ମୋବାଇଲ୍‌ ଟଏଲେଟ୍ ବାଟବଣା, ରାସ୍ତାକଡ଼ରେ ପରିସ୍ରା କରୁଛନ୍ତି ସୁରକ୍ଷାକର୍ମୀ

ଭୁବନେଶ୍ବର : ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କର ଦୁର୍ଦ୍ଦଶା ବଢି ଯାଇଥିଲା। ପେଟରେ ପରିସ୍ରା ଚାପି ରଖି ଛିଡ଼ା ହେବାକୁ ପଡ଼ୁଥିଲା। ପୁରୁଷ କର୍ମଚାରୀ କିଏ କେଉଁଠିକୁ ରାସ୍ତା କଡ଼କୁ ପଳାଉଥିଲେ। ହେଲେ ମହିଳା କର୍ମଚାରୀଙ୍କ କଥା ନ କହିଲେ ଭଲ। ଦୀର୍ଘ ସମୟ ଧରି ଡ୍ୟୁଟି କରୁଥିବା କର୍ମଚାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେବା ପରେ ଗତବର୍ଷ ନଭେମ୍ବରରେ ରାଜଧାନୀରେ ଆରମ୍ଭ ହୋଇଥିଲା ମୋବାଇଲ ଟଏଲେଟ୍ ବ୍ୟବସ୍ଥା। ପୂର୍ବତନ ପୁଲିସ କମିସନର ତଥା ତତ୍କାଳୀନ ଡିଜିପି ବିଜୟ କୁମାର ଶର୍ମା ଯୋଜନାର ରୂପରେଖ ପ୍ରସ୍ତୁତ କରି ଟ୍ରାଫିକ କର୍ମଚାରୀଙ୍କ ଲାଗି ମୋବାଇଲ ଟଏଲେଟର ବ୍ୟବସ୍ଥା କଲେ। ଏହା ‘୫-ଟି’ ଯୋଜନାର ଅଂଶ ବିଶେଷ ବୋଲି ସେତେବେଳେ ପୁଲିସ ପକ୍ଷରୁ କୁହାଯାଇଥିଲା। ରାଜଧାନୀରେ ୮ଟି ମୋବାଇଲ ଟଏଲେଟର ବ୍ୟବସ୍ଥା କରାଗଲା। ୨୦୧୯ ନଭେମ୍ବର ୯ ତାରିଖରେ ଆରମ୍ଭ ହୋଇଥିବା ଯୋଜନା ଏବେ ବାଟବଣା ହୋଇ ଯାଇଛି। ଆଉ କାମ କରୁନି ମୋବାଇଲ ଟଏଲେଟ୍। କେଉଁଠି ପାଣିଟାଙ୍କି ନାହିଁ ତ ଆଉ କେଉଁଠି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେକ ମୋବାଇଲ ଟଏଲେଟରେ ଅଳିଆ ଭର୍ତ୍ତି ହୋଇ ଗଲାଣି ତ ଆଉ କେଉଁଠି ଟେକାପଥର ଭର୍ତ୍ତି ହୋଇ ରହିଛି। ରକ୍ଷଣାବେକ୍ଷଣ ଠିକ୍ ଭାବରେ ହେଉ ନ ଥିବାରୁ ଖତ ଖାଇବାକୁ ଯାଉଛି ଟଏଲେଟ୍। ପୂର୍ବରୁ ଆରମ୍ଭ ହୋଇଥିବା ଅନେକ ଯୋଜନା ଭଳି ଏହି ଯୋଜନା ଏବେ ବାଟବଣା ହୋଇଗଲାଣି। ସରକାରଙ୍କ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବାକୁ ଯାଉଛି। ପୂର୍ବ ଭଳି ଏବେ ସୁରକ୍ଷାକର୍ମୀମାନେ ରାସ୍ତାକଡ଼ରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ କର୍ମଚାରୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ବି ସେଭଳି ସମସ୍ୟା ସୃଷ୍ଟି ହୋଇଛି। ଯୋଜନାର ଖୁସି ବେଶି ଦିନ ରହିଲା ନାହିଁ। ମୋବାଇଲ ଟଏଲେଟ୍ କେବେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ନା ପୂର୍ବ ଯୋଜନା ଭଳି ଏହି ଯୋଜନା ବି ମାଟିରେ ମିଶିଯିବ ବୋଲି?

ରାଜଧାନୀରେ ପ୍ରାୟ ୫୨ଟି ଟ୍ରାଫିକ ପୋଷ୍ଟରେ ୪୦୦ରୁ ଅଧିକ କର୍ମଚାରୀ ଡ୍ୟୁଟି କରୁଛନ୍ତି। ସେମାନଙ୍କ ଭିତରୁ ୭୦ରୁ ଅଧିକ ମହିଳା କର୍ମଚାରୀ ରହିଛନ୍ତି। ସେହିପରି ପ୍ରାୟ ୨ ଶହରୁ ଅଧିକ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ଥିବା ବେଳେ ୧୦୦ରୁ ଅଧିକ ମହିଳା ଭଲ୍ୟୁଣ୍ଟର ରହିଥିବା ଜଣାପଡ଼ିଛି।

କରୋନା ପାଇଁ ତାଲା ପଡ଼ିଛି: ଟ୍ରାଫିକ ଡିସିପି
ମୋବାଇଲ ଟଏଲେଟ୍ ଠିକ୍ ରହିଛି। ରକ୍ଷଣାବେକ୍ଷଣ କରାଯାଉଛି। ଟଏଲେଟ୍ ଭିତରେ ପାଣି ବାଲଟି ରଖାଯାଇଛି। କରୋନା ପାଇଁ ତାଲା ପକାଯାଇଛି। ବାହାରେ ପାଣି ରହିଲେ ଅସୁବିଧା ହେବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ।

୫ ବର୍ଷରେ ଟ୍ରାଫିକ ପୁଲିସର ଜରିମାନା ଆଦାୟ ୧୬ କୋଟି, ଭିତ୍ତିଭୂମି ଦୁର୍ବଳ
ଜରିମାନା ଆଦାୟରେ ଟ୍ରାଫିକ ବେଶ୍ ନାଁ କମାଇଛି। ରାଜକୋଷକୁ ଆର୍ଥିକ ସବଳ କରୁଥିବାରୁ ପ୍ରଶଂସା ବି ପାଇଛି। କିନ୍ତୁ ଭିତ୍ତିଭୂମିରେ ଯଥେଷ୍ଟ ଦୁର୍ବଳ ହୋଇ ପଡ଼ିଛି ଟ୍ରାଫିକ। ମୋବାଇଲ ଟଏଲେଟ୍ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିବା ବେଳେ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ତିଆରି ହୋଇଥିବା ଏଡ୍ ପୋଷ୍ଟ ଭାଙ୍ଗିରୁଜି ଗଲାଣି। କଳ୍ପନା ଛକ ଭଳି କେତେକ ସ୍ଥାନରୁ ଏଡ୍ ପୋଷ୍ଟ ଗାଏବ ମଧ୍ୟ ହୋଇ ଗଲାଣି। ଖାଲି ସେତିକି ନୁହେଁ ଅନେକ ସ୍ଥାନରେ ଭାଙ୍ଗିରୁଜି ଗଲାଣି ଟ୍ରାଫିକ ପୋଷ୍ଟ। ଭଙ୍ଗା ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇ ଡ୍ୟୁଟି କରୁଛନ୍ତି କର୍ମଚାରୀ। ମିଳିଥିବା ସୂଚନା ଅ​ନୁସାରେ, ୨୦୧୫ରୁ ୨୦୧୯ ଗତ ୫ ବର୍ଷ ଭିତରେ ଟ୍ରାଫିକ ପୁଲିସ କେବଳ ରାଜଧାନୀରୁ ୧୬ କୋଟି ୫୬ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। ମୋଟରଯାନ ଯା଼ଞ୍ଚରୁ ୪ କୋଟି ୬୦ ଲକ୍ଷ ୯୩ ହଜାର ୨୯୦ ଟଙ୍କା ଆଦାୟ ହୋଇଥିବା ବେଳେ ସହରାଞ୍ଚଳ ପୁଲିସ ଆଇନ ବଳରେ ୧୧ କୋଟି ୯୫ ଲକ୍ଷ ୩୭ ହଜାର ଟଙ୍କା ଆଦାୟ କରିଛି ଟ୍ରାଫିକ ପୁଲିସ। କୋଟି କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରୁଥିବା ଟ୍ରାଫିକ ପୁଲିସର ଭିତ୍ତିଭୁମି ଭୁଷୁଡ଼ି ପଡ଼ିଛି।

୫ ମାସ ହେଲାଣି ଡ୍ରୋନ୍ ଅଚଳ
ହାଇଟେକ୍ ପଦ୍ଧତିରେ ଡ୍ରୋନ୍ ମାଧ୍ୟମରେ ଓଭରଟେକିଂ ଯାଞ୍ଚ କରାଯିବ। ସଚିବାଳୟ ମାର୍ଗରେ ଓଭରଟେକିଂ କରୁଥିବା ଗାଡ଼ିକୁ ଧରିବ ଡ୍ରୋନ୍। ଏଭଳି ଲକ୍ଷ୍ୟ ରଖି ଡ୍ରୋନ୍ ଉଡାଇଥିଲା ଟ୍ରାଫିକ ପୁଲିସ। କିନ୍ତୁ ୫ ମାସ ହେଲାଣି ଡ୍ରୋନ୍ ଅଚଳ ହୋଇପଡ଼ିଛି। ଜାନୁଆରୀ ମାସରୁ ଡ୍ରୋନ୍ ମରାମତି ହେବାକୁ ଯାଇଛି। କିନ୍ତୁ ଏଯାଏ ମରାମତି ହୋଇପାରିନି। ଡ୍ରୋନ୍ ୪ ବର୍ଷ ତଳ ପୁରୁଣା ହୋଇଥିବା ବେଳେ ଖରାପ ହୋଇ ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର