ଭୁବନେଶ୍ୱର : ଆଜି କମିସନରେଟ୍ ପୁଲିସ ଇ-ଲାଇବ୍ରେରି, ସାଇବର୍ ତଦନ୍ତ ଓ ପ୍ରଶିକ୍ଷଣ ସେଲ୍ କମିସନରେଟ୍ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଉଦ୍ଘାଟିତ ହୋଇଯାଇଛି। ପୁଲିସ କିମସନର୍ ଓ୍ଵାଇବି ଖୁରାନିଆ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ, ଦିନକୁ ଦିନ ସାଇବର ଅପରାଧ ବଢ଼ୁଥିବାରୁ ସାଇବର ତଦନ୍ତ ଓ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି। କିଭଳି ଅପରାଧୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, କେମିତି ସାଇବର ଅପରାଧକୁ ରୋକାଯାଇ ପାରିବ, ଏଭଳି ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ଅତ୍ୟାଧୁନିକ ଟେକ୍ନିକାଲ ଡିଭାଇସ୍, ୭ଟି କମ୍ପ୍ୟୁଟର୍ ଓ ୭ଟି ଲାପଟପ୍ ରଖାଯାଇଛି। ଏହାଛଡ଼ା ପ୍ରଯୁକ୍ତିବିଦ୍ୟା ବିଶାରଦ ଓ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ପ୍ରଯୁକ୍ତିବିଦ୍ୟା ଉପରେ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ। ଯାହାକି ଅପରାଧୀଙ୍କୁ ଧରିବାରେ ସହଜ ହେବ। ଏହି ସେଲ୍ରେ ଏକା ସମୟରେ ୫-୧୦ଜଣଙ୍କୁ ପ୍ରଶିକ୍ଷଣ ଦେବା ଭଳି ସୁବିଧା ରହିଛି। ସେମାନେ ପ୍ରଶିକ୍ଷଣ ନେବା ପରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ପୁଲିସ କମିସନର୍ ଶ୍ରୀ ଖୁରାନିଆ କହିଛନ୍ତି।
ସେହିପରି ଇ-ଲାଇବ୍ରେରିରୁ ପୁଲିସ ବିଭିନ୍ନ ତଥ୍ୟ ଓ ଆଇନ୍ ସମ୍ବନ୍ଧରେ ଅଧିକ ଜ୍ଞାନ ପାଇପାରିବେ। ଏଥିପାଇଁ ଗୋଟିଏ କମ୍ପ୍ୟୁଟରରେ ମନୁପାତ୍ର ପୋର୍ଟାଲ ରହିଛି। ଏହି ପୋର୍ଟାଲ୍ରେ ୧୯୫୦ରୁ ଆଜି ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବିଭିନ୍ନ କେସ୍ର ବିଚାର ଉପରେ ତଥ୍ୟ, ହାଇକୋର୍ଟର, ଟ୍ରିବୁନାଲ ଓ ଆୟୋଗର ବିଭିନ୍ନ ବିଚାର ତଥ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାରା, ଆଇନ, ନୀତି ଓ ନିୟମ, ଯୋଜନା, ସଂଶୋଧନ, ନୋଟିଫିକେସନ୍ ଓ ସର୍କୁଲାର, ମାନୁପାତ୍ର ଇ-ବୁକ୍ ଆଦି ରହିଛି। ଯାହାକି ପୁଲିସକୁ ଆଇନ୍ ସମ୍ବନ୍ଧରେ ଅଧିକ ଜ୍ଞାନ ଦେବାରେ ସହଯୋଗ କରିବ। ପୁଲିସ କନ୍ଷ୍ଟେବଲ୍ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଏହି ପୋର୍ଟାଲକୁ ବ୍ୟବହାର କରିପାରିବେ। ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ପୁଲିସ କମିସନର୍ ସଞ୍ଜୟ କୁମାର ସିଂ, ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/hitesh.jpg)