ସୁବିଧା ସୁଯୋଗ ଦୁର୍ବଳ, କିନ୍ତୁ ଲୋକ ଭଲ କହିଲେ
ସିମ୍ଲାକୁ ବି ପଛରେ ପକାଇ ପାରିଥାନ୍ତା ଭୁବନେଶ୍ବର
ଭୁବନେଶ୍ବର,(ବିଶ୍ବଜିତ ଦାଶ) : ୧୦ଲକ୍ଷରୁ କମ୍ ଲୋକ ରହୁଥିବା ବାସୋପଯୋଗୀ ସହର ତାଲିକାରେ ଭୁବନେଶ୍ବର ଦେଶର ଦ୍ବିତୀୟ ପସନ୍ଦର ସହର ପାଲଟିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଏମ୍ସି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଟୁଇଟ୍ କରି ପ୍ରଶଂସା କରିଛନ୍ତି। ହେଲେ ଭୁବନେଶ୍ବର ଆଜି ଯେଉଁ ସଫଳତା ପାଇଛି ସେଥିପାଇଁ ଜନମତ (ଭୁବନେଶ୍ବରବାସୀଙ୍କ ମତାମତ) ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି। ଯଦି ରାଜଧାନୀର ଭିତ୍ତିଭୂମି ସ୍ଥିତିକୁ କେବଳ ଦେଖାଯାଇଥାନ୍ତା; ତେବେ ଭୁବନେଶ୍ବର ଶ୍ରେଷ୍ଠ ୧୦ ସହର ମଧ୍ୟରେ ବି ରହିପାରି ନ ଥାନ୍ତା। ଅନ୍ୟପକ୍ଷରେ ଯଦି ରାଜଧାନୀରେ ମିଳୁଥିବା ସୁବିଧା ସୁଯୋଗର ମାନ ଟିକେ ଅଧିକ ହୋଇଥାନ୍ତା ତେବେ ଭୁବନେଶ୍ବର ଆଜି ସିମ୍ଲାକୁ ପଛରେ ପକାଇ ଦେଶର ସବୁଠୁ ଅଧିକ ପସନ୍ଦର ବାସୋପଯୋଗୀ ସହର ପାଲଟି ଯାଇଥାନ୍ତା। ଭୁବନେଶ୍ବରକୁ ଶ୍ରେଷ୍ଠ କରିବା ପାଇଁ ରାଜଧାନୀବାସୀ ତାଙ୍କ କାମ କରି ଦେଖାଇଲେ, ହେଲେ ପ୍ରଶାସନ କରିପାରିଲାନି ବୋଲି ଆଜି ଭୁବନେଶ୍ବର ଦ୍ବିତୀୟ ସ୍ଥାନରେ ରହିଗଲା।
ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୧୧୧ଟି ସ୍ମାର୍ଟ ସହର ଉପରେ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ଲୋକଙ୍କ ଜୀବନଶୈଳୀ ବର୍ଗରେ ଭୁବନେଶ୍ବରକୁ ୫୧.୭୯ ମାର୍କ ମିଳିଥିବାବେଳେ ୨୯ତମ ରୢାଙ୍କ ମିଳିଛି। ଏହି ବର୍ଗରେ ସିମ୍ଲାକୁ ୫୩.୦୫ ମାର୍କ ମିଳିବା ସହ ୨୨ତମ ରୢାଙ୍କ ମିଳିଛି।
ଆର୍ଥିକ ସାମର୍ଥ୍ୟ ବା ରୋଜଗାର ସୁଯୋଗରେ ଭୁବନେଶ୍ବରକୁ ମାତ୍ର ୧୧.୫୭ମାର୍କ ମିଳିଥିବାବେଳେ ୧୯ତମ ରୢାଙ୍କ ମିଳିଛି। ହେଲେ ସିମ୍ଲାକୁ ୨୩.୩୯ ମାର୍କ ମିଳିଥିବାବେଳେ ଚତୁର୍ଥ ସ୍ଥାନରେ ଅଛି। ନିରନ୍ତର ବିକାଶ କ୍ଷେତ୍ରରେ ଭୁବନେଶ୍ବରକୁ ୫୭.୭୭ ମାର୍କ ମିଳିଥିବାବେଳେ ୧୧ତମ ରୢାଙ୍କ ମିଳିଛି। ସିମ୍ଲାକୁ ୬୯.୧୬ ମାର୍କ ମିଳିଥିବାବେଳେ ଦ୍ବିତୀୟ ସ୍ଥାନ ମିଳିଛି। ହେଲେ ନାଗରିକ ମତାମତରେ ଭୁବନେଶ୍ବରକୁ ୯୪.୮୦ ମାର୍କ ମିଳିଥିବାବେଳେ ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। କିନ୍ତୁ ସିମ୍ଲାକୁ ୮୩.୩୦ ମାର୍କ ମିଳିଥିବାବେଳେ ୧୧ତମ ରୢାଙ୍କ ମିଳିଛି।
/sambad/media/post_attachments/wp-content/uploads/2021/03/bmc11.jpg)
ଏହା ସୂଚାଉଛି ଯେ, ଭୁବନେଶ୍ବର ତୁଳନାରେ ସିମ୍ଲାରେ ଲୋକଙ୍କ ଜୀବନଶୈଳୀ ଉନ୍ନତମାନର, ସେଠାରେ ଅଧିକ ନିଯୁକ୍ତି ସୁଯୋଗ ଅଛି, ଅଧିକ ଧନୀକ ବର୍ଗର ଲୋକ ଅଛନ୍ତି, ସେଠାରେ ନିରନ୍ତର ବିକାଶ ହେଉଛି। ଲୋକମାନେ ଅଧିକ ବିକାଶ, ରୋଜଗାର ଚାହୁଁଛନ୍ତି। ହେଲେ ଭୁବନେଶ୍ବରରେ ବେରୋଜଗାରୀ ଅଧିକ, ଲୋକଙ୍କ ଆର୍ଥିକ ସ୍ଥିତି ଅତି ଉତ୍ସାହଜନକ ନୁହେଁ, ଜୀବନଶୈଳୀ ବି ଅଧିକ ସନ୍ତୋଷଜନକ ନୁହେଁ। କିନ୍ତୁ ରାଜଧାନୀବାସୀ ନିଜ ସହରକୁ ଅଧିକ ଭଲ ପାଆନ୍ତି। ଯେମିତି ଅଛନ୍ତି ସେଥିରେ ଅଧିକ ଖୁସିରେ ଅଛନ୍ତି। ଯେଉଁଥିପାଇଁ ସେମାନେ ଭୁବନେଶ୍ବର ପାଇଁ ଅଧିକ ମତ ଦେଇଛନ୍ତି। ସ୍ଥାନୀୟ ପୌରସଂସ୍ଥା ବିଏମ୍ସି ବି ଏହି କାର୍ଯ୍ୟକ୍ରମ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଥିବାରୁ ଅଧିକ ଲୋକ ଏହି ସର୍ଭେରେ ସାମିଲ୍ ହୋଇ ଭୁବନେଶ୍ବରକୁ ଭଲ ରୢାଙ୍କ୍ ଆଣି ଦେଇଛନ୍ତି।
ପ୍ରଶାସନ ଓ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ଏହି ସଫଳତା: ବିଏମ୍ସି କମିସନର
ଇଜ୍ ଅଫ୍ ଲିଭିଙ୍ଗ୍ର ଫଳାଫଳ ଘୋଷଣା ହେବା ପରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ଭୁବନେଶ୍ବର ଗତ ଦୁଇ ବର୍ଷ ତୁଳନାରେ ଅଧିକ ଆଗେଇଛି। ସହରୀ ପ୍ରଶାସନ ଓ ନାଗରିକଙ୍କର ସକ୍ରିୟ ଅଂଶଗ୍ରହଣ ଭୁବନେଶ୍ବରକୁ ସାରା ଦେଶରେ ଏକ ଉତ୍ତମ ବାସୋପଯୋଗୀ ସହର ଭାବେ ପ୍ରତିଷ୍ଠିତ କରିପାରିଛି। ଭୁବନେଶ୍ବରରେ ବାସ କରିବା ପାଇଁ ରହିଥିବା ବାୟୁ, ଜଳ, ରାସ୍ତା, ଯୋଗାଯୋଗ, ପରିବେଶ ଅତ୍ୟନ୍ତ ଅନୁକୂଳ। ଏହାକୁ ଆହୁରି ଉତ୍ତମ କରିବା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଓ ଦାୟିତ୍ବ ଏକାନ୍ତ ଆବଶ୍ୟକ ବୋଲି କମିସନର କହିଛନ୍ତି।
ଭୁବନେଶ୍ବରିଅା ଯାହା କହନ୍ତି...
ଭୁବନେଶ୍ବର ଏକ ସ୍ବଚ୍ଛ ସହର। ମୁମ୍ବାଇ ଭଳି ସହରରେ ଦିନକୁ ଦିନ ଅପରାଧ ବଢୁଛି। ଯାହାକୁ ନେଇ ସାଧାରଣ ଜନତା ଅତିଷ୍ଠ ହେଇ ପଡୁଛନ୍ତି। କିନ୍ତୁ ଭୁବନେଶ୍ବରର ପରିବେଶ ଭିନ୍ନ। ଭୁବନେଶ୍ବରରେ ଘର କିମ୍ବା ଜାଗାର ଦାମ ମଧ୍ୟ ଅଧିକ ରହୁଛି। ମେଟ୍ରୋ ସିଟି କୋଲକାତା, ମୁମ୍ବାଇ, ଦିଲ୍ଲୀ ଭଳି ଜାଗାରେ ଯେତିକି ଗୁରୁତ୍ବ ରହୁଛି, ଭୁବନେଶ୍ବରକୁ ଲୋକ ତା’ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି ଏବଂ ଭୁବନେଶ୍ବର ଭଳି ସହରରେ ରହିବାକୁ ଅଧିକ ଗୁରୁତ୍ବ ଦେଉଛନ୍ତି l
ସିଦ୍ଧାର୍ଥ ଦାସ, ବରିଷ୍ଠ ଆଇନଜୀବୀ
ଭୁବନେଶ୍ବର ସାରା ଭାରତରେ ଉତ୍ତମ ବାସପୋଯୋଗୀ ସହର ଭାବେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସମସ୍ତଙ୍କ ପାଇଁ ଭଲ ଖବର। ବିଭିନ୍ନ ସୂଚକାଙ୍କକୁ ନେଇ ଏହା ବିବେଚନା କରାଯାଇଥାଏ। ସରକାରଙ୍କ ଦିଗଦର୍ଶନ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସୁଚିନ୍ତିତ ଯୋଜନା ଏବଂ ପରିଚାଳନା ସର୍ବୋପରି ଜନସାଧାରଣଙ୍କ ସହଯୋଗ ପାଇଁ ଆଜି ଭୁବନେଶ୍ବର ଦ୍ବିତୀୟ ସ୍ଥାନ ଅଧିକାର କରିପାରିଛି। ଭୁବନେଶ୍ବରରେ ଯେଉଁଭଳି ଭାବରେ ସ୍ମାର୍ଟସିଟି ପ୍ରକଳ୍ପରେ କାମ କରାଯାଉଛି, ଆଗାମୀ ଦିନରେ ଏକ ନମ୍ବର ସ୍ଥାନ ଅଧିକାର କରିପାରିବ। ପ୍ରଶାସନ କରୁଥିବା ଭଲ କାମରେ ସାଧାରଣ ଜନତା ସହଯୋଗ କଲେ ସବୁକ୍ଷେତ୍ରରେ ଆଗରେ ରହିପାରିବା।
ସନ୍ତୋଷ ପଣ୍ଡା, ଫିଲ୍ମ ମେକର
ଉତ୍ତମ ବାସପୋଯୋଗୀ ସହର ଭାବରେ ଦେଶରେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିବା ଆମ ପାଇଁ ଗର୍ବର ବିଷୟ। ଏହି ସହରରେ ଗରିବ, ଭିକାରି, ଅନ୍ୟ ରାଜ୍ୟର ଦରିଦ୍ର, ଧନୀ ଓ ମଧ୍ୟବିତ୍ତଙ୍କ ପାଇଁ ଜୀବନଯାପନ ପାଇଁ ସବୁ ପ୍ରକାର ସାଧନ ରହିଛି। କିଛି ବର୍ଷ ହେଲା ସହର ଉତ୍ତପ୍ତ ହୋଇଯାଇଛି। ପ୍ରାୟ ଚାରି ଦଶନ୍ଧି ତଳେ ଏଠାରେ ବର୍ଷସାରା ଦକ୍ଷିଣା ପବନ ବହୁଥିଲା। ମହାନଗର ଯୋଜନାରେ ପିଚୁ ରାସ୍ତାକୁ ଛାୟାଯୁକ୍ତ କରାଗଲେ ଉତ୍ତପ୍ତ ଜଳବାୟୁ ଶୀତଳ ହେବାର ସମ୍ଭାବନା ରହିଛି। ଏତିକି ହୋଇ ପାରିଲେ ଦେଶ ବିଦେଶରୁ ଲୋକମାନେ ଛୁଟି କଟାଇବାକୁ ଆସିବେ। ଫଳରେ ଭୁବନେଶ୍ୱର ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିପାରିବ।
ସୁଧାଂଶୁ ଶେଖର ଧଡ଼ା, ଅବସରପ୍ରାପ୍ତ ଉପନିର୍ଦେଶକ, ଆକାଶବାଣୀ
ଭୁବନେଶ୍ୱରବାସୀମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଗତ କିଛି ଦିନ ହେବ ଭୁବନେଶ୍ୱର ବହୁ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ତା’ ପରେ ମଧ୍ୟ ଦେଶରେ ଉତ୍ତମ ବାସପୋଯୋଗୀ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ସହ ଅନ୍ୟ ସହରମାନଙ୍କୁ ମଧ୍ୟ ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ଭୁବନେଶ୍ୱରରେ ଲୋକ ସଂଖ୍ୟା ଦୃଷ୍ଟିରୁ ମେଟ୍ରୋ ସହର ଭଳି ଉତ୍ତମ ବ୍ୟବସ୍ଥା ମିଳିବା ଆବଶ୍ୟକ।
ପ୍ରତାପ ରାଉତରାୟ, ବୁଦ୍ଧିଜୀବୀ
ଅନ୍ୟ ବଡ଼ ସହର ବା ଅନ୍ୟ ରାଜ୍ୟର ରାଜଧାନୀ ତୁଳନାରେ ଭୁବନେଶ୍ୱର ଅବହେଳିତ। ତା’ ପରେ ମଧ୍ୟ ଇଜ୍ ଅଫ୍ ଲିଭିଙ୍ଗରେ ଦେଶରେ ଦ୍ବିତୀୟ ସ୍ଥାନରେ ରହିବା ରାଜ୍ୟ ସରକାର, ବିଏମ୍ସି, ବିଡିଏର କାର୍ଯ୍ୟପ୍ରଣାଳୀ ଯୋଗୁଁ ସମ୍ଭବ ହୋଇପାରିଛି।
ଭରତ କୁମାର ନାୟକ, ସମାଜସେବୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/cartoon-debashis-mahanagar.jpg)