ଭୁବନେଶ୍ୱର: ଆଉ ନଗଦ ଆକାରରେ ନୁହେଁ। ଏଣକି ନେଟପେମେଣ୍ଟ କରିବେ ଜରିମାନା ଉଲ୍ଲଙ୍ଘନକାରୀ। ତେଣୁ ପାଖରେ ଟଙ୍କା ନାହିଁ ବୋଲି କେହି ଖସି ଯାଇ ପାରିବେନି। କାରଣ କମିସନରେଟ କମିସନରେଟ ପୁଲିସ ଖୁବ୍ଶୀଘ୍ର ଇ- ଚାଲାଣ ବ୍ୟବସ୍ଥା ଲାଗୁ କରିିବ। ଏଥିପାଇଁ ଏଚ୍ଡିଏଫ୍ସି ବ୍ୟାଙ୍କ ସହଯୋଗର ହାତ ବଢ଼ାଇଛି। ବ୍ୟାଙ୍କ ପକ୍ଷରୁ ୨ଶହ ମେସିନ୍ ଯୋଗାଇ ଦିଆଯିବ ବୋଲି କମିସନରେଟ ପୁଲିସ ସହିତ ରାଜିନାମା କରିଛି। ଏହି ସବୁ ମେସିନ୍ କମିସନରେଟ ପୁଲିସ ଅଧୀନ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ଥାନାକୁ ଯୋଗାଇ ଦିଆଯିବ। ଏଣିକି ଅଫିସରମାନେ ଏହି ମେସିନ୍ ଧରି ଫାଇନ୍ କାଟିବେ।
ଆଜି ବି ନଗଦ ଆକାରରେ ଟ୍ରାଫିକ୍ ଉଲଂଘନକାରୀଙ୍କଠାରୁ ଫାଇନ୍ ଆଦାୟ କରାଯାଉଛି। ବିମୁଦ୍ରାକରଣ ସମୟରେ ଟଙ୍କାର ସଙ୍କଟ ଓ ଡିଜିଟାଲ କାରବାରକୁ ଅଗ୍ରାଧିକାର ଦେବାକୁ କମିସନରେଟ୍ ପୁଲିସ ପକ୍ଷରୁ ଯୋଜନା ହୋଇଥିଲା। କିନ୍ତୁ ଏକାଧିକ କାରଣରୁ ସେହି ଯୋଜନା ଧିମେଇ ଯାଇଥିଲା। କମିସନରେଟ୍ ପୁଲିସ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିବାକୁ ଦୀର୍ଘ ଦିନରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ବିମୁଦ୍ରାକରଣ ପରେ ଏହି ଯୋଜନାକୁ ତ୍ୱରିତ ବେଗରେ କାମରେ ଲଗାଇବାକୁ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଯୋଜନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମେସିନ ଆସିଯିବା ପରେ ଟ୍ରାଫିକ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ।
ପ୍ରକାଶଥାଉକି, ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ଉଲଂଘନ କରୁଥିବା ବାଇକ୍ ଓ କାର ଚାଳକମାନେ ପାଖରେ ଟଙ୍କା ନାହିଁ କହି ଖସି ଯାଉଥିଲେ। ଏପରକି କେତେକ ଅସାଧୁ କର୍ମଚାରୀ ନିର୍ଦିଷ୍ଟ ଫାଇନ୍ଠାରୁ କମ୍ ଟଙ୍କା ନେଇ ବିନା ରସିଦରେ ଉଲଂଘନକାରୀଙ୍କୁ ବିଦା କରି ଦେଉଥିଲେ। ଏହା ଛଡ଼ା ଟ୍ରାଫିକ୍ ଅଫିସରମାନେ ଫାଇନ ଆଦାୟ ଟଙ୍କାକୁ ମାସ ମାସ ଧରି ନିଜ ପାଖରେ ରଖୁଥିଲେ। ସମୟ ହେଲେ ସେହି ସବୁ ଟଙ୍କାକୁ ନେଇ ଆର୍ଟିଓରେ ଜମା କରୁଥିଲେ। ତେବେ ଇ-ଚାଲାଣ ବ୍ୟବସ୍ଥା ଲାଗୁ ହେବା ପରେ ଯେଉଁମାନେ ଟ୍ରାଫିକ ନିୟମର ଉଲଂଘନ କରିବେ, ସେମାନଙ୍କଠାରୁ ନଗଦ ଆକାରରେ ଫାଇନ୍ କାଟିବା ବଦଳରେ ଏକ ଇ-ଚାଲାଣ ମେସିନ ମାଧ୍ୟରେ ଫାଇନ କଟାଯିବ। ଏହି ମେସିନ୍ରେ ଏଟିଏମ୍ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ମାଧ୍ୟମରେ ସ୍ୱାଇପ କରି ଫାଇନ୍ କଟାଯିବ।
ଅନ୍ୟପକ୍ଷରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇ-ଚାଲଣ ବ୍ୟବସ୍ଥା ଲାଗୁ କରିବାରେ ବିଭିନ୍ନ ସମସ୍ୟା ରହିଛି। ପ୍ରଥମେ ଟ୍ରାଫିକ ଅଧିକାରୀ ଧରିବାକୁ ଥିବା ଇ-ଚାଲାଣ ମେସିନ୍ର କଣ୍ଟ୍ରୋଲ ପାଇଁ ଗୋଟିଏ ସ୍ଥାନରେ ଏକ ବଡ଼ ସର୍ଭରର ଆବଶ୍ୟକ ରହିଛି। ଏହା ଛଡ଼ା ଆର୍ଟିଓ ସହିତ ଏହାକୁ ସଂଯୋଗ କରିବାକୁ ପଡ଼ିବ ଓ ଟ୍ରାଫିକ କର୍ମଚାରୀମାନଙ୍କୁ ଏ ନେଇ ସ୍ୱତନ୍ତ୍ର ଭାବେ ତାଲିମ ଦେବାକୁ ପଡ଼ିବ। ଯେହେତୁ ଏହି ମେସନ୍ଗୁଡିକୁ ଟ୍ରାଫିକ୍ ପୁଲିସ ଅଧିକାରୀମାନେ ଧରିବେ। ତାହା ହାଲୁକା ହେବା ମଧ୍ୟ ଆବଶ୍ୟକ। ତେବେ ପୁଲିସ କମିସନର ଶ୍ରୀ ଖୁରାନିଆ କହିଛନ୍ତି, ଇ-ଚାଲାଣ ବ୍ୟବସ୍ଥା ଖୁବ୍ ଶୀଘ୍ର ଲାଗୁ ହେବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି।