ଭୁବନେଶ୍ବର: ଓଡ଼ିଶାର ୧୪ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି। ଯେଉଁଥିରେ ଖୋର୍ଦ୍ଧା ସମେତ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍ରେ ସ୍ଥାନ ପାଇଛି। ସେଥିମଧ୍ୟରୁ କିଛି ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ୍-୨ରେ ଆସୁଥିବା ବେଳେ ଭୁବନେଶ୍ବର ପରି ସହର ଏବେ ଜୋନ୍-୩ରେ ଅଛନ୍ତି। ଅହମଦାବାଦ ଓ ଜବଲପୁର ସହର ଯେପରି ଅତି ସମ୍ବେଦନଶୀଳ ଭୂମିକମ୍ପ ଜୋନ୍ରେ ରହିଛି, ଓଡ଼ିଶାର ସ୍ଥିତି ମଧ୍ୟ ତାହାଠାରୁ କୌଣସି ଗୁଣରେ କମ୍ ନୁହେଁ। ଭୂମିକମ୍ପ ଦୃଷ୍ଟିରୁ ଦୁଇ ଦଶନ୍ଧି ହେଲା ଭୁବନେଶ୍ବର ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ନାହିଁ। ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ଅନୁରୋଧକ୍ରମେ ବିଲ୍ଡି˚ ମାଟେରିଆଲ୍ସ ଟେକ୍ନୋଲୋଜି ପ୍ରମୋସନ୍ କାଉନ୍ସିଲି˚ ପକ୍ଷରୁ ଭୂକମ୍ପ ନିରୋଧୀ ଗୃହନିର୍ମାଣ ଉପରେ ଗୁରୁତ୍ବାରୋପ କରାଯାଇଥିଲେ ମଧ୍ୟ ଭୁବନେଶ୍ବରରେ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ବିନା ବାଧାରେ ଉଚ୍ଚ ଅଟ୍ଟାଳିକା ଛିଡ଼ା ହେଉଥିବାରୁ ଆଗାମୀ ଦିନରେ ସହରବାସୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
୨୦୦୧ରେ ଭୂମିକମ୍ପ ଯୋଗୁଁ ଅହମଦାବାଦ ଓ ଜବଲପୁରରେ ବ୍ୟାପକ ଧନଜୀବନ କ୍ଷତି ହୋଇଥିଲା। ରାସ୍ତା ଫାଟିବା ସହ ଶତାଧିକଙ୍କ ପ୍ରାଣହାନି ଘଟିଥିଲା। ତାହାକୁ ଦେଖି ଭୁବନେଶ୍ୱର ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଥିବାରୁ ୨୦୦୧ ମାର୍ଚ୍ଚ ୩ରେ ବିଡିଏ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କାନପୁର ଆଇଆଇଟିର ବିଶେଷଜ୍ଞ ସାମିଲ ହୋଇ ଭୁବନେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସହର ଭୂମିକମ୍ପ ଦ୍ବାରା କିଭଳି ବ୍ୟାପକ କ୍ଷତିଗ୍ରସ୍ତ ନ ହେବ ସେଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଦୁଃଖର ବିଷୟ ହେଉଛି ଯେ ସହରବାସୀଙ୍କ ଧନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ନେବା ପରିବର୍ତ୍ତେ ବିଡିଏ କର୍ତ୍ତୃପକ୍ଷ ଲୋକଙ୍କୁ ବିପଦରେ ପକାଇବାକୁ ଅଟ୍ଟାଳିକା ନିର୍ମାଣ ପାଇଁ ଉଚ୍ଚତା ସୀମା ଆକାଶ ଛୁଆଁ କରିବାକୁ ବ୍ୟବସ୍ଥା କରିଦେଇଛନ୍ତି।
ଉଚ୍ଚ ଅଟ୍ଟାଳିକା ପାଇଁ ନାହିଁ କଟକଣା, ବଢ଼ିପାରେ ସମସ୍ୟା
ଦୁଇ ଦଶନ୍ଧିରେ ଲାଗିଲାଣି ଅନେକ ଥର ଝଟ୍କା
୨୦୦୦ ମସିହା ପୂର୍ବରୁ ବିଡିଏ ଦ୍ବାରା ୩୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଗୃହନିର୍ମାଣ ନକ୍ସା ଅନୁମୋଦନ ବ୍ୟବସ୍ଥା ଥିଲା। ତେବେ ସମ୍ଭାବ୍ୟ ଭୂମିକମ୍ପ ସ୍ଥିତିକୁ ଦୃଷ୍ଟିରେ ରଖି ୨୦୦୧ରେ ପୂର୍ବ ନିୟମର ପରିବର୍ତ୍ତନ ବହୁତଳ ଅଟ୍ଟାଳିକାର ସର୍ବୋଚ୍ଚ ଉଚ୍ଚତା ୨୭ ମିଟର ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୩ ମସିହାରେ ଏଥିରେ ପରିବର୍ତ୍ତନ ଅଣାଯାଇ ଗୃହନିର୍ମାଣ ନକ୍ସା ଅନୁମୋଦନ ଲାଗି ଉଚ୍ଚତାର କୌଣସି ସୀମା ବାଧକ ହେବ ନାହିଁ ବୋଲି କୁହାଯାଇଛି। ପରିଣାମ ସ୍ବରୂପ ଏବେ ବିଲ୍ଡରମାନେ ମନଇଚ୍ଛା ଅଟ୍ଟାଳିକାର ଉଚ୍ଚତା ବଢ଼ାଇ ଚାଲିଛନ୍ତି। ଉଚ୍ଚ ଅଟ୍ଟାଳିକା ନିର୍ମାଣ ଦ୍ବାରା ବହୁ ଜଳ ବ୍ୟବହାର ହେବ। ଫଳରେ ଉପରିସ୍ଥ ଭୂଭାଗ ଭାରସାମ୍ୟ ହରାଇ ଭୂମିକମ୍ପ ସୃଷ୍ଟି କରିବ। ବେଙ୍ଗାଲୁରୁ ସହରରେ ଅନେକ ବହୁତଳ ପ୍ରାସାଦ ନିର୍ମାଣ କରାଯିବା ଦ୍ବାରା ଜଳସ୍ତର ସାଂଘାତିକ ହ୍ରାସ ପାଇଛି। ତେଣୁ ଗତବର୍ଷ ସହରରେ ବହୁତଳ ପ୍ରାସାଦ ନିର୍ମାଣକୁ ନିଷେଧ କରାଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର କହିଛନ୍ତି। ୨୦୧୪ରେ ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ କହିଥିଲେ ଯେ, ଭୂମିକମ୍ପ ସମ୍ଭାବନାକୁ ବିଚାରକୁ ନେଇ ବିଡିଏ ଅଞ୍ଚଳରେ ୨୭ ମିଟରରୁ ଅଧିକ ଉଚ୍ଚତାର ଘର ନ କରାଯିବା ଲାଗି କୌଣସି ପ୍ରସ୍ତାବ ନାହିଁ। ବରଂ ୩୦ ମିଟର କିମ୍ବା ଏହାଠାରୁ ଅଧିକ ଉଚ୍ଚର ଅଟ୍ଟାଳିକା ନିର୍ମାଣ ନକ୍ସା ଅନୁମୋଦନ ନିମନ୍ତେ ରାଜ୍ୟ ରିସୋର୍ସ ସେଣ୍ଟର କିମ୍ବା ସରକାରୀ ବୈଷୟିକ ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ ଡିଜାଇନ୍ ବ୍ୟବସ୍ଥା ରଖାଯାଇଛି। ଏହାଦ୍ବାରା ଭୂକମ୍ପ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ୍ୟ କରିବାର କ୍ଷମତା ଅଟ୍ଟାଳିକାର ରହିପାରିବ।
ଅଶୋକନଗରର ରଞ୍ଜନ କୁମାର ଦାସଙ୍କ କହିବାନୁଯାୟୀ ବିଡିଏର ସର୍ବକ୍ଷମାନୀତି ଯୋଗୁଁ ବେଆଇନ ଅଟ୍ଟାଳିକା ନିର୍ମାଣ ବଢ଼ୁଛି। ନିର୍ମାଣକାରୀ ଆପାର୍ଟମେଣ୍ଟ ମାଲିକ ଏହାଦ୍ବାରା ଲାଭବାନ ହେଉଛନ୍ତି। ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବାକୁ ଉତ୍ସାହିତ କରୁଛନ୍ତି। ବିଡିଏ ସର୍ବକ୍ଷମାନୀତି ଦ୍ବାରା ବେଆଇନ ନିର୍ମିତ ଆପାର୍ଟମେଣ୍ଟ ଆଇନ ସମ୍ମତ ପ୍ରକାଶ ପାଉନାହିଁ। ହାଇଦ୍ରାବାଦରେ ବେଆଇନ ଘର ନିର୍ମାଣକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବତନ୍ତ୍ର ଥାନା ପ୍ରତିଷ୍ଠା ହୋଇଛି। ମାତ୍ର ଓଡ଼ିଶା ସରକାର ବେଆଇନ ନିର୍ମାଣ ରୋକିବା ଦିଗରେ କିଛି କରି ନାହାନ୍ତି। ଏବେ ସମୟ ଆସୁଛି ରାଜଧାନୀବାସୀଙ୍କୁ ଭବିଷ୍ୟତରେ ଭୂମିକମ୍ପ ବିପତ୍ତିରୁ ରକ୍ଷା କରିବା ଏବଂ ଉଚ୍ଚ ଅଟ୍ଟାଳିକାର ଉଚ୍ଚତା ୨୧ ମିଟରରୁ ଅଧିକ ନକରିବାକୁ ସେ ଦାବି କରିଛନ୍ତି।