ଭୁବନେଶ୍ବର: ବାହ୍ୟ ମଳମୁକ୍ତ ସହର ଭାବେ ଗଢ଼ି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବାହାରେ ମଳତ୍ୟାଗ କି ପରିସ୍ରା କଲେ ଜରିମାନା ଆଦାୟ ବ୍ୟବସ୍ଥା ବି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ ଇ-ଟଏଲେଟ୍ର ବ୍ୟବସ୍ଥା କରାଯାଇଛି। ଏଥିରେ କିଛି ସଂପୂର୍ଣ୍ଣ ଭାବେ ଅଟୋମେଟିକ୍ ଥିବା ବେଳେ ଆଉ କିଛି ସେମି ଅଟୋମେଟିକ ଭାବେ କାର୍ଯ୍ୟକ୍ଷମ କରୁଥିଲା। ୨୦୧୮ ମସିହାରେ ଲଗାଯାଇଥିବା ଉକ୍ତ ଇ-ଟଏଲେଟ୍ରୁ ପ୍ରାୟ କିଛି ଅଚଳାଅବସ୍ଥାରେ ରହିଛି। ଅନେକ ସ୍ଥାନରେ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ଡୋର୍ ଖୋଲୁନି। ଏପରିକି ଅନେକ ଯାଗାରେ ଟଏଲେଟରେ ପାଣି ରହୁନି କି ସଫା ମଧ୍ୟ ହେଉନି।
୨୦୧୮ ବିଶ୍ବ ହକି କପ୍ ସମୟରେ ଭୁବନେଶ୍ବରର ୩୦ଟି ସ୍ଥାନରେ ଇ-ଟଏଲେଟ ବ୍ୟବସ୍ଥା କରାଯାଇଥିଲା। ଭୁବନେଶ୍ବର ସ୍ମାର୍ଟସିଟି ଲିମିଡେଟ୍ ଏବଂ ବିଏମ୍ସି ପକ୍ଷରୁ ଏଥିଲାଗି ଜାଗା ଚିହ୍ନଟ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୫.୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ୩୦ଟି ସ୍ଥାନରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ୬୦ଟି ଇ-ଟଏଲେଟ କରାଯାଇଛି। ଏଥିରୁ୨୦ଟି ସଂପୂର୍ଣ୍ଣ ଭାବେ ଅଟୋମେଟିକ ଥିବା ବେଳେ ୪୦ଟି ସେମି ଅଟୋମେଟିକ୍ ରହିଛି। ଷ୍ଟିଲରେ ନିର୍ମିତ ମଡୁଲାର ଇ-ଟଏଲେଟ୍ କରାଯାଇଥିଲା। ବାପୁଜୀ ନଗର, ରବୀନ୍ଦ୍ର ମଣ୍ଡପ ନିକଟ, କଳିଙ୍ଗ ଷ୍ଟାଡିୟମ ଗେଟ୍-୮, ଖଣ୍ଡଗିରି, ଶିରିପୁର ଛକ, ୟୁନିଟ୍-୯, ଜୟଦେବ ବିହାର, ଅଶୋକ ନଗର, ସିଟି ମହିଳା ମହାବିଦ୍ୟାଳୟ ସମେତ ୩୦ଟି ସ୍ଥାନରେ ଇ-ଟଏଲେଟ କରାଯାଇଛି। ଏହା ସହ ଆଇଜି ପାର୍କ, ଫରେଷ୍ଟ ପାର୍କ ଏବଂ ମଧୁସୂଦନ ପାର୍କ ଭିତରେ ମଧ୍ୟ ଇ-ଟଏଲେଟ ବ୍ୟବସ୍ଥା ହୋଇଛି। ମାତ୍ର ଏହି ଇ-ଟଏଲେଟ୍ ଅନେକ ସ୍ଥାନରେ କାମ କରୁନି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। ସହରକୁ ବାହ୍ୟ ମଳମୁକ୍ତ ଅଞ୍ଚଳ କରିବା ପାଇଁ ବିଏମସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବେ ଅଚଳାଅବସ୍ଥାରେ ରହିଛି।
ଏହି ଟଏଲେଟ ବ୍ୟବହାର ସମୟରେ ନାଲି ଲାଇଟ୍ ଜଳିବା କଥା। କିନ୍ତୁ ଅନେକ ସମୟରେ କେହି ନ ଥାଇ ବି ନାଲି ଲାଇଟ୍ ଜଳିରହୁଛି ଏବଂ ଡୋର୍ ଖୋଲୁନି। ଆଉ ଅନେକ ସମୟରେ ସୁଇଚ୍ ମାରି ବହୁ ସମୟ ଅପେକ୍ଷା କରିବା ସତ୍ତ୍ବେ ବି ଡୋର୍ ଖୋଲୁନି। ଏହାଦ୍ବାରା ଲୋକମାନଙ୍କ ଜରୁରୀ ସମୟରେ କାମରେ ଆସୁନି। ବାପୁଜୀ ନଗର, ରବୀନ୍ଦ୍ର ମଣ୍ଡପ, ଖଣ୍ଡଗିରି, ଶିରିପୁରଛକ, ଅଶୋକ ନଗର ଏବଂ ଆଇଜି ପାର୍କ, ଫରେଷ୍ଟ ପାର୍କ ପରି ଅନେକ ସ୍ଥାନରେ ଏହି ଇ-ଟଏଲେଟ୍ କାମ କରୁନି।