ଭୁବନେଶ୍ୱର: ସହରୀ ଜୀବନରେ ଅବସର ବିନୋଦନ ପାଇଁ ସର୍ବାଧିକ ପସନ୍ଦର ସ୍ଥାନ ହେଉଛି ପାର୍କ। ବର୍ତମାନର ଟେକ୍ନୋଲୋଜି ଯୁଗରେ ପାର୍କର ଚାହିଦା ଆଦୌ କମି ନାହିଁ। ସକାଳେ ମର୍ଣ୍ଣିଂ ଓ୍ଵାକ୍ ହେଉ କି ଅପରାହ୍ଣରେ ହାଲ୍କା ପବନରେ କିଛି ନିରୋଳା ସମୟ କାଟିବା ପାଇଁ ହେଉ, ସହରବାସୀଙ୍କ ପାଇଁ ପାର୍କ ଠାରୁ ଉତ୍କଷ୍ଟ ସ୍ଥାନ କିଛି ନାହିଁ। ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା ସର୍ବାଧିକ ପୁରୁଣା ପାର୍କ ଇନ୍ଦିରା ଗାନ୍ଧୀ ପାର୍କରେ ସକାଳେ ଓ ସନ୍ଧ୍ୟାରେ ବେଶ୍ ଭିଡ଼ ଜମୁଛି। ବାହାରକୁ ପାର୍କଟି ସଫାସୁତୁରା ଲାଗୁଥିଲେ ବି ଏକ ସଙ୍ଗିନ୍ ସମସ୍ୟା ପାର୍କ ଯାଉଥିବା ଲୋକଙ୍କୁ ଅସୁବିଧାରେ ପକାଉଛି। ଆଇଜି ପାର୍କରେ ବହୁ ଗଛ ରହିଛି। ପୁଣି ସବୁଦିନେ ଲୋକଙ୍କ ଭିଡ଼ ଜମୁଛି। ତେଣୁ ନିୟମିତ ଭାବେ ପାର୍କ ପରିସର ସଫା କରିବାର ଆବଶ୍ୟକତା ରହିଛି। ନିର୍ଦ୍ଦିଷ୍ଟ ସମୟରେ ସଫା ବି କରାଯାଉଛି। କିନ୍ତୁ ପାର୍କ ଭିତରୁ ଯେଉଁ ଆବର୍ଜନା ବାହାରୁଛି, ତାହା ସବୁଦିନେ ପାର୍କ ବାହାରକୁ ଯାଉ ନାହିଁ। ପାର୍କ ଭିତରେ ହିଁ ଦିନ ଦିନ ଧରି ଅଳିଆ ପଡ଼ି ରହୁଛି।
ପାର୍କ ଭିତରେ ଇଡ୍କଲ୍ ଅଡିଟୋରିୟମ୍ ସାମ୍ନାରେ ଗୋଟିଏ ସ୍ଥାନରେ ଆବର୍ଜନା ଗଦା କରିବା ପାଇଁ ଏକ ଅସ୍ଥାୟୀ ଡମ୍ପିଂୟାର୍ଡ କରାଯାଇଛି। ସେଠାରେ ପାଚେରି କରାଯାଇ ତାହା ଭିତରେ ଅଳିଆ ପକାଯାଉଛି। ସଫେଇ କର୍ମଚାରୀମାନେ ପାର୍କ ସଫା କରି ସେଠାରେ ଯାହା ଆବର୍ଜନା ଓ ପତ୍ର ବାହାରେ ତାହାକୁ ସେହିଠାରେ ପକାଇଦିଅନ୍ତି। ସେହି ପଟେ ଥିବା ଏକ ଛୋଟ ଫାଟକରେ ଆବର୍ଜନା ବାହାରକୁ ଯାଏ। କିନ୍ତୁ ସେହି ଅସ୍ଥାୟୀ ଡମ୍ପିଂୟାର୍ଡକୁ ନିୟମିତ ଆବର୍ଜନା ଉଠୁ ନ ଥିବାର ଦେଖାଯାଉଛି। ୨/୩ ଦିନ ନ ଉଠିଲେ ସେଠାରେ ଆବର୍ଜନା ଏକ ଛୋଟ ପାହାଡ଼ ସୃଷ୍ଟି ହୋଇଯାଉଛି। ପାଚେରି ଉପରେ ବି ଆବର୍ଜନା ଗଦା ହୋଇଯାଉଛି। ଯେଉଁଠାରେ ଅସ୍ଥାୟୀ ଡମ୍ପିଂଆର୍ଡ ହୋଇଛି, ତାହାର ଆଖପାଖରେ ସ୍ଥାନରେ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ଅଛି। ପୁଣି ଘାସ ଗାଲିଚା ଅଛି। ଲୋକମାନେ ସେଠରେ ବସୁଛନ୍ତି। ଆବର୍ଜନା ଗଦା ହେବା ଦ୍ୱାରା ସେଠାରେ ବହୁ ସମୟରେ ଦୁର୍ଗନ୍ଧ ବାହାରୁଛି। ଅପରାହ୍ଣରେ କାଳବୈଶାଖୀ କିମ୍ବା ଜୋର୍ରେ ପବନ ହେଲେ ସ୍ଥିତି ଅସମ୍ଭାଳ ହୋଇଯାଉଛି। ସେଠାରେ ଗଦା ହୋଇଥିବା ପତ୍ର ଓ ଅନ୍ୟ ଆବର୍ଜନା ଉଡ଼ି ପୁଣି ପାର୍କ ଭିତରେ ଖେଳାଇ ହୋଇ ପଡ଼ୁଛି। ପାର୍କ ଯାଉଥିବା ଲୋକମାନେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କର୍ତୃପକ୍ଷଙ୍କ ଏପରି ଖାମଖିଆଲ କାରବାର ଯୋଗୁଁ ପାର୍କର ସୌନ୍ଦର୍ଯ୍ୟ ତ ନଷ୍ଟ ହେଉଛି, ତାହା ସହ ଅବସର ବିନୋଦନ ପାଇଁ ଆସିଥିବା ଲୋକମାନେ କଲବଲ ବି ହେଉଛନ୍ତି।
ଏବେ ଏକ ଘରୋଇ ସଂସ୍ଥାକୁ ପାର୍କର ପରିମଳ ଦାୟିତ୍ୱ ଦିଆଯାଇଛି। ଏଥି ପାଇଁ ବିଡିଏ କର୍ତୃପକ୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହି ସର୍ବନିମ୍ନ ସମସ୍ୟାଟି ଘରୋଇ ସଂସ୍ଥାର ନଜରରେ ପଡ଼ୁ ନାହିଁ। ବିଡିଏ ପକ୍ଷରୁ ଏ ନେଇ ତାଗିଦ୍ ବି କରାଯାଉନି। ଏ ସମ୍ପର୍କରେ ବିଡିଏ ମୁଖ୍ୟ ଉଦ୍ୟାନବିତ୍ ଏ ଏନ୍ ଧରଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଆବର୍ଜନା ନିୟମିତ ଉଠାଇବା ପାଇଁ କୁହାଯାଇଛି। ବର୍ଷା ଯୋଗୁଁ ଏବେ ଉଠା ହୋଇ ପାରି ନ ଥିବ। କିନ୍ତୁ ଏ ଦିଗରେ ଧ୍ୟାନ ଦିଆଯାଉଛି। କେବଳ ପରିମଳ ନୁହେଁ, ଆଇଜି ପାର୍କରେ ଅନ୍ୟ ସମସ୍ୟା ବି କିଛି କମ୍ ନାହିଁ। ପାଣିଫୁଆର ଭାଙ୍ଗି ପଡ଼ିଛି। ପାର୍କରେ କିଛି ଚେୟାରଗୁଡ଼ିକ ଭାଙ୍ଗିରୁଜି ଗଲାଣି। ପିଇବା ପାଣି ସମସ୍ୟା ବି ଗୁରୁତର। ପାଣି ବାହାରୁଥିବା କିଛି ଟ୍ୟାପ୍ ଅଚଳ ହୋଇଯାଇଛି। ଆଉ ନୂଆ ଟ୍ୟାପ୍କୁ କପଡ଼ାରେ ଗୁଡ଼ାଇ ଦିଆଯାଇଛି। ଆଇଜି ପାର୍କ ପରି ଏକ ଜନଗହଳିପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ପାର୍କର ମୌଳିକ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି ହେଉଛି।