ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧ରୁ ଆଉ ରାଜଧାନୀର ରାସ୍ତାକଡ଼ରେ ଡଷ୍ଟବିନ୍ ରହିବ ନାହିଁ। ଆଜି ବିଏମ୍ସି ଗାଡ଼ି ସହର ସାରା ବୁଲିବୁଲି ସବୁ ଡଷ୍ଟବିନ୍କୁ ଉଠାଇନେଇଛି। ନୂଆ ନିୟମାନୁସାରେ ଏଣିକି ସମସ୍ତେ ଦୁଇଟି ଡଷ୍ଟବିନ୍ ରଖିବେ। ଓଦା ଶୁଖିଲା ଆବର୍ଜନାକୁ ପୃଥକ୍ ଭାବେ ରଖି ଘର ପାଖକୁ ଆସୁଥିବା ସଫେଇ ଗାଡ଼ିରେ ଦେବେ। ଏଣୁ ଆଉ କେହି ରାସ୍ତାକଡ଼ରେ ଅଳିଆ ପକାଇବେ ନାହିଁ କିମ୍ବା ପବ୍ଲିକ୍ ଡଷ୍ଟବିନ୍ ଆବଶ୍ୟକ ନାହିଁ। ଯଦି କେହି ରାସ୍ତାକଡ଼ରେ ଆବର୍ଜନା ପକାଏ, ସିସିଟିଭି ଫୁଟେଜ୍ କିମ୍ବା ସାଧାରଣ ଲୋକଙ୍କର ପ୍ରମାଣ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୫ ଶହ ଟଙ୍କାରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା ମଧ୍ୟ କରାଯିବ। ଏଥିପାଇଁ ସାଧାରଣ ଲୋକ ଓ ବ୍ୟବସାୟୀମାନେ ସହଯୋଗ କରିବାକୁ ବିଏମ୍ସି ଅନୁରୋଧ କରିଛି।
ତେବେ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ସାଧାରଣ ଲୋକେ। ବିଏମ୍ସି ଟ୍ବିଟର ହାଣ୍ଡେଲ୍ ଅଭିଯୋଗରେ ଭର୍ତ୍ତି ହୋଇଯାଇଛି। କେହି ବି ଏହାକୁ ସ୍ବାଗତ କରିନାହାନ୍ତି। ଅଧିକ ଡଷ୍ଟବିନ୍ ଯୋଗାଇବା ଆବଶ୍ୟକ ହେଉଥିବା ବେଳେ ଡଷ୍ଟବିନ୍କୁ ହଟାଇବା ଭଳି ନିର୍ବୋଧ ନିଷ୍ପତ୍ତି କାହାର ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି। କେହି କେହି ଲେଖିଛନ୍ତି ଯେ ଯଦି ସଫେଇ ଗାଡ଼ି ଦିନକୁ ଏକାଧିକ ବାର ଆସିବ, ଆଉ ଡଷ୍ଟବିନ୍ ଆବଶ୍ୟକ ହେବ ନାହିଁ। କିନ୍ତୁ ସଫେଇ ଗାଡ଼ି ଦିନରେ ଥରେ ଆସୁଥିବାରୁ ସମସ୍ୟା ହେବ। ଅନେକ ଦମ୍ପତି ଚାକିରି କରିଥିବାରୁ ଗାଡ଼ିବାଲାକୁ ଅପେକ୍ଷା କରିପାରିବେନାହିଁ। ତେଣୁ ତୁରନ୍ତ ଏହି ନିଷ୍ପତ୍ତି ବଦଳାଇ ବିଏମ୍ସି ଅଧିକ ଡଷ୍ଟବିନ୍ ଯୋଗାଇବା ଜରୁରୀ ବୋଲି କେତେକ କହିଛନ୍ତି। ତେବେ ବିଏମ୍ସିର କହିବା କଥା, ଆବର୍ଜନା ପୃଥକୀକରଣ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି।
ପବ୍ଲିକ୍ ଡଷ୍ଟବିନ୍ରେ ମିଶ୍ରିତ ଆବର୍ଜନା ପଡ଼ୁଥିବାରୁ ତାହାକୁ ପରିଚାଳନା କରିବା କାଠିକର ହୋଇପଡ଼ୁଛି। ଏବେ ବହୁ ଲୋକ ଓ ବ୍ୟବସାୟୀ ଦୁଇ ଦୁଇଟି ଡଷ୍ଟବିନ୍ ରଖି ଆବର୍ଜନା ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ବ୍ୟବସାୟୀମାନେ ନିଜ ପରିସରର ୫ ମିଟର ପର୍ଯ୍ୟନ୍ତ ସଫା ରଖିବାକୁ ନିର୍ଦ୍ଦେଶ ହୋଇଛି ଏବଂ କାର୍ଯ୍ୟକାରୀ ବି ହେଉଛି। ସେଥିପାଇଁ ଆଉ ପବ୍ଲିକ୍ ଡଷ୍ଟବିନ୍ ଆବଶ୍ୟକ ନାହିଁ। ତେବେ ଅନେକ ବଡ଼ବଡ଼ ହୋଟେଲ ନିଜର ଆବର୍ଜନା ପରିଚାଳନା କରିବା ବ୍ୟବସ୍ଥା କରିନାହାନ୍ତି। ଏଣୁ ସେମାନେ ପବ୍ଲିକ୍ ଡଷ୍ଟବିନ୍ ବ୍ୟବହାର କରୁଥିଲେ। ଏବେ ସେମାନେ ରାସ୍ତା ଉପରେ ଆବର୍ଜନା ଗଦା କରିବେ। ଫଳରେ ଭୟଙ୍କର ପରିମଳ ସମସ୍ୟା ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି।