ଚାରି ଚକିଆ ବଦଳରେ ଆଣିବେ ତିନି ଚକିଆ

କ୍ୟାପିଟାଲ ହସ୍ପିଟାଲରେ ଇ-ଷ୍ଟ୍ରେଚରକୁ ନେଇ ଛକାପଞ୍ଝା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍‌ଟିରୁ ଏମ୍‌ସିଏଚ୍‌ ଓ ସଂକ୍ରମଣ ଓ୍ଵାର୍ଡ ପର୍ଯ୍ୟନ୍ତ ଇ-ଷ୍ଟ୍ରେଚର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ରୋଗୀ କଲ୍ୟାଣ ସମିତି ବୈଠକରେ ଏହି ଷ୍ଟ୍ରେଚର ଆଣିବା ପାଇଁ ଭେଳିକି ଦେଖାଇଥିଲେ ହସ୍ପିଟାଲ କର୍ତୃପକ୍ଷ। କିନ୍ତୁ ବର୍ଷେ ପରେ ଏହି ଯୋଜନା ଫୁସ୍‌କି ଯାଇଛି।

ଚାରି ଚକିଆ ଇ-ଷ୍ଟ୍ରେଚର ବଦଳରେ ତିନି ଚକିଆ ଇ-ଷ୍ଟ୍ରେଚର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ହସ୍ପିଟାଲ କର୍ତୃପକ୍ଷ। ଖୁବଶୀଘ୍ର ଏଥିପାଇଁ ଟେଣ୍ଡର କରାଯିବ। ଏଥିରେ ୨ଟି ତିନି ଚକିଆ ଇ-ଷ୍ଟ୍ରେଚର ସହିତ ଗୋଟିଏ ଇ-ରିକ୍ସା ଅଣାଯିବ ବୋଲି ସୂଚନା ମିଳିଛି।

କ୍ୟାପିଟାଲ ହସ୍ପିଟାଲର କାଜୁଆଲ୍‌ଟିକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଶିଶୁ ଓ୍ଵାର୍ଡ, ସଂକ୍ରମଣ କିମ୍ବା ଓ ଏମ୍‌ସିଏଚ୍‌ ବିଲ୍ଡିଂ ପର୍ଯ୍ୟନ୍ତ ନେବାକୁ ବହୁ ସମସ୍ୟା ଦେଖା ଦେଉଛି। ପ୍ରତ୍ୟେକ ଦିନ ଏଭଳି ଅନେକ ରୋଗୀ ହସ୍ପିଟାଲକୁ ଆସୁଥିଲେ ହେଁ ଖାଲି ଷ୍ଟ୍ରେଚର ଜରିଆରେ ରୋଗୀଙ୍କୁ ସ୍ଥାନାନ୍ତରଣ କରିବାକୁ ନେଇ ହସ୍ପିଟାଲ କର୍ମଚାରୀ ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଗତ ବର୍ଷ ଜୁନ୍‌ ମାସରେ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଚାରିଚକିଆ ଇ-ଷ୍ଟ୍ରେଚର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହସ୍ପିଟାଲ ପରିସରରେ ଏହି ଗାଡ଼ି ଚଳାଇବା ସମ୍ଭବ ନ ଥିବାରୁ ହସ୍ପିଟାଲ ପରିସରରେ ଏହାକୁ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ପରବର୍ତୀ ସମୟରେ ଟେଣ୍ଡର ଆହ୍ଵାନ କରାଯାଇଥିଲା। ମାତ୍ର କୌଣସି କମ୍ପାନି ଏଥିରେ ଆବେଦନ କରି ନ ଥିଲେ। ଟେଣ୍ଡରରେ ଥିବା କେତେକ ସର୍ତ କମ୍ପାନିକୁ ସୁହାଇ ନ ଥିବା ପରବର୍ତୀ ସମୟରେ ଜଣାପଡ଼ିଥିଲା।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲର ବୈଷୟିକ କମିଟିରେ ଥିବା ଏମ୍‌ଭିଆଇ ଓ ଆରଟିଓ ମଧ୍ୟ ଏଭଳି ଏକ ଗାଡ଼ିକୁ କିଭଳି ପଞ୍ଜୀକରଣ କରିବାକୁ ପଡ଼ିବ ତାହାକୁ ନେଇ ଚିନ୍ତାରେ ପଡ଼ିଥିଲେ। ଏଭଳି କୌଣସି ଗାଡ଼ି ପଞ୍ଜୀକରଣ ତାଲିକାରେ ନ ଥିବାରୁ ଏହି ଗାଡ଼ି ବଦଳରେ ଅନ୍ୟ କୌଣସି ଗାଡ଼ି ଆଣିବା ଉପରେ ଆଲୋଚନା ହୋଇଥିଲା। ବେଶ କିଛିଦିନ ପର୍ଯ୍ୟନ୍ତ ଏହାକୁ ନେଇ ତର୍ଜମା କରାଯିବା ପରେ ହସ୍ପିଟାଲ କର୍ତୃପକ୍ଷ ଇ-ଷ୍ଟ୍ରେଚର କଥା ଭୁଲି ଯାଇଥିଲେ।

ଅପରପକ୍ଷରେ ଚାରି ଚକିଆ ଇ-ଷ୍ଟ୍ରେଚରର ଦାମ ୮ଲକ୍ଷ ଟଙ୍କାରୁ ଅଧିକ ରହିଛି। ଏତେ ପରିମାଣର ଟଙ୍କା ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ନାହିଁ। ତେଣୁ ଚାରି ଚକିଆ ଇ-ଷ୍ଟ୍ରେଚରର ଝାମେଲାରେ ନ ପଡ଼ି ୨ଟି ତିନି ଚକିଆ ଇ-ଷ୍ଟ୍ରେଚର ଗାଡ଼ି ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନିକଟରେ ହସ୍ପିଟାଲ କର୍ତୃପକ୍ଷ ବୈଷୟିକ କମିଟିରେ ଏଥିପାଇଁ ଅନୁମୋଦନ କରିଛନ୍ତି। ହସ୍ପିଟାଲର ବୈଷୟିକ କମିଟି ଏହାକୁ ଅନୁମୋଦନ କରିବା ପରେ ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଟେଣ୍ଡର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ଚାରି ଚକିଆ ଇ-ଷ୍ଟ୍ରେଚର ପାଇଁ ପୂର୍ବରୁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ମାତ୍ର ଏଥିପାଇଁ କେହି ଆବେଦନ କରି ନ ଥିଲେ। ତେଣୁ ହସ୍ପିଟାଲକୁ ଇ-ଷ୍ଟ୍ରେଚରକୁ ନେଇ ସମସ୍ୟା ଉପୁଜିଥିଲା। ପରବର୍ତୀ ସମୟରେ ହସ୍ପିଟାଲର ବୈଷୟିକ କମିଟି ତିନି ଚକିଆ ଇ-ଷ୍ଟ୍ରେଚର ପାଇଁ ଅନୁମୋଦନ ଲାଭ କରିଛି। ତେଣୁ ୨ଟି ତିନି ଚକିଆ ଇ-ଷ୍ଟ୍ରେଚର କିଣାଯିବ। ଏହାସହ ଆଉ ଏକ ଇ-ରିକ୍ସା ମଧ୍ୟ ହସ୍ପିଟାଲରେ ଚଳାଇବାକୁ ନିଷ୍ପତ୍ତି ହୋଇଥିବା ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର