ଭୁବନେଶ୍ୱର : ଇ-ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସଂପୂର୍ଣ୍ଣଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଅନେକ ସମସ୍ୟା ଥିବାରୁ ଆରମ୍ଭରୁ କେବଳ ରୋଗୀଙ୍କ ପଞ୍ଜୀକରଣ ପାଇଁ ନିଷ୍ପତ୍ତି ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଏହି ଯୋଜନା ଅଧୀନରେ ରୋଗୀଙ୍କ ପଞ୍ଜୀକରଣ କରାଯିବ ବୋଲି ସୂଚନା ମିଳିଛି।
ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଇ-ହସ୍ପିଟାଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଇ-ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ଓ ଏସ୍ସିବି ମେଡିକାଲ କଲେଜରେ ଇ-ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୀର୍ଘଦିନରୁ ଯୋଜନା ହୋଇଛି। ଏଥିପାଇଁ ସି-ଡାକ୍ ନାମକ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଛନ୍ତି। ସି-ଡାକ୍ କମ୍ପାନି ଇ-ଶୁଶ୍ରୁତ ନାମକ ସଫ୍ଟେଓ୍ଵୟାର ପ୍ରସ୍ତୁତ କରିସାରିଛି। ତେବେ ହାର୍ଡେଓ୍ଵୟାର ଓ ନେଟଓ୍ଵର୍କିଂକୁ ନେଇ ସମସ୍ୟା ରହିଛି। ତେଣୁ ଏହାକୁ ଅଧିକ ବିଳମ୍ବ କରିବା ପାଇଁ ରାଜ୍ୟ ସରକାର ଚାହୁଁ ନାହାନ୍ତି। ତେଣୁ ସଂପୂର୍ଣ୍ଣ ଯୋଜନା ଆରମ୍ଭ ପୂର୍ବରୁ କେବଳ କ୍ୟାପିଟାଲ ହସ୍ପିଟାଲରେ ଇ-ହସ୍ପିଟାଲ ଜରିଆରେ ରୋଗୀଙ୍କ ପଞ୍ଜୀକରଣ ପାଇଁ ଯୋଜନା ହୋଇଛି।
ଯଦ ଇ-ହସ୍ପିଟାଲ କାର୍ଯ୍ୟକାରୀ ହୁଏ ତେବେ କ୍ୟାପିଟାଲ ହସ୍ପିଟାଲର ୫୪ଟି ସ୍ଥାନରେ ଏଥିପାଇଁ କର୍ମଚାରୀ ସମେତ ଅନ୍ୟାନ୍ୟ ସୁବିଧା କରାଯିବ। ଏହାସହ ସମସ୍ତ କମ୍ପ୍ୟୁଟରକୁ ନେଟଓ୍ଵର୍କିଂରେ ଯୋଡ଼ିବା ସହିତ ଅପଟିକାଲ ଫାଇବର କେବୁଲ ବିଛାଯିବ। କୌଣସି ପ୍ରକାର ସମସ୍ୟା ପାଇଁ ଓ୍ଵାଇ-ଫାଇକୁ ଷ୍ଟାଣ୍ଡବାଏରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେମ୍ ନାମକ ସଂସ୍ଥା ଜରିଆରେ ଲାନ୍, କମ୍ପ୍ୟୁଟର, ପ୍ରିଣ୍ଟର ଓ ଫାଇବର୍ ଅପଟିକାଲ କେବଲ କିଣାଯିବା ଉପରେ ବିଚାର କରାଯାଉଥିବା ସୂଚନା ମିଳିଛି।
କ୍ୟାପିଟାଲ ହସ୍ପିଟାଲରେ ଏବେ ଏକ ଘରୋଇ ସଂସ୍ଥା ରୋଗୀମାନଙ୍କ ପଞ୍ଜୀକରଣ କରୁଛି। ତେବେ ଏହି ସଂସ୍ଥା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ଚୁକ୍ତି ଦୀର୍ଘଦିନରୁ ଶେଷ ହୋଇଯାଇଛି। ଅନେକ ସମୟରେ ମଧ୍ୟ ଏହି ସଂସ୍ଥା ଠିକ୍ରେ ରୋଗୀମାନଙ୍କୁ ସେବା ଯୋଗାଇବାରେ ବିଫଳ ହେଉଛି। ଚୁକ୍ତି ଶେଷ ହୋଇଯାଇଥିବାରୁ ହସ୍ପିଟାଲ କର୍ତୃପକ୍ଷ ପ୍ରତିବର୍ଷ ବାଧ୍ୟରେ ଏହାକୁ ନବୀକରଣ କରି ଚାଲିଛନ୍ତି। ତେଣୁ ଇ-ହସ୍ପିଟାଲ କାର୍ଯ୍ୟକାରୀ ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ତେଣୁ କ୍ୟାପିଟାଲ ହସ୍ପିଟାଲରେ ଇ-ହସ୍ପିଟାଲ ଜରିଆରେ ତୁରନ୍ତ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଇ-ହସ୍ପିଟାଲ ପାଇଁ ସଫ୍ଟେଓ୍ଵୟାର ପ୍ରସ୍ତୁତ କରିଥିବା ସି-ଡାକ୍ର ଏକ ଟିମ୍ ହରିୟାନାରୁ ଆସି ଓଡ଼ିଶା ପହଞ୍ଚିଛନ୍ତି। ସେମାନେ ଇ-ହସ୍ପିଟାଲକୁ କିଭଳି ଏସ୍ସିବି ମେଡିକାଲ କଲେଜରେ କାର୍ଯ୍ୟକାରୀ କରାଯିବ ସେଥିପାଇଁ ୩ଦିନିଆ ଏସ୍ସିବି ଗସ୍ତ କରିବେ। ଇ-ହସ୍ପିଟାଲକୁ ସେଠାରେ କିଭଳି କାର୍ଯ୍ୟକାରୀ କରାଯିବ ଏହି ଟିମ୍ ତାହାର ଯାଞ୍ଚ କରିବେ। ରାଜସ୍ଥାନ ଓ ତେଲେଙ୍ଗାନାରେ ଏଭଳି ବ୍ୟବସ୍ଥା ବେଶ ସଫଳତା ହାସଲ କରିଥିବା ବେଳେ ଓଡ଼ିଶାରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ।