ଭୁବନେଶ୍ୱର: ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟିକସ। ଅଧା ଘରୁ ଟିକସ ଆସୁନି। ଯେତେ ଉପାୟ କଲେବି ଲକ୍ଷ୍ୟ ପୂରଣ ହେଉନି। ଆବାସିକ ସ୍ଥଳ ବ୍ୟାବସାୟିକ ସ୍ଥଳରେ ପରିଣତ ହେଲାଣି। ହେଲେ ହୋଲ୍ଡିଂ ଆବାସିକ ରହିଛି। ଦିନକୁ ଦିନ ନୂଆ ନୂଆ ଘର ତିଆରି ହେଉଛି ହେଲେ ଟିକସ ହେଉନି। ହୋଲ୍ଡିଂ ଟିକସ ବାଟମାରଣା ହେଉଥିବା ଅଭିଯୋଗ ହେବା ସହ ଲାଇସେନ୍ସ ଓ ଅପିଲ୍ସ ଷ୍ଟାଣ୍ଡିଂ କମିଟି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଚିନ୍ତା ବଢ଼ିଛି। ହୋଲ୍ଡିଂ ଟିକସ କିଭଳି ଶତ ପ୍ରତିଶତ ଆଦାୟ ହେବ ସେ ନେଇ ବିଏମ୍‌ସି ମାନସମନ୍ଥନ କରିଛି। ପ୍ରତି ଜୋନ୍‌କୁ ୨୦୦ କୋଟିର ଟାର୍ଗେଟ୍‌ ଦିଆଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ଜେଡ୍‌ଡିସିମାନେ ଏସ୍‌ଓପି ଜାରି କରିବାକୁ କୁହାଯାଇଛି। ପ୍ରତି ୱାର୍ଡରେ ଏଣିକି ପ୍ରତ୍ୟେକ ଶନିବାର ‘ରାଜସ୍ବ ଦିବସ’ ପାଳିତ ହେବ। ଜନସାଧରଣଙ୍କୁ ସଚେତନ କରିବା ସହ ଆକଳନ ଓ ପୁନଃ ଆକଳନ ମଧ୍ୟ ଶତପ୍ରତିଶତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ବିଏମ୍‌ସିରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

Advertisment

ଲକ୍ଷ୍ୟଠାରୁ ବହୁ ପଛରେ ହୋଲ୍ଡିଂ ଟିକସ ଆଦାୟ
ଜୋନ୍‌ ପିଛା ଟାର୍ଗେଟ୍‌ ୨ଶହ କୋଟି

କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ରାଜସ୍ୱ ଆଦୟ ପାଇଁ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି ସ୍ୱଚ୍ଛତା ରକ୍ଷା କରିବାକୁ ୱାର୍ଡ ଅଫିସରମାନଙ୍କୁ କୁହାଯାଇଛି। ପ୍ରତ୍ୟେକ ଜୋନ୍‌ରେ ୨୦୦ କୋଟିର ରାଜସ୍ବ ଲକ୍ଷ୍ୟ ପୂରଣ ପାଇଁ ସଂପୃକ୍ତ ୱାର୍ଡ ଅଫିସରଙ୍କୁ ଟାର୍ଗେଟ ଦିଆଯିବ। ରାଜସ୍ୱ ଆଦାୟ କିପରି ହେବ ଏ ବାବଦରେ ଜୋନ୍‌ୱାରି ଉପସ୍ଥାପନା କରିବେ। ୱାର୍ଡ ଅଫିସରମାନେ ନିୟମିତ ଭାବେ ଘରଗୁଡିକର ଆକଳନ ଓ ପୁନଃଆକଳନ କରିବେ। ରାଜସ୍ବ ଲକ୍ଷ୍ୟ ଛୁଇଁବା ପାଇଁ ୱାର୍ଡସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ହେବ। ୱାର୍ଡ କୋର୍‌ କମିଟିକୁ ନେଇ ଯେଉଁ ରାଜସ୍ୱ ଦିବସ ପାଳନ କରାଯିବ ସେଥିରେ କର୍ପୋରେଟରମାନେ ସହଯୋଗ କରିବେ। ଯେଉଁ ୱାର୍ଡରେ ବୈଠକ ହେବ ସେହି ୱାର୍ଡର ପ୍ରତ୍ୟେକ ଘର ୱାର୍ଡ ଅଫିସର ବୁଲିବେ। ସେମାନଙ୍କୁ ସଚେତନ କରାଯିବା ସହ ଟିକସ ଆଦାୟ କରାଯିବ।

ବୈଠକରେ କିଏ କେତେ ଆଦାୟ କଲା ସେହି ପରିମାଣ ଆଧାରରେ ୱାର୍ଡ ଅଫିସରଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଘରଗୁଡିକର ଆକଳନ ଓ ପୁନଃ ଆକଳନ କରିବା ପାଇଁ ୱାର୍ଡ ଅଫିସରମାନେ ସମୟ ଅନୁସାରେ କିପରି କରିବେ ତାହାର କର୍ମଶାଳା ଆୟୋଜନ କରାଯିବ। ପ୍ରତି ୱାର୍ଡରେ ରହିଥିବା ଘର, ଦୋକାନ, ପାର୍କିଂ ସ୍ଥାନ ଇତ୍ୟାଦି ଚିହ୍ନଟ କରି ସେଗୁଡିକର ରାଜସ୍ୱ ଅଡିଟ କରାଯିବ। ପ୍ରତ୍ୟେକ ଘରୁ ଟିକସ ଆଦାୟ ହେବ। ଯେଉଁମାଲିକଙ୍କ ଅଧିନରେ ଥିବ ତା ଠାରୁ ସେହି ଘର ପାଇଁ ଉଦ୍ଦିଷ୍ଟ ରାଜସ୍ୱ ରାଶି ଆଦାୟ ହେବ। ଡିଜିଟାଲ ଡୋର ନମ୍ବରିଂକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଅନଲାଇନରେ ରାଜସ୍ୱ ଆଦାୟ କରିବା ଯେଉଁମାନେ ଜାଣି ନାହାନ୍ତି, ସେମାନେ ତୁରନ୍ତ ଏ ସଂପର୍କରେ ଜ୍ଞାନ ଆହରଣ କରିବେ। ନଚେତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ କମିସନରଙ୍କ ସମେତ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିସନର (ରାଜସ୍ୱ) ସପନ ନନ୍ଦ, ସମସ୍ତ ଜେଡ୍‌ଡିସି, ୱାର୍ଡ ଅଫିସର, ୱାର୍ଡ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ।