ଭୁବନେଶ୍ବର: ଭୂମିକମ୍ପପ୍ରବଣ ଅଞ୍ଚଳ ମଧ୍ୟରେ ଭୁବନେଶ୍ବର ଆସୁଥିବାରୁ ରାଜ୍ୟ ସରକାର ଚିନ୍ତାପ୍ରକଟ କରିଛନ୍ତି। ଯଦି କେବେ କିଛି ହୋଇଯାଏ ତାହା ହେଲେ ଏବେ ଯେଉଁ ସଂସ୍ଥାମାନେ ସାରା ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରୁଛନ୍ତି, ସେମାନେ ଗଭୀର ଭାବେ ପ୍ରଭାବିତ ହେବେ। ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏଥିପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲୋକସେବା ଭବନ ନିକଟରେ ଏହି କାର୍ଯ୍ୟାଳୟ ନିର୍ମାଣ କରିବାକୁ ଜାଗା ଚିହ୍ନଟ ସରିଛି। ନୂତନ ବିପର୍ଯ୍ୟୟ ଭବନ ବହୁତଳ ପ୍ରସାଦ ସହ ଭୂତଳ ସୁବିଧା ଉପଲବ୍ଧ ହେବ। ଭୁବନେଶ୍ବରରେ କୌଣସି ପ୍ରକାର ବିପର୍ଯ୍ୟୟ ଦେଖାଗଲେ ‌ତାହାକୁ ସମ୍ନା କରିବାକୁ ଯେଉଁଭଳି କଣ୍ଟ୍ରୋଲ ରୁମ୍‌ ଆବଶ୍ୟକ ତାହା ସେଠାରେ ରହିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁ‌ରେଶ ପୂଜାରୀ କହିଛନ୍ତି।

Advertisment

ବର୍ତ୍ତମାନ ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜଜିଲ୍ଲା ଭୂମିକମ୍ପପ୍ରବଣ ଜୋନ୍‌ରେ ସ୍ଥାନ ପାଇଛି। ସେଥିମଧ୍ୟରୁ କିଛି ଜିଲ୍ଲା ଭୂମିକମ୍ପପ୍ରବଣ ଜୋନ୍‌-୨ରେ ଆସୁଥିବା ବେଳେ ଭୁବନେଶ୍ବର ଏବେ ଜୋନ୍‌-୩ରେ ରହିଛି। ଭୂମିକମ୍ପ ଦୃଷ୍ଟିରୁ ଦୁଇ ଦଶନ୍ଧି ହେଲା ଭୁବନେଶ୍ବର ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ। ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁରୋଧକ୍ରମେ ବିଲ୍ଡି˚ ମାଟେରିଆଲ୍ସ ଟେକ୍ନୋଲୋଜି ପ୍ରମୋସନ୍‌ କାଉନ୍‌ସିଲ୍‌ ପକ୍ଷରୁ ଭୂକମ୍ପ ନିରୋଧୀ ଗୃହନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଥିଲେ ମଧ୍ୟ ଭୁବନେଶ୍ବରରେ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି।

ନିର୍ମାଣ ହେବ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ
ଲୋକସେବା ଭବନ ନିକଟରେ ଜାଗା ଚିହ୍ନଟ
ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟିର ବ୍ୟୟବରାଦ
ଗୋଟିଏ କୋଠାରେ ସବୁ ବିପର୍ଯ୍ୟୟ ମୁକାବିଲା ସଂସ୍ଥା

ବିନା ବାଧାରେ ଉଚ୍ଚ ଅଟ୍ଟାଳିକା ଛିଡ଼ା ହେଉଥିବାରୁ ଆଗାମୀ ଦିନରେ ସହରବାସୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ୨୦୦୦ ପୂର୍ବରୁ ବିଡିଏ ଦ୍ବାରା ୩୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଗୃହନିର୍ମାଣ ନକ୍ସା ଅନୁମୋଦନ ବ୍ୟବସ୍ଥା ଥିଲା। ତେବେ ସମ୍ଭାବ୍ୟ ଭୂମିକମ୍ପ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୦୧ରେ ପୂର୍ବ ନିୟମର ପରିବର୍ତ୍ତନ ବହୁତଳ ଅଟ୍ଟାଳିକାର ସର୍ବୋଚ୍ଚ ଉଚ୍ଚତା ୨୭ ମିଟର ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ଏଥିରେ ପରିବର୍ତ୍ତନ ଅଣାଯାଇ ଗୃହନିର୍ମାଣ ନକ୍ସା ଅନୁମୋଦନ ଲାଗି ଉଚ୍ଚତାର କୌଣସି ସୀମା ବାଧକ ହେବ ନାହିଁ ବୋଲି କୁହାଯାଇଛି। ପରିଣାମ ସ୍ବରୂପ ଏବେ ବିଲ୍‌ଡରମାନେ ମନଇଚ୍ଛା ଅଟ୍ଟାଳିକାର ଉଚ୍ଚତା ବଢ଼ାଇ ଚାଲିଛନ୍ତି। ଉଚ୍ଚ ଅଟ୍ଟାଳିକା ନିର୍ମାଣ ଦ୍ବାରା ବହୁ ଜଳ ବ୍ୟବହାର ହେଉଛି। ଫଳରେ ଉପରିସ୍ଥ ଭୂଭାଗ ଭାରସାମ୍ୟ ହରାଇ ଭୂମିକମ୍ପ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତପ୍ରକ‌ାଶ କରିଛନ୍ତି।

ମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି କହିଛନ୍ତି ଯେ ବିପର୍ଯ୍ୟୟ ମୁକାବିଲାରେ ଯେଉଁ ସବୁ କାର୍ଯ୍ୟାଳୟ କାର୍ଯ୍ୟ କରନ୍ତି ତାହା ସହରର ଭିନ୍ନ ଭିନ୍ନ ସ୍ଥାନରେ ରହିଛି। ଏସ୍‌ଆର୍‌ସି, ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ପାଣିପାଗ ପରି ସଂସ୍ଥା ବିପର୍ଯ୍ୟୟ ସମୟରେ କାମ କରୁଛନ୍ତି। ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ ଦ୍ବାରା ସେଗୁଡ଼ିକୁ ଗୋଟିଏ ଛାତ ତଳକୁ ଅଣାଯିବ। ସବୁ ସଂସ୍ଥା‌ ନିଜ ଭିତରେ ସହଯୋଗ ରକ୍ଷା କରି କାମ କରିବେ। ଜିଲ୍ଲାପାଳଙ୍କ ସହ ଯୋଗାଯୋଗରେ ରହିବେ। ବିଜୁଳି ଓ ଟେଲି କମ୍ପ୍ୟୁନିକେସନ୍‌ ଭୁବନେଶ୍ବରରେ ପ୍ରଭାବିତ ହେଲେ ମଧ୍ୟ ଆମେ କିଭଳି ଯୋଡ଼ି ହେବୁ ଏବଂ ସବିଶେଷ ବିବରଣୀ ହାସଲ କରିବୁ, ସେଭଳି ଏକ କାର୍ଯ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ଏହା ନିର୍ମାଣ ହେବାକୁ ଦୁଇ ବର୍ଷ ସମୟ ଲାଗିବ। ଏଥିସହ କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ବି ମଗାଯାଇଥିବା ସେ ସୂଚନା ଦେଇଛନ୍ତି।