ଖଣ୍ଡଗିରି: ପେଟ ପୋଷିବାକୁ ଗାଁ ଛାଡ଼ି ରାଜଧାନୀକୁ ଚାଲିଆସିଥିଲେ। ଦୀର୍ଘ ୧୦ ବର୍ଷ ହେଲା ଭରତପୁର ସାଇନାଥ ବସ୍ତି ଥିଲା ସେମାନଙ୍କ ଆଶ୍ରୟସ୍ଥଳ। ମାତ୍ର ହଠାତ୍ ସବୁ କିଛି ବଦଳିଗଲା। ବିଏମ୍ସିର ବୁଲ୍ଡୋଜର୍ ସେମାନଙ୍କ ଘରକୁ ଧରାଶାୟୀ କଲା। ଗତ ୨୪ ତାରିଖରେ ୬୦ ପରିବାର ବେଘର ହୋଇଗଲେ। ଏବେ ସେମାନେ ମୁଣ୍ଡଗୁଞ୍ଜିବାକୁ ହୀନସ୍ତା ହେଉଛନ୍ତି। ଗୋଟିଏ ପଟେ ପେଟ ଚିନ୍ତା, ଅନ୍ୟ ପଟେ ମୁଣ୍ଡଗୁଞ୍ଜିବା ଚିନ୍ତା ସେମାନଙ୍କୁ ହତାଶ କରିପକାଇଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ସେମାନେ କୋଉଠି ପିଲାଛୁଆଙ୍କୁ ଧରି ଆଶ୍ରୟ ନେବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି। ନିର୍ବାଚନ ବେଳେ କେତେ ଆଶା ଭରସା ଦେଇଥିଲେ। ଜାଗା ମିସନ୍ କଥା କହି ସ୍ଥାୟୀ ଭାବେ ରହିବାର ସୁବିଧା ଦେବେ ବୋଲି ପ୍ରତିଶ୍ରୁତି ଅଜାଡ଼ି ପକାଇଥିଲେ। କିନ୍ତୁ ଏବେ କାହାର ଦେଖାଦର୍ଶନ ନାହିଁ। ତେଣୁ ବିଏମ୍ସି ଥଇଥାନ ନକଲେ, ସେମାନେ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି।
ଫୁଲବାଣୀରୁ ଆସି ସାଇନାଥ ବସ୍ତିରେ ଆଶ୍ରୟ ନେଇଥିବା ବନିତା ଦିଗଲଙ୍କ କହିବା କଥା ୨୦୧୨ ମସିହାରେ ପେଟପାଟଣା ଚିନ୍ତାରେ ରାଜଧାନୀକୁ ଆସି ଏଠାରେ ବଡ଼ କଷ୍ଟ କରି କୁଡ଼ିଆ ଖଣ୍ଡେ କରି ରହିଲେ। ସ୍ବାମୀ ଶ୍ରମିକ ଭାବେ କାମ କରି ପରିବାର ଭରଣପୋଷଣ କଲେ। ଏବେ ବିଏମ୍ସି ତାଙ୍କ ଘର ଭାଙ୍ଗି ଦେଇଛି। ତେଣୁ ଦୁଇ ପୁଅଝିଅଙ୍କୁ ଧରି ସେ ବାରଦୁଆର ହେଉଛନ୍ତି। ସମାନ କଥା କହିଛନ୍ତି ବ୍ରହ୍ମପୁରରୁ ଆସିଥିବା ଗୌରୀ ସାହୁ। ଗୌରୀ ଓ ବନିତାଙ୍କ ଅଭିଯୋଗ ଅନୁସାରେ ନିର୍ବାଚନ ପ୍ରଚାର ବେଳେ ବିନା ଥଇଥାନରେ ଉଚ୍ଛେଦ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଥିଲା।
କିନ୍ତୁ ହଠାତ୍ ବିଏମ୍ସି ସେମାନଙ୍କୁ ଦାଣ୍ଡରେ ଠିଆ କରାଇଛି। ୭୦ ପରିବାର କୋର୍ଟରୁ ରହିତାଦେଶ ପାଇଥିବାରୁ ସେମାନେ ବର୍ତ୍ତିଯାଇଛନ୍ତି। ତେବେ ରହିତାଦେଶ ଥିବା ସତ୍ତ୍ବେ କିଛି ଘର ଭଙ୍ଗାଯାଇଛି ବୋଲି ଅଭିଯୋଗ ହୋଇଛି। ବିଏମ୍ସିର ଏଭଳି ବଳପୂର୍ବକୁ କାମ ବେଳେ ଲୋକ ପ୍ରତିନିଧିମାନେ ନିରବ ରହିଥିବାରୁ ସେମାନେ ବେଶି ହତାଶ ହୋଇପଡ଼ିଛନ୍ତି। ଏନେଇ ସେମାନେ ସ୍ଥାନୀୟ କର୍ପୋରେଟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କିଛି ସୁଫଳ ମିଳିନାହିଁ ବୋଲି କହିଛନ୍ତି। ସ୍ଥାନୀୟ ବାସିନ୍ଦା ସୁଶାନ୍ତଙ୍କ ଅଭିଯୋଗ ଅନୁସାରେ ବିନା ଥଇଥାନରେ ଘର ଭାଙ୍ଗିବା ଠିକ୍ ହୋଇନାହିଁ।
ଅପରପକ୍ଷରେ ବସ୍ତିରେ ସରକାରୀ ଜମିକୁ କିଛି ଜମି ମାଫିଆ ପ୍ଲଟିଂ କରି ବିକ୍ରି କରିଛନ୍ତି। ସରକାରୀ ଜମିରେ ରହୁଥିବା ବସ୍ତିବାସିନ୍ଦା ମାଲିକାନା ନେଇ କୌଣସି ଦସ୍ତାବିଜ୍ ଦେଖାଇ ପାରିନାହାନ୍ତି। ତେଣୁ ବିଏମ୍ସି ଜବରଦଖଲ ଘରଗୁଡ଼ିକ ଭାଙ୍ଗିଛି। ହାଇକୋର୍ଟଙ୍କ ରହିତାଦେଶ ଥିବା ୭୦ ପରିବାରଙ୍କ ଘର ଭଙ୍ଗାଯାଇନାହିଁ ବୋଲି ବିଡିଏ ଅଧିକାରୀ ଶୁଭ୍ରାଂଶୁ ମହାନ୍ତି କହିଛନ୍ତି।