ଭୁବନେଶ୍ବର: ଗତବର୍ଷ କେବଳ ରାଜଧାନୀରେ ୬୩୬ ଦୁର୍ଘଟଣା ଘଟି ୧୮୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଦୁର୍ଘଟଣାରେ ଏକ ବା ଏକାଧିକ ଅଙ୍ଗ ହରାଇ ସବୁଦିନ ପାଇଁ ଅକର୍ମଣ୍ୟ ହୋଇଯାଇଥିବା ଲୋକଙ୍କ ସଂଖ୍ୟା ବି ଢେର୍ ଅଧିକ। ତେବେ ଏହି ଉଦ୍ବେଗଜନକ ତଥ୍ୟ ମଧ୍ୟରେ ଲୁଚି ରହିଥିବା ସାଂଘାତିକ କଥାଟି ହେଲା, ଦୁର୍ଘଟଣା ସମୟରେ ମୃତାହତଙ୍କ ମଧ୍ୟରୁ ଅଧିକାଂଶଙ୍କ ମୁଣ୍ଡରେ ହେଲମେଟ୍ ନଥିଲା। ଦ୍ବୈତନଗରୀରେ ଡବଲ୍-ହେଲମେଟ୍କୁ ନେଇ ପୁଲିସ୍ ଶୂନ୍ୟ ସହନଶୀଳ ନୀତି ଆପଣାଉଥିବା କହୁଥିଲେ ହେଁ ବାସ୍ତବରେ ସ୍ଥିତି କିନ୍ତୁ ଭିନ୍ନ। ପଛ ସିଟ୍ରେ ବସୁଥିବା ଲୋକ କଥା ଛାଡ଼, ଗାଡ଼ି ଚଳାଉଥିବା ବ୍ୟକ୍ତି ବି ହେଲମେଟ୍ ପିନ୍ଧୁ ନଥିବା ଦେଖାଯାଉଛି। ଏମିତି ମାଳମାଳ ଅମାନିଆ ଖୁଲମ୍ଖୁଲା ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରି ରାଜଧାନୀ ସାରା ପଇଁତରା ମାରୁଛନ୍ତି। ଏମାନେ ଛକ ଛକରେ ଡେରା ପକାଉଥିବା ଟ୍ରାଫିକ୍ ସ୍କ୍ବାଡ୍ ହାତରେ ବି ସହଜରେ ପଡ଼ୁ ନାହାନ୍ତି। ତେଣୁ ଏଭଳି ଅମାନିଆଙ୍କୁ ସାବାଡ୍ କରିବା ପାଇଁ କମିସନରେଟ୍ ପୁଲିସ୍ ଏବେ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛି। ଏଣିକି ବିନା ହେଲମେଟ୍ରେ ବୁଲୁଥିବା ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ସ୍ବୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯିବ।
ଇନଷ୍ଟଲ ହେବ ନୂଆ ଆପ୍
ହାଇଦ୍ରାବାଦସ୍ଥିତ ସଂସ୍ଥାକୁ ବିଏସ୍ଏଲ୍ର ଚିଠି
ନାଲିବତି ଓ ଦ୍ରୁତଗତି ନିୟମ ଉଲ୍ଲଂଘନ ପାଇଁ କଟୁଛି
ସହର ସାରା ଲାଗିଥିବା ବିଏସ୍ସିଏଲ୍ର କ୍ୟାମେରା ଯେପରି ଦ୍ରୁତ ଗତି, ରଙ୍ଗରୁଟ୍ରେ ଗାଡ଼ି ଚାଳନା ଏବଂ ଟ୍ରାଫିକ୍ରେ ରେଡ୍-ସିଗନାଲ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରି ଇ-ଚାଲାଣ କାଟୁଛି, ଏବେ ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ବି ଠାବ କରି ସେମାନଙ୍କ ଇ-ଚାଲାଣ କାଟିବ। ଏହି ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ହାଇଦ୍ରାବାଦସ୍ଥିତ ଏକ ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ସମ୍ପୃକ୍ତ ସଂସ୍ଥା ବିଏସ୍ସିଏଲର ଏହି ସିସିଟିଭିଗୁଡ଼ିକରେ ଏକ ନୂଆ ଆପ୍ ଇନ୍ଷ୍ଟଲ କରିବ। କିଭଳି ବିନା ହେଲମେଟ୍ରେ ଯାତ୍ରା କରୁଥିବା ଚାଳକଙ୍କ ଇ-ଚାଲାଣ କଟିବ, ତାର ଡେମୋ ମଧ୍ୟ ଦେଖାଇବ। ଏହି ବ୍ୟବସ୍ଥାକୁ ଶୀଘ୍ର ଲାଗୁ କରିବା ପାଇଁ ବିଏସ୍ସିଏଲ୍ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ ଚିଠି କରାଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ବିଭିନ୍ନ ଛକରେ ଟ୍ରାଫିକ୍ ପୁଲିସ ବ୍ଲକିଂ, ଚେକିଂ ଦ୍ବାରା ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ନମ୍ବରରେ ଚାଲାଣ କାଟୁଛି। ସେମିତି ସହର ବିଭିନ୍ନ ସ୍ଥାନରେ ଥିବା ସାଢ଼େ ୫ଶହ ପିଟିଜେଡ୍ (ପ୍ୟାନ୍-ଟିଲ୍ଟ-ଜୁମ୍) ସିସିଟିଭି କ୍ୟାମେରାରେ ରେକର୍ଡ ହେଉଥିବା ଚିତ୍ରରୁ ଅମାନିଆଙ୍କୁ ଚିହ୍ନଟ କରି ଘରକୁ ଇ-ଚାଲାଣ ପଠାଯାଉଛି। କ୍ୟାମେରା ରେକର୍ଡିଂରୁ ଉଲ୍ଲଂଘନାକରୀଙ୍କୁ ଚିହ୍ନଟ କରିବାରେ ବେଳେବେଳେ ସମସ୍ୟା ହେଉଛି। ଅଧିକ ସମୟ ମଧ୍ୟ ଯାଉଛି। ତେଣୁ ଉଲ୍ଲଂଘନକାରୀ ସହଜରେ ଖସି ଯାଉଛନ୍ତି। ହେଲେ ନୂଆ ଆପ୍ ଇନଷ୍ଟଲ୍ ହେବା ପରେ ବିନା ହେଲମେଟ୍ ଚାଳକ କ୍ୟାମେରା ଲେନ୍ସରୁ ଖସିପାରିବେ ନାହିଁ। କ୍ୟାମେରା ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ଆପେ ଆପେ ଇ-ଚାଲାଣ ପଠାଇବ।
ଉଲ୍ଲେଖଯୋଗ୍ୟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନଟ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଛକରୁ ଏଜି, ଶାସ୍ତ୍ରୀନଗରରୁ ୧୨୦ ବାଟାଲିୟନ, ରଜପଥ, ଟ୍ରାଇଡେଣ୍ଟ ହୋଟେଲ୍ ସମ୍ମୁଖ, ମଧୁସୂଦନ ପାର୍କରୁ ପୋଖରୀପୁଟ, କିଟ୍ରୁ ସିଲିକନ୍ ରୋଡ୍, କଳିଙ୍ଗଷ୍ଟୁଡିଓ,ଏକାମ୍ର ରୋଡ୍, ଖଣ୍ଡଗିରି, ବାଣୀବିହାର, ସୈନିକ ସ୍କୁଲ୍, ଇନ୍ଫୋସିଟି ରୋଡ୍ ଆଦି ଅଞ୍ଚଳରେ ଏସ୍ଭିଡିଏସ୍(ସ୍ପିଡ୍ ଭାଓଲେସନ ଡିଟେକ୍ସନ ସିଷ୍ଟମ) କ୍ୟାମେରା ଖଞ୍ଜାଯାଇଛି।
ସେହିପରି ନାଲିବତି (ଟ୍ରାଫିକ୍ ରେଡ୍-ସିଗନାଲ) ନିୟମ ଉଲ୍ଲଂଘନଙ୍କୁ ଚିହ୍ନଟ ପାଇଁ କଳ୍ପନା ଛକ, ଶିଶୁଭବନ, ରୁପାଲି, ଏୟାରପୋର୍ଟ, ନିକୋପାର୍କ, ହାଉସିଂ ବୋର୍ଡ, କଳିଙ୍ଗ ହସ୍ପିଟାଲ୍, ପଟିଆ ଅଦି ସ୍ଥାନରେ ଆର୍ଏଲ୍ଭିଡି(ରେଡ୍ ଲାଇଟ୍ ଭାଓଲେସନ ଡିଟେକ୍ସନ ସିଷ୍ଟମ) କ୍ୟାମେରା ଲଗାଯାଇଛି। ଏମିତି ସହର ୩୨ଟି ସ୍ଥାନରେ ୩୧୨ଟି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରାଗୁଡ଼ିକ କେବଳ ଦ୍ରୁତ ଗତି ଓ ନାଲିବତି ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଇ-ଚାଲାଣ ପଠାଉଛି। ହେଲ୍ମେଟ୍ ଉଲ୍ଲଂଘନକାରୀଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ପରେ ଟ୍ରାଫିକ୍ ବ୍ୟବସ୍ଥାରେ ଅନେକ ସୁଧାର ଆସିବ ବୋଲି ଟ୍ରାଫିକ୍ ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।