ସ୍ୱପ୍ନ ଦେଖାଇ ବସିଗଲେ ସରକାର

କ୍ୟାପିଟାଲ ହସ୍ପିଟାଲରେ କେବେ ଆରମ୍ଭ ହେବ ଇ-ରେଜିଷ୍ଟ୍ରେସନ୍‌?

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଇ-ରେଜିଷ୍ଟ୍ରେସନ୍‌ ପାଇଁ ସ୍ୱପ୍ନ ଦେଖାଇଥିଲେ ରାଜ୍ୟ ସରକାର। ଏହା ଭିତରେ ୬ମାସରୁ ଅଧିକ ସମୟ ବିତିଗଲାଣି। ଏହି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲାନି। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଦୂରର କଥା ଏ ପର୍ଯ୍ୟନ୍ତ ଏହାର କାଗଜପତ୍ର କାମ ସରି ପାରିଲାନି। କେବେଠାରୁ ନିର୍ଦ୍ଦିଷ୍ଟ ଭାବେ ଏହା କାର୍ଯ୍ୟକାରୀ ହେବ, ତାହା ହସ୍ପିଟାଲ କର୍ତୃପକ୍ଷ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସ୍ପଷ୍ଟ କରି ପାରୁନାହାନ୍ତି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ କେଉଁ ଓ୍ଵାର୍ଡରେ କେତେ ସଂଖ୍ୟକ ରୋଗୀ ଚିକିତ୍ସିତ ହୋଇଛନ୍ତି ତାହାର ରେକର୍ଡ ହସ୍ପିଟାଲ କର୍ତୃପକ୍ଷଙ୍କ ପାଖରେ ନାହିଁ। ରୋଗୀ ଆସୁଛନ୍ତି ନିଜର ଚିକିତ୍ସା କରି ପଳାଉଛନ୍ତି। ଦିନକୁ ଦିନ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି। ଏସବୁ ଅବ୍ୟବସ୍ଥାକୁ ନଜରରେ ରଖି ଇ-ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଏଥିରେ ଅନଲାଇନ୍‌ ଜରିଆରେ ଜଣେ ଘରେ ବସି ନିଜର ଟିକେଟ୍‌ କାଟିପାରିବ। ଯାହାଫଳରେ ହସ୍ପିଟାଲରେ ଦୀର୍ଘ ସମୟ ପାଇଁ ଆଉ ଲାଇନ୍‌ ଲଗାଇବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସମସ୍ତ ରୋଗୀଙ୍କ ତଥ୍ୟ ରହିବା ସହିତ କେଉଁ ବିଭାଗରେ କେତେ ରୋଗୀ ଚିକିତ୍ସିତ ହେଲେ ତାହାର ଏକ ଡାଟାବେସ୍‌ ପ୍ରସ୍ତୁତ ହେବ। ଏପରିକି କ୍ୟାପିଟାଲ ହସ୍ପିଟାଲରୁ ବାହାରକୁ କେତେ ରୋଗୀଙ୍କୁ ରେଫର କରାଗଲା ତାହାର ତଥ୍ୟ ମଧ୍ୟ ରଖାଯିବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସି-ଡାକ୍‌ ସଂସ୍ଥା ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଛି। କ୍ୟାପିଟାଲ ହସ୍ପିଟାଲ ସହିତ ଏସ୍‌ସିବି ମେଡିକାଲ କଲେଜରେ ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସି-ଡାକ୍‌ ଇ-ଶୁଶ୍ରୁତ ସଫଟେଓ୍ଵୟର ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ସି-ଡାକ୍‌ ସଂସ୍ଥା ଏହାର ଏକ ପ୍ରାଥମିକ ସଫଟେଓ୍ଵୟାର ପ୍ରସ୍ତୁତ କରିବା ପରେ ହସ୍ପିଟାଲ କର୍ତୃପକ୍ଷଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ। ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ଏଥିରେ କେତେକ ସଂଶୋଧନ ପ୍ରସ୍ତାବ ଦେଇଥିଲେ। ପରେ ସଂସ୍ଥା ଏଥିରେ ସଂଶୋଧନ କରିବା ସହିତ ବ୍ୟବହାର ପାଇଁ ସଫ୍‌ଟେଓ୍ଵୟର ପ୍ରସ୍ତୁତ କରି ସାରିଛି।
ତେବେ ଏହାର ହାର୍ଡେଓ୍ଵୟାର ରାଜ୍ୟ ସରକାରଙ୍କୁ କିଣିବାକୁ ପଡ଼ିବ। ଇ-ରେଜିଷ୍ଟ୍ରେସନ୍‌ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅତି କମ୍‌ରେ ୫୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଏହାସହ ଲାନ୍‌ ଓ ଅପଟିକାଲ ଫାଇବର କେବୁଲ୍‌ ଜରିଆରେ ସମସ୍ତ କମ୍ପ୍ୟୁଟରକୁ ସଂଯୋଗ କରାଯିବ। ଏଥିପାଇଁ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ୫/୬ଟି ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସହ ପ୍ରତ୍ୟେକ ଓିପିଡି ବା ବହିର୍ବିଭାଗରେ ମଧ୍ୟ କର୍ମଚାରୀ ରହିବେ। ଏଥିରେ ଏକ ସ୍ୱତନ୍ତ୍ର ନମ୍ବର ଜେନେରେଟ୍‌ ହେବ। ଏହି ନମ୍ବରରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ହସ୍ପିଟାଲରେ ରୋଗୀ କରୁଥିବା ସମସ୍ତ ପରୀକ୍ଷା ରିପୋର୍ଟକୁ ଏହି ସ୍ୱତନ୍ତ୍ର ନମ୍ବର ଜରିଆରେ େଓ୍ଵବସାଇଟରେ ଅପଲୋଡ କରି ଦିଆଯିବ। ଫଳରେ ରୋଗୀଙ୍କୁ ରିପୋର୍ଟ ପାଇବା ପାଇଁ ମଧ୍ୟ ହସ୍ପିଟାଲକୁ ଆସିବାକୁ ପଡ଼ିବ ନାହିଁ। ଏଥିପାଇଁ ୧୫/୧୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି। ଅପରପକ୍ଷେ କ୍ୟାପିଟାଲ ହସ୍ପିଟାଲରେ ଏବେ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଓପିଡି ବା ବହିର୍ବିଭାଗ ପାଇଁ ରେଜିଷ୍ଟ୍ରେସନ୍‌ କରାଯାଉଛି। ୨୦୧୪ ମସିହା ଜୁଲାଇ ୨୧ ତାରିଖରେ ୨ବର୍ଷ ପାଇଁ ଏହି ସଂସ୍ଥା ସହ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ପରେ ଅଗଷ୍ଟ ୫ ତାରିଖଠାରୁ ଏହି ସଂସ୍ଥା କାର୍ଯ୍ୟ କରିବା ଆରମ୍ଭ କରିଥିଲା। କାଜୁଆଲ୍‌ଟି ଓ ଶିଶୁ ଓ୍ଵାର୍ଡରେ ୨୪ ଘଣ୍ଟିଆ ଦାୟିତ୍ୱ ଦିଆଯାଇଥିଲା। ମାତ୍ର ଅଧିକାଂଶ ସମୟରେ ରୋଗୀଙ୍କୁ ରେଜିଷ୍ଟ୍ରେସନ୍‌ ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଧିକାଂଶ ସମୟରେ ଏସବୁ କମ୍ପ୍ୟୁଟର ଖରାପ ରହୁଛି କିମ୍ବା ପ୍ରିଣ୍ଟରର କ୍ୟାଟ୍ରିଜ୍‌ ସରିଯିବା ହେତୁ ଟିକେଟ୍‌ ପ୍ରିଣ୍ଟ ହୋଇପାରୁ ନାହିଁ। ଗତବର୍ଷ ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ଅବ୍ୟବସ୍ଥା ସୀମା ଟପିଥିଲା। ରୋଗୀଙ୍କୁ ପ୍ରିଣ୍ଟ ବଦଳରେ ହାତରେ ଲେଖି ଟିକେଟ୍‌ ଦିଆଯାଇଥିଲା। ରୋଗୀମାନେ ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଥିଲେ।

ଏହି ସଂସ୍ଥା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ଚୁକ୍ତିନାମା ଦୀର୍ଘବର୍ଷ ହେବ ଶେଷ ହୋଇଗଲାଣି। ମାତ୍ର ରାଜ୍ୟ ସରକାର ଇ-ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବାରୁ ହସ୍ପିଟାଲ କର୍ତୃପକ୍ଷ ସଂସ୍ଥା ସହ ଚୁକ୍ତିନାମାକୁ ବର୍ଷକୁ ବର୍ଷ ବଢ଼ାଇ ଚାଲିଛନ୍ତି। ମାତ୍ର ଏଥିରେ କୌଣସି ସୁଫଳ ମିଳୁନାହିଁ। ବରଂ ହସ୍ପିଟାଲ କର୍ତୃପକ୍ଷ ହରଡ଼ଘଣାରେ ପଡ଼ିଛନ୍ତି। ହସ୍ପିଟାଲରେ ଇ-ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇପାରୁ ନାହିଁ କି ଉକ୍ତ ସଂସ୍ଥାକୁ ହସ୍ପିଟାଲ କର୍ତୃପକ୍ଷ ଛାଡ଼ି ପାରୁନାହାନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ (ଭାରପ୍ରାପ୍ତ) ଡା.ଏମ୍‌ଆର ଦାସ କହିଛନ୍ତି, ହସ୍ପିଟାଲରେ ଇ-ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା ପାଇଁ ସି-ଡାକ୍‌ ସହିତ ଚୁକ୍ତି ହୋଇଛି। ଏ ନେଇ ସଂସ୍ଥା ପକ୍ଷରୁ ହସ୍ପିଟାଲରେ ଯାଞ୍ଚ ହୋଇଛି। ଏହି ବ୍ୟବସ୍ଥାକୁ କିଭଳି ତୁରନ୍ତ କାର୍ଯ୍ୟକାରୀ କରାଯିବ, ସେ ନେଇ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ପକ୍ଷରୁ ଏଥିପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ ହେବ। ଫଳରେ ରେଜିଷ୍ଟ୍ରେସନ୍‌କୁ ନେଇ ହସ୍ପିଟାଲରେ ଦେଖା ଦେଉଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଡା. ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର