ଅଧ୍ୟାପିକାଙ୍କଠାରୁ ଲୁଟିନେଲେ କାନଫୁଲ, ମୋବାଇଲ୍‌, ଟଙ୍କା

ଭୁବନେଶ୍ବର : ଶନିବାର ଭୋର୍‌ ବରମୁଣ୍ଡା ଛକ ନିକଟରେ ଜଣେ ଅଧ୍ୟାପିକା କାନଫୁଲ, ମୋବାଇଲ ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଅଧ୍ୟାପିକା ହେଲେ କଳିଙ୍ଗବିହାରର ସୁଜାତା ମହାପାତ୍ର(୫୪)। ସୁଜାତା ଶନିବାର ଭୋର୍‌ ପ୍ରାୟ ସାଢ଼େ ୫ଟା ବେଳେ ତାଙ୍କ ପୁଅ ସହ ବରମୁଣ୍ଡାସ୍ଥିତ ପାତ୍ର ଇଲ୍‌କ୍ଟ୍ରୋନିକ୍ସ ସମ୍ମୁଖରେ ଭଦ୍ରକ ମାଣିକଲାଲ୍ କଲେଜକୁ ବସ୍‌ରେ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲସର୍‌ରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପିବାକୁ ଉଦ୍ୟମ କରିଥିଲେ। ମାତ୍ର ସୁଜାତା ଭ୍ୟାନିଟି ନ ଛାଡ଼ିବାରୁ ଲୁଟେରାମାନେ ତାଙ୍କୁ ଭ୍ୟାନିଟି ସହ କିଛି ବାଟ ଘୋଷାଡ଼ି ନେଇଥିଲେ। ଫଳରେ ସୁଜାତା ରାସ୍ତାରେ ପଡ଼ି ଆହତ ହୋଇଥିଲେ। ତାଙ୍କ ନାକ ଫାଟି ଯାଇଥିଲା। ପରେ ଲୁଟେରାଦ୍ବୟ ତାଙ୍କ ଭ୍ୟାନିଟି ବ୍ୟାଗ୍ ନେଇ ଫାୟାର ଷ୍ଟେସନ୍ ଛକ ଦେଇ ଫେରାର୍‌ ହୋଇଯାଇଥିଲେ। ସୁଜାତାଙ୍କ ବ୍ୟାଗ୍‌ରେ ଦୁଇହଳ ସୁନା କାନଫୁଲ, ଦୁଇଟି ସ୍ମାର୍ଟଫୋନ୍, ୨୫ ଶହ ଟଙ୍କା ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିଲା। ଏ ସଂପର୍କରେ ସୁଜାତାଙ୍କ ପୁଅ ଭରତପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଛାନଭିନ୍‌ ଆରମ୍ଭ କରିଛି। ଲୁଟେରାଦ୍ବୟ ଆଜି ସକାଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଟପାଟ୍ କରି ଆସିବା ପରେ ବରମୁଣ୍ଡାରେ ଅଧ୍ୟାପିକାଙ୍କୁ ଲୁଟ୍ କରିଥିବା ପୁଲିସ୍ ଜାଣିବାକୁ ପାଇଛି। ତେଣୁ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର