କ୍ୟାପିଟାଲ ହସ୍ପିଟାଲ୍‌ରେ ଇ-ଷ୍ଟ୍ରେଚର୍‌ ଅଚଳ

ବର୍ଷେ ବି ଚାଲି ପାରିଲାନି, ବେପରୁଆ ଗାଡ଼ି ଚଳାଇ ଭାଙ୍ଗି ଦେଲେ

ଭୁବନେଶ୍ୱର: କାଜୁଆଲଟିରୁ ଏମ୍‌ସିଏଚ୍‌ ବିଲ୍‌ଡିଂ, ଶିଶୁ, ସଂକ୍ରମଣ ଓ୍ଵାର୍ଡ ପର୍ଯ୍ୟନ୍ତ ଆକ୍ରାନ୍ତଙ୍କୁ ଚାଲିବାକୁ ପଡ଼ିବନି। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ଇ-ଷ୍ଟ୍ରେଚର୍‌ ଜରିଆରେ ସ୍ଥାନାନ୍ତର କରାଯିବ। ବହୁ ଛକାପଞ୍ଝା ଭିତରେ ଶେଷରେ ଗତବର୍ଷ କ୍ୟାପିଟାଲ ହସ୍ପିଟାଲରେ ୩ଟି ବ୍ୟାଟେରି ଚାଳିତ ଇ-ଷ୍ଟ୍ରେଚର୍‌ କିଣା ଯାଇଥିଲା। ହେଲେ ବର୍ଷେ ପୂରିନି, ସବୁ ଇ-ଷ୍ଟ୍ରେଚର୍‌ ଅଚଳ ହୋଇପଡ଼ିଛି। ବେପରୁଆ ଗାଡ଼ି ଚାଳନା ଓ ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏବେ ପୂର୍ବଭଳି ସମାନ ଅବସ୍ଥା। ରୋଗୀମାନେ ଚାଲି ଚାଲି ଏସବୁ ଓ୍ଵାର୍ଡକୁ ଯାଉଛନ୍ତି। ଗତବର୍ଷ ବଡ଼ଗଡ଼ ଅଞ୍ଚଳର ଜଣେ ରୋଗୀ କାଜୁଆଲଟିରୁ ଚାଲି ଚାଲି ଯାଉଥିବା ସମୟରେ ବାଟରେ ପଡ଼ି ଯାଇ ପ୍ରାଣ ହରାଇଥିଲେ। ଏ ସମୟରେ ହସ୍ପିଟାଲରେ ଇ-ଷ୍ଟ୍ରେଚର୍‌ ରହିଥିଲେ ହେଁ ଏହାକୁ ଚଳାଇବା ପାଇଁ ଡ୍ରାଇଭର୍‌ ନ ଥିବାରୁ ତାହା ଚାଲି ପାରୁ ନ ଥିଲା। ଏବେ କିନ୍ତୁ ଇ-ଷ୍ଟ୍ରେଚର୍‌ ସଂପୂର୍ଣ୍ଣ ଖରାପ ହୋଇଯାଇଛି। କ୍ୟାପିଟାଲ ହସ୍ପିଟାଲର କାଜୁଆଲଟିରୁ ନୂତନ ଭାବେ ନିର୍ମିତ ହୋଇଥିବା ଏମ୍‌ସିଏଚ୍‌ ବିଲ୍‌ଡିଂ, ଶିଶୁ ଓ ସଂକ୍ରମଣ ଓ୍ଵାର୍ଡ ଯଥେଷ୍ଟ ଦୂରରେ ରହିଛି। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କୁ ଏସବୁ ଓ୍ଵାର୍ଡକୁ ଯିବା ପାଇଁ ସମସ୍ୟା ହେଉଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ୨୦୧୬ ମସିହାରେ ପ୍ରଥମେ ବ୍ୟାଟେରି ଚାଳିତ ଇ-ଷ୍ଟ୍ରେଚର୍‌ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ୱର ସାଂସଦଙ୍କ ପାଣ୍ଠିରୁ ଏଥିପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ଇ-ଷ୍ଟ୍ରେଚର୍‌କୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ଏହାର ଲାଇସେନ୍‌ସ କିଭଳି ପ୍ରଦାନ କରାଯିବ, ତାହାକୁ ନେଇ ଏମ୍‌ଭିଆଇ ଚିନ୍ତାରେ ପଡ଼ିଥିଲେ। ଶେଷରେ ଇ-ରିକ୍ସା କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସାଂସଦଙ୍କ ପାଣ୍ଠିରୁ ଆସଥିବା ଅର୍ଥରେ ଗତବର୍ଷ ୩ଟି ଇ-ରିକ୍ସା କିଣା ଯାଇଥିଲା। ଖୋର୍ଧା ସିଡିଏମ୍‌ଓ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ ହେଲ୍‌ପ ଡେସ୍କ ପାଇଁ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ଏହାକୁ ଚଳାଇବାର ଦାୟିତ୍ୱ ହସ୍ପିଟାଲ କର୍ତୃପକ୍ଷ ଦେଇଥିଲେ। ବେଶ କିଛି ଦିନ ଏହା ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ସହାୟକ ହୋଇଥିଲା। ଏବେ କିନ୍ତୁ ଇ-ରିକ୍ସା ଅଚଳ। କାହାର ବ୍ୟାଟେରି ନଷ୍ଟ ହୋଇଯାଇଛି ତ ଆଉ କାହାର ବଲବେରିଂ ନଷ୍ଟ ହୋଇଯାଇଛି। ରୋଗୀଙ୍କୁ ସ୍ଥାନାନ୍ତର କରିବା ବ୍ୟତୀତ ଏହାକୁ ମନଇଚ୍ଛା ଅନ୍ୟ କାମରେ ବ୍ୟବହାର କରାଯାଉଥିଲା ବୋଲି ଅଭିଯୋଗ ହୋଇଛି।

କ୍ୟାପିଟାଲ ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି, ଗାଡ଼ି ଚଳାଇବା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଏଭଳି ଅସୁବିଧା ହୋଇଛି। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡାକି ତାଗିଦ୍‌ କରାଯାଇଥିଲା। ଏହା ସତ୍ତ୍ୱେ ସେମାନେ ଇ-ରିକ୍ସାକୁ ମନଇଚ୍ଛା ଚଳାଉଛନ୍ତି। ଖରାପ ହୋଇଥିବା ରିକ୍ସାକୁ ତୁରନ୍ତ ସଜାଡ଼ିବା ପାଇଁ କମ୍ପାନିକୁ ଚିଠି ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସଙ୍କୁ ଏ ସଂପର୍କରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିପାରି ନାହିଁ।

ସମ୍ବନ୍ଧିତ ଖବର