଯଦି ଗୁରୁବାର ସୁଦ୍ଧା ନିଆଁ ସଂପୂର୍ଣ୍ଣ ନ ଲିଭେ କିମ୍ବା ଭବିଷ୍ୟତରେ ନିଆଁ ଲଗାଯାଏ ତେବେ ବିଏମ୍‌ସି ୨୫ହଜାର ଟଙ୍କା ଜରିମାନା ଦେବ। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପଦକ୍ଷେପ ନେଇଛି। କୌଣସି ପରିସ୍ଥିତିରେ ବି ଡମ୍ପିଂୟାର୍ଡ ଜଳିବାକୁ ଦିଆଯିବନି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର