ଅଳିଆ ଉଠୁନି, ଗନ୍ଧେଇଲାଣି

ଭୁବନେଶ୍ବର: ଗନ୍ଧେଇଲାଣି ସତ୍ୟ ନଗର। ନା ଉଠୁଛି ଅଳିଆ ନା ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛ। ବାତ୍ୟାର ଦୀର୍ଘଦିନ ପରେ ସତ୍ୟ ନଗରର ବିଭିନ୍ନ ସ୍ଥାନରେ ଏବେ ବି ଗଛ ରାସ୍ତା କଡ଼ରେ ପଡ଼ି ରହିଛି। ଯାହାକି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କଲାଣି। ‘ଫନି’ ବାତ୍ୟାକୁ ୩ ସପ୍ତାହରୁ ଅଧିକ ସମୟ ବିତିଲାଣି। ରାଜଧାନୀର ଅଧିକାଂଶ ଅଞ୍ଚଳ ସ୍ବାଭାବିକ ହୋଇଥିବା ବେଳେ ସତ୍ୟନଗରରେ ଅଲଗା ପରିସ୍ଥିତି ରହିଛି। ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହିଛି। ସତ୍ୟନଗର ମସଜିଦ୍ ନିକଟ ଗଳିରେ ଭଙ୍ଗା ଗଛ ଏବେ ବି ପଡ଼ି ରହିଛି। ନିୟମିତି ଅଳିଆ ଉଠୁ ନ ଥିବାରୁ ଚାରିଆଡ଼େ ଅଳିଆ ଭରି ଗଲାଣି। ପରିସ୍ଥିତି ଏପରି ହୋଇଛି ଯେ ସେହି ରାସ୍ତାରେ ଯିବା ସମୟରେ ଗନ୍ଧରେ ନାକ ଫାଟି ପଡ଼ୁଛି। କେବଳ ମସଜିଦ୍ ଗଳି ନୁହେଁ ଗଉଡ଼ ସାହି ହେଉ ବା ସହିଦ ନଗରକୁ ସଂଯୋଗ କରୁଥିବା ରାସ୍ତା, ସବୁଆଡ଼େ ଅଳିଆ ଭର୍ତ୍ତି। ଆବଶ୍ୟକ ସଂଖ୍ୟକ ଡଷ୍ଟବିନ୍ ଅଭାବରୁ ଅଳିଆ ରାସ୍ତା କଡ଼ରେ ଲୋକମାନେ ପକାଉଛନ୍ତି। ଧୀରେ ଧୀରେ ଅଳିଆ ରାସ୍ତାସାରା ବ୍ୟାପୀ ଯାଉଛି। ଯଦି ଖୁବ୍‌ଶୀଘ୍ର ଅଳିଆ ଉଠା ନ ଯାଏ ତେବେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ଦେଖା ଦେଲାଣି। କେବଳ ଅଳିଆ ନୁହେଁ ସତ୍ୟନଗର ପରିସରରେ ଥିବା ଡ୍ରେନ୍‌ରେ ଅଳିଆ ଭରି ଗଲାଣି। ଡ୍ରେନ୍‌ ନିୟମିତ ସଫା ହେଉ ନ ଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର