ବର୍ଜ୍ୟ ପାଲଟିଲା ବର୍ଜ୍ୟବସ୍ତୁ ସଂଗ୍ରହାଳୟ

ଭୁବନେଶ୍ବର: ବର୍ଜ୍ୟବସ୍ତୁ ଘର କିମ୍ବା ସହରର ଶୋଭା ନଷ୍ଟ କରେ। ଏପରି ଧାରଣାକୁ ଭୁଲ ପ୍ରମାଣିତ କରି ନିର୍ମିତ ହୋଇଥିଲା ‘ଭୁବନେଶ୍ବର ମୁକ୍ତାକାଶ ସଂଗ୍ରହାଳୟ’। ଘାଟିକିଆ କଳିଙ୍ଗ ନଗର କେ-୭ରେ ୫ ଏକର ପରିମିତ ଜାଗାରେ ନିର୍ମିତ ଏହି ସଂଗ୍ରହାଳୟରେ ବିଭିନ୍ନ ବର୍ଜ୍ୟବସ୍ତୁକୁ ନେଇ ଶିଳ୍ପୀ ଗଢ଼ିଥିଲେ ଜୀବନ୍ତ କଳାକୃତି। ଭାରତ ସମେତ ଅଷ୍ଟ୍ରେଲିଆ, ବେଲ୍‌ଜିୟମ୍‌, ନିଉଜିଲାଣ୍ଡ, ଇଂଲଣ୍ଡ, ନେଦରଲାଣ୍ଡ, ଜାପାନ, ସ୍ପେନ୍‌, ଚୀନ, ଆର୍ଜେଣ୍ଟିନା ଭଳି ୧୪ ଦେଶରୁ ୨୧ ଜଣ ଶିଳ୍ପୀ ଏହି ସ୍ଥାପତ୍ୟ ସବୁ ପ୍ରସ୍ତୁତ କରିଥିଲେ। ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଓ ଆର୍ଟିଷ୍ଟ ନେଟ୍‌ୱର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌) ଦ୍ବାରା ନିର୍ମିତ ଏହି ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବର୍ଷ ନଭେମ୍ବର ୨୧ରେ ଉଦ୍‌ଘାଟନ କରିଥିଲେ। ବର୍ଜ୍ୟବସ୍ତୁ ସ୍ଥାପତ୍ୟକୁ ନେଇ ଓଡ଼ିଶାରେ ତିଆରି ହୋଇଥିବା ଏହି ସଂଗ୍ରହାଳୟ ଥିଲା ଓଡ଼ିଶାରେ ପ୍ରଥମ। କିନ୍ତୁ ୬ ମାସ ହୋଇଛି କି ନାହିଁ ଏହି ସ୍ଥାପତ୍ୟର ଶୋଚନୀୟ ଅବସ୍ଥା ଦେଖିଲେ ଦୁଃଖ ଲାଗିବ ନିଶ୍ଚୟ। ବିଡିଏର ରକ୍ଷଣାବେକ୍ଷଣା ଅଭାବ ଏସବୁ ସ୍ଥାପତ୍ୟକୁ ପୁଣି ବର୍ଜ୍ୟବସ୍ତୁରେ ପରିଣତ କରିଦେଇଛି।

୫ଏକର ପରିମିତ ଜମିରେ ନିର୍ମିତ ଏହି ସଂଗ୍ରହାଳୟରେ ଲୁହା ପାତିଆରୁ ତିଆରି ବାଘୁଣୀ ସୁନ୍ଦରୀ, ସାଇକେଲ ପାଇପ୍‌ରୁ ତିଆରି ହାତୀ, ଲୁହା ରଡ୍‌, ସାଇକେଲ ରିମ୍‌ରୁ ତିଆରି ଗଛରେ ବସିଥିବା ମାଙ୍କଡ଼, ଲୁହା ପାତିଆ ଓ କଂକ୍ରିଟ ବୁହା ଭଙ୍ଗା କଡ଼େଇରୁ ତିଆରି ଅଲିଭ୍‌ ରିଡଲ୍‌, ବୋତଲ, ଟାୟାର୍‌, ସ୍କୁଟରର ଭଙ୍ଗା ଅଂଶରୁ ତିଆରି ମାଛ ସହ ସିଂହ ମୁଣ୍ଡ, ଗୋବର ପୋକ, ଓ ଉଡ଼ନ୍ତା ଛଞ୍ଚାଣ ଆଦି ସ୍ଥାପତ୍ୟ ଶୋଭା ପାଉଥିଲେ। ହକି ବିଶ୍ବକପ୍‌କୁ ନଜରରେ ରଖି ସହରର ସୌନ୍ଦର୍ଯ୍ୟକରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଗଲା। କିନ୍ତୁ ବାହାଘର ସରିଲେ ବେଦି ମୁହଁ ପୋଡ଼ା ଭଳି ସଂଗ୍ରହାଳୟ ଖୋଲିଯିବା ପରେ ବିଡିଏ ରକ୍ଷଣାବେକ୍ଷଣ କଥା ଭୁଲିଗଲା। ଏପ୍ରିଲ ମାସ ସୁଦ୍ଧ‌ା ମୁକ୍ତାକାଶ ସଂଗ୍ରହାଳୟ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଏହା ପରେ ମେ’ ୩ର ବାତ୍ୟା ଫନି ବଦଳାଇ ଦେଇଥିଲା ସଂଗ୍ରହାଳୟର ଦୃଶ୍ୟପଟ୍ଟ। ଏବେ ସେଠି ବର୍ଜ୍ୟବସ୍ତୁ ନିର୍ମିତ ବାଘୁଣୀ, ହାତୀ, ମାଙ୍କଡ଼, ଗୋବର ପୋକ ଓ ମାଛ ଓ ବିରାଡ଼ି ସବୁ ଅଛନ୍ତି ସତ କିନ୍ତୁ ସେ ସୌନ୍ଦର୍ଯ୍ୟ ନାହିଁ। ଗଛ ସବୁ ଭାଙ୍ଗି ପଡ଼ିଛି। ସଂଗ୍ରହାଳୟର ରକ୍ଷଣାବେକ୍ଷଣ ବା ଦେଖାଶୁଣା ପାଇଁ ନା ସେଠି କୌଣସି ସୁରକ୍ଷା କର୍ମୀ ଅଛନ୍ତି ନା ସଂଗ୍ରହାଳୟ ତାଲା ପଡ଼ିଛି। କେବଳ ବିଭିନ୍ନ ଦେଶର ଶିଳ୍ପୀଙ୍କ ଦ୍ବାରା ନିର୍ମିତ ଏହି ସ୍ଥାପତ୍ୟକୁ ନିର୍ମାଣ କରି ନିଜ ଦାୟିତ୍ବ ସାରି ଦେଇଛନ୍ତି ବିଡିଏ କର୍ତୃପକ୍ଷ।

ଏନେଇ ଆନ୍‌ପିକ୍‌ର ପରିଚାଳନା ଟ୍ରଷ୍ଟି ଶଶାଙ୍କ ମହାପାତ୍ର କହିଛନ୍ତି‌, ଓଡ଼ିଶାରେ ଏଭଳି ଏକ ଭିନ୍ନଧରଣର ସ୍ଥାପତ୍ୟର ସଂଗ୍ରହାଳୟ ନିର୍ମାଣ ପାଇଁ ଆମେ ଅଣ୍ଟା ଭିଡ଼ିଛୁ। ଏହା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବାର ଏହା ଏକ ଉତ୍ତମ ମାଧ୍ୟମ ସାଜିଥିଲା। କିନ୍ତୁ ସରକାରୀ ସ୍ତରରେ ଏନେଇ କୌଣସି ପ୍ରୋତ୍ସାହନ ମିଳୁନାହିଁ। କେହି ବି ୧ ଟଙ୍କାର ଅନୁଦାନ ଦେଇନାହାନ୍ତି। ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନଭେମ୍ବରରେ ନିର୍ମିତ ଏହି ସଂଗ୍ରହାଳୟ ପରିସରରେ ଆହୁରି ଅନେକ ସ୍ଥାପତ୍ୟ ନିର୍ମାଣ କରିବାର ଥିଲା। କିନ୍ତୁ ଫନି ମହାବାତ୍ୟା ସବୁ କିଛି ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଏହାକୁ ପୁଣି ଥରେ ଠିଆ କରାଇବାକୁ ଆମର ଯୋଜନା ଚାଲିଛି। ୮/୧୦ ଦିନ ମଧ୍ୟରେ କାମ ମଧ୍ୟ ଆରମ୍ଭ ହୋଇଯିବ। କିନ୍ତୁ ଦୁଃଖର କଥା ସରକାର ଏନେଇ ମୂକ ପ୍ରାୟ ପାଲଟି ଯାଇଛନ୍ତି। କୌଣସି ସହାୟତା ଯୋଗାଇ ଦେବା ନେଇ ଏଯାଏଁ ଆଗ୍ରହ ବି ଦେଖାଇନାହାନ୍ତି।

ସମ୍ବନ୍ଧିତ ଖବର