ଭୁବନେଶ୍ବର: ଜଣେ ସାଧାରଣ ଲୋକ ଯେତେବେଳେ ବିନା ହେଲେମେଟ୍‌ରେ ଗାଡ଼ି ଚଳାଉଛି, ଆପଣ ଜରିମାନା ଆଦାୟ କରିବାରେ ଅବହେଳା କରୁନାହାନ୍ତି। ନିକଟରେ ମୁଁ ମଧ୍ୟ ଜରିମାନା ଭରିଛି। ମାତ୍ର ଆପଣମାନେ ନିଜେ ବିନା ମାସ୍କ ଓ ହେଲେମେଟ୍‌ରେ ଗାଡ଼ି ଚଳାଇପାରିବେ। ନିୟମ କ’ଣ କେବଳ ସାଧାରଣ ଲୋକଙ୍କ ପାଇଁ? କ୍ୟାମେରା ଚାଲାଣ କାଟିବା ବେଳେ କ’ଣ ପୁଲିସଙ୍କ ଗାଡ଼ି ନମ୍ବର ଧରିପାରୁନି? ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଉଥିବା ଦୁଇ ପୁଲିସ କର୍ମଚାରୀଙ୍କ ଭିଡିଓ ସେୟାର କରିବା ସହ ଟ୍ବିଟର୍‌ରେ ସିପିଙ୍କୁ ଟ୍ୟାଗ୍ କରି ଜଣେ ଯୁବକ ଏଭଳି ପ୍ରଶ୍ନ ପଚାରିଛନ୍ତି ।

Advertisment

ଯୁବକ ଜଣକ ଟ୍ବିଟରରେ ସେୟାର୍ କରିଥିବା ଭିଡିଓରେ ଦେଖାଯାଉଛି ଯେ ଦୁଇଜଣ ପୁଲିସ ଖାକି ବର୍ଦ୍ଦିରେ ଏକ ବାଇକ୍‌(ଓଡି୦୨ଏଏ-୪୫୯୯)ରେ ରସୁଲଗଡ଼ରୁ ପଳାସୁଣି ଆଡ଼କୁ ଯାଉଛନ୍ତି। ସେମାନଙ୍କ ମୁଣ୍ଡରେ ହେଲେମେଟ୍ ନାହିଁ। ମୁହଁରେ ମାସ୍କ୍ ଅଛି କି ନାହିଁ ତା’ର ସ୍ପଷ୍ଟ ଚିତ୍ର ପଛପଟୁ ଦେଖାଯାଉନାହିଁ। ଯୁବକ ଜଣକ ଏହାକୁ ଟ୍ବିଟ କରିବା ସହ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେବ ନା ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ଆଉ ଜଣେ ଯୁବକ ଏହି ଟ୍ବିଟ୍‌କୁ କଟାକ୍ଷ କରି ଲେଖିଛନ୍ତି, ଲୋକେ ଯେତେବେଳେ ଭୁଲ୍ କରୁଛନ୍ତି, ରାସ୍ତା ମଝିରେ ଡେଇଁକୁଦି ଗାଡ଼ି ସମ୍ମୁଖକୁ ଆସି ସେମାନଙ୍କୁ ଧରୁଛ। ଅଥଚ ଏହିଭଳି ପରିସ୍ଥିତିରେ ପୁଲିସ ନିରବ କାହିଁକି?
ଏହିଭଳି ଅନେକ ଅସାମାଜିକ ତତ୍ତ୍ବ ସେମାନଙ୍କ ଗାଡ଼ିରୁ ଜାଣିଶୁଣି ଗୋଟିଏ ନମ୍ବର ଲିଭାଇ ଦେଉଥିବା କଥା ମଧ୍ୟ ଟ୍ବିଟ୍‌ରେ ଉଲ୍ଲେଖ ରହିଛି।

ଯାହା ଦ୍ବାରା ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ସୁଦ୍ଧା ସେମାନେ ଇ-ଚାଲାଣରୁ ବର୍ତ୍ତିଯାଉଛନ୍ତି। ମାତ୍ର ଟ୍ରାଫିକ୍ ପୁଲିସ ସେ ସବୁ ଉପରେ ଗୁରୁତ୍ବ ଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ଜୋର ଜବରଦସ୍ତ ଜରିମାନା ଭରିବାକୁ ବାଧ୍ୟ କରୁଛନ୍ତି। ଏପରିକି ଭୁଲବଶତଃ ଯଦି କେହି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛି, ସେମାନଙ୍କୁ ମଧ୍ୟ ଛାଡ଼ୁନାହାନ୍ତି ବୋଲି ସେ ଟ୍ବିଟ୍ କରିଛନ୍ତି। ତେବେ ଏଭଳି ଟ୍ବିଟ୍‌କୁ ଗୁରୁତ୍ବର ସହ ନେଇ ଟ୍ରାଫିକ୍-୧ ପକ୍ଷରୁ ଉକ୍ତ ନମ୍ବରରେ ଚାଲାଣ କାଟିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।