ବାଟ ହୁଡ଼ିଛି କ୍ୟାପିଟାଲ ହସ୍ପିଟାଲର ଇ-ହସ୍ପିଟାଲ ବ୍ୟବସ୍ଥା

ଇଏନ୍‌ଟି ଓ ଭେଷଜ ବିଭାଗରେ ପରୀକ୍ଷଣ ବନ୍ଦ
୩ ବର୍ଷ ପରେ ବି ରୂପରେଖ ପ୍ରସ୍ତୁତ ହୋ‌ଇପାରିଲାନି

ଭୁବନେଶ୍ବର : ରୋଗୀସେବାକୁ ତ୍ବରାନ୍ବିତ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଇ-ହସ୍ପିଟାଲ୍ ବ୍ୟବସ୍ଥା ଏବେ ବାଟ ହୁଡ଼ିଛି। ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାର ୩ବର୍ଷ ପରେ ମଧ୍ୟ ଏହାର ଏକ ରୂପରେଖ ପ୍ରସ୍ତୁତ ହୋଇପାରି ନାହିଁ। କରୋନା କାଳରେ କ୍ୟାପିଟାଲ ହସ୍ପିଟାଲର ଇଏନ୍‌ଟି ଓ ଭେଷଜ ବିଭାଗରେ ଚାଲିଥିବା ପରୀକ୍ଷଣ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଏହି ବ୍ୟବସ୍ଥା କିଭଳି ଢଙ୍ଗରେ ପରିଚାଳିତ ହେବ ଓ ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି ନେଇ ସ୍ବାସ୍ଥ୍ୟ ବିଭାଗ କୌଣସି ନିଷ୍ପତ୍ତି ନେଇପାରି ନାହିଁ। ଫଳରେ ଏହି ବ୍ୟବସ୍ଥାକୁ ସିଏଚ୍‌ସି ସ୍ତରକୁ ପହଞ୍ଚାଇବା ଲାଗି ଯେଉଁ ଯୋଜନା ରହିଛି ତାହା ଏକପ୍ରକାର ଅସମ୍ଭବ ଲାଗିଲାଣି।

୨୦୧୮ ମସିହାରେ ରାଜ୍ୟ ସରକାର ଓଡ଼ିଶା ଇ-ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍ ବା ଓଇଏଚ୍‌ଏମ୍‌ଆଇଏସ୍‌ ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା କାଗଜପତ୍ର କାମ କମିବା ସହିତ ରୋଗୀଙ୍କ ଏକ ଡାଟା ବେସ୍ ପ୍ରସ୍ତୁତ କରିବା। ୱେବ୍‌ପୋର୍ଟାଲ କିମ୍ବା ମୋବାଇଲ ଜରିଆରେ ରୋଗୀମାନେ ନିଜର ସ୍ବାସ୍ଥ୍ୟ ରେକର୍ଡର ଯାଞ୍ଚ କରିପାରିବେ। ଯାହାଫଳରେ ରୋଗୀଙ୍କ ସ୍ବାସ୍ଥ୍ୟ ରେକର୍ଡର ସମନ୍ବୟ ହୋଇପାରିବ। ରୋଗୀଙ୍କୁ ବାରମ୍ବାର ବିଭିନ୍ନ ରିପୋର୍ଟ ପାଇଁ ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଏଥିପାଇଁ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଆଡଭାନ୍‌ସଡ କମ୍ପ୍ୟୁଟିଂ ବା ସି-ଡାକ୍ ଏହାର ସଫଟୱେୟାର ପ୍ରସ୍ତୁତ କରିବା ସହିତ ବୈଷୟିକ ସହାୟତା ଯୋଗାଇବ। ପାଇଲଟ ପ୍ରକଳ୍ପ ଭାବେ କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲ କଲେଜରେ ଏହାକୁ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ଭିତରେ ଏହାର କାର୍ଯ୍ୟ ଶେଷ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା।

ହେଲେ ୨ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ହେଁ, ଓଇଏଚ୍‌ଏମ୍‌ଆଇଏସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନାହିଁ। ପରୀକ୍ଷଣ ସମୟରୁ ହିଁ ଏହା ବିଫଳ ହୋଇଛି। କେବେ ହେବ ତାହା ମଧ୍ୟ ଜଣାନାହିଁ। କ୍ୟାପିଟାଲ ହସ୍ପିଟାଲରେ ଏହାର ଆରମ୍ଭ ସମୟରେ ଅନେକ ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ପରବର୍ତୀ ସମୟରେ ଯଦିଓ ବୈଷୟିକ ସମସ୍ୟା ଦୂର ହୋଇଥିବା ସଂପର୍କରେ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଥିଲେ, ହେଲେ ଏହି ବ୍ୟବସ୍ଥା ଆଗକୁ ବଢ଼ିପାରି ନ ଥିଲା। ଯାହାଫଳରେ ପୂର୍ବଭଳି ହସ୍ପିଟାଲର ପଞ୍ଜୀକରଣ କାଉଣ୍ଟରରେ ଟିକେଟ୍ ବ୍ୟବସ୍ଥା ଜାରି ରହିଛି। ଅପରପକ୍ଷରେ ଗତବର୍ଷ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାର ସେଣ୍ଟ୍ରାଲ ‌ବା କେନ୍ଦ୍ରୀୟ ପଞ୍ଜୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଥିଲେ। ଯାହାଫଳରେ ଓଇଏଚ୍‌ଏମ୍‌ଆଇଏସ୍‌ ମଧ୍ୟ ବନ୍ଦ ହୋଇଗଲା। ଏବେ କେନ୍ଦ୍ରୀୟ ପଞ୍ଜୀକରଣକୁ ପୁନର୍ବାର କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇ ନ ଥିବାରୁ ଓଇଏଚ୍‌ଏମ୍‌ଆଇଏସ୍‌ ଭାଗ୍ୟ ମଧ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ୫୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଓପିଡି ସହିତ ଆଇପିଡି ଓ ଓଟିରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏହାସହ ଲାନ୍‌ ଓ ଅପ୍‌ଟିକାଲ ଫାଇବର କେବୁଲ୍‌ ଜରିଆରେ ସମସ୍ତ କମ୍ପ୍ୟୁଟରକୁ ସଂଯୋଗ କରାଯିବ। ଏହାକୁ ସଂପୂର୍ଣ୍ଣଭାବେ କାର୍ଯ୍ୟକାରୀ କରିବାକୁ ହେଲେ ଅତିକମ୍‌ରେ ୫୫ଟି କମ୍ପ୍ୟୁଟରର ଆବଶ୍ୟକତା ରହିଛି। ସେହି ଅନୁଯାୟୀ ମାନବସମ୍ବଳ ମଧ୍ୟ ଜରୁରୀ। ତେଣୁ ଏତେ ସଂଖ୍ୟକ ମାନବସମ୍ବଳ କିଏ ନିଯୁକ୍ତି ଦେବ ତାହା ସ୍ଥିର ହୋଇନାହିଁ। ଅନଲାଇନ୍‌ କ୍ଷେତ୍ରରେ ଅଭିଜ୍ଞତା ଥିବା ସଂସ୍ଥାକୁ ଏହାର ପରିଚାଳନା ଦାୟିତ୍ବ ଦିଆଯିବ କିମ୍ବା ରାଜ୍ୟ ସରକାର ଏହାକୁ ନିଜେ ପରିଚାଳନା କରିବେ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି। ତେଣୁ ଏଭଳି ଏକ ଦ୍ବନ୍ଦ୍ବ ଭିତରେ ଇ-ହସ୍ପିଟାଲ ବ୍ୟବସ୍ଥା ଝୁଲି ରହିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, କରୋନା ପାଇଁ ଏହି ବ୍ୟବସ୍ଥା ବନ୍ଦ ରହିଛି। ଏଥିପାଇଁ ଆବଶ୍ୟକ ମାନବସମ୍ବଳ ନିଯୁକ୍ତ ହୋଇ ନାହାନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ଏକ ବୈଠକ ହୋଇଥିଲା। ମାତ୍ର ଚୂଡ଼ାନ୍ତ ରୂପରେଖ କ’ଣ ହେବ ତାହା ସ୍ପଷ୍ଟ ହୋଇନାହିଁ ବୋଲି ଡା.ସାହୁ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଓଇଏଚ୍‌ଏମ୍‌ଆଇଏସ୍‌ ପାଇଁ ଆବଶ୍ୟକ ସଫ୍‌ଟୱେୟାର ପ୍ରସ୍ତୁତି ସରିଛି। ପାଇଲଟ୍ ପ୍ରକଳ୍ପରେ ଏହା କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି ମେଡିକାଲ, ଶିଶୁଭବନ ଓ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କାର୍ଯ୍ୟକାରୀ ହୋଇଥିଲା। ମାତ୍ର କରୋନା ପାଇଁ ସବୁକିଛି ଅଟକି ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପଞ୍ଜୀକରଣ ପାଇଁ ଅନୁମତି ମିଳିଲେ ଖୁବଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର