ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବ ଇ-ରିଜର୍ଭେସନ୍‌

ମାସେରୁ ୨ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ

ଭୁବନେଶ୍ବର: ଏଣିକି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ବୁକିଂ ପାଇଁ ଆଉ ସଂସ୍କୃତି ବିଭାଗ କାର୍ଯ୍ୟାଳୟ କିମ୍ବା ବିଭିନ୍ନ ଅଫିସ୍‌ର କର୍ମକର୍ତାଙ୍କ ନିକଟକୁ ଧାଇଁବାକୁ ପଡ଼ିବନି। କେଉଁ ପ୍ରେକ୍ଷାଳୟ କେବେ ଖାଲି ଅଛି, ଜାଣିବା ପାଇଁ ଆଉ ହଟହଟା ହେବାକୁ ପଡ଼ିବ ନାହିଁ। ଖୁବ୍‌ଶୀଘ୍ର ରବୀନ୍ଦ୍ର ମଣ୍ଡପ, ଭଂଜ କଳାମଣ୍ଡପ ଓ ଉତ୍କଳ ମଣ୍ଡପ ଅନ୍‌ଲାଇନ୍‌ ବୁକିଂ ତଥା ଇ-ରିଜର୍ଭେସନ୍‌ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ରିଜର୍ଭେସନ୍‌ ପାଇଁ ନ୍ୟାସ୍‌ନାଲ୍‌ ଇନ୍‌‌ଫରମେଟିକ୍‌ ସେଣ୍ଟର୍‌ ଆବଶ୍ୟକ ଡଇଜାଇନ୍‌ ଓ ସମୁଦାୟ ଆପ୍‌ ପ୍ରସ୍ତୁତ କରିବ। ଉଦ୍ଦିଷ୍ଟ ଆପ୍‌ ଖୁବ୍‌ ସରଳ ହେବ। ଯେକୌଣସି ବ୍ୟକ୍ତି କେତୋଟି କ୍ଲିକ୍‌ରେ ସବିଶେଷ ତଥ୍ୟ ହାସଲ କରିପାରିବ। ଏଥିପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସହ ବୁଝାମଣା ସ୍ବାକ୍ଷରିତ ହେବ। ଆସନ୍ତା ମାସେ ଦୁଇମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ। ସୂଚନାଥାଉ କି, ଦୀର୍ଘ ବର୍ଷ ତଳୁ ଘୋଷଣା ସତ୍ତ୍ବେ ପ୍ରେକ୍ଷାଳୟ ଅନ୍‌ଲାଇନ୍‌ ବୁକିଂ ହେଉନାହିଁ ବୋଲି ‘ସମ୍ବାଦ’ରେ ଏକ ଖବର ନିକଟ ଅତୀତରେ ପ୍ରକାଶ ପାଇଥିଲା।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଏହାଦ୍ବାରା ସମୟ ସଞ୍ଚୟ ହେବା ସହିତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ବାରା ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ଏନ୍‌ଆଇସି, ଭୁବନେଶ୍ବର ଶାଖାର ବରିଷ୍ଠ କର୍ମକର୍ତା ବିଭୁପ୍ରସାଦ ମିଶ୍ର, ବି.ବି ଷଡ଼ଙ୍ଗୀ, ଆର୍‌‌.କେ ମହାରଣାଙ୍କ ସମେତ ୩ ପ୍ରେକ୍ଷାଳୟର ପରିଚାଳକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର