କୋଭିଡ୍‌ ମୁକାବିଲାରେ ପୂର୍ବତଟ ରେଳପଥ: ୫ଟି ସ୍ଥାନରେ କୋଭିଡ୍‌ କେୟାର କୋଚ୍‌

୧୦୮ କୋଚ୍‌ରେ ୧୫୭୮ ଶଯ୍ୟା ପ୍ରସ୍ତୁତ
ଭୁବନେଶ୍ବରରେ ସର୍ବାଧିକ ୯୬୦ ଶଯ୍ୟା
ସରକାରଙ୍କ ନିର୍ଦେଶକୁ ଅପେକ୍ଷା

ଭୁବନେଶ୍ବର : କୋଭିଡ୍‌ ସହ ଲଢ଼ୁଛି ସାରା ଦେଶ। ବିଭିନ୍ନ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ଅକ୍ସିଜେନ୍ ଅଭାବ ରହିଥିବା ବେଳେ ଶଯ୍ୟାଭାବ ନୂଆ ସଂକଟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଭାରତୀୟ ରେଳବାଇ ଆଶାର କିରଣ ସାଜିଛି। ବର୍ତମାନ ସୁଦ୍ଧା ଦେଶର ପ୍ରାୟ ୪ ହଜାର କୋଭିଡ୍ କେୟାର କୋଚ୍‌ ପ୍ରସ୍ତୁତ ହୋଇଛି। ଯେଉଁଥିରେ ୬୪ ହଜା‌ରରୁ ଅଧିକ ଶଯ୍ୟା ଉପଲବ୍ଧ ରହିଛି। ସେଥିମଧ୍ୟରୁ ୧୬୯ଟି କୋଚ୍‌କୁ କୋଭିଡ୍‌ କେୟାର ସେଣ୍ଟର ଭାବେ ବ୍ୟବହାର କରିବା ଲାଗି ଦିଲ୍ଲୀ ସମେତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ ବାକି କୋଚକୁ ମୁତୟନ କରିବାକୁ ଭାରତୀୟ ରେଳପଥ ଲକ୍ଷ୍ୟ ରଖିଛି।

ଅନ୍ୟପଟେ ଓଡ଼ିଶାର ସ୍ଥିତିକୁ ନଜରରେ ରଖି ପୂର୍ବତଟ ରେଳପଥ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ଏବେ ସୁଦ୍ଧା ରାଜ୍ୟର ୫ଟି ଷ୍ଟେସନରେ କୋଭିଡ୍‌ କେୟାର କୋଚ୍‌ ପ୍ରସ୍ତୁତ କରାଯାଇ ଜରୁରୀ ସେବା ଯୋଗାଇବା ଲାଗି ରଖାଯାଇଛି। ଭୁବନେଶ୍ବରରେ ସର୍ବାଧିକ ୩ଟି ରେକ୍‌ ରଖାଯାଇଥିବା ବେଳେ ପୁରୀ, ସମ୍ବଲପୁର, କଣ୍ଟାବାଞ୍ଝି, ଟିଟିଲାଗଡ଼ରେ ଗୋଟିଏ ଲେଖାଏ ରେକ୍‌ ରହିଛି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଯେକୌଣସି ସମୟରେ ଆବଶ୍ୟକ କରିବେ ସେତେବେଳେ ସେବା ଯୋଗାଇ ଦେବାକୁ ପୂର୍ବତଟ ରେଳପଥ ପ୍ରସ୍ତୁତ ହୋଇ ରହିଥିବା ଜଣାପଡ଼ିଛି।

ତଥ୍ୟ ଅନୁଯାୟୀ ଭୁବନେଶ୍ବରରେ ଥିବା ୩ଟି ରେକ୍‌ରେ ଯଥାକ୍ରମେ ୧୯, ୧୭ ଓ ୨୪ଟି କୋଚ୍‌(ବଗି) ଉପଲବ୍ଧ ରହିଛି। ଗୋଟିଏ ଲେଖାଏଁ ବଗିରେ ୧୬ଟି ଶଯ୍ୟା ରହିଥିବାରୁ ମୋଟ ଉପରେ ଭୁବନେଶ୍ବରରେ ୯୬୦ ଶଯ୍ୟା ଉପଲବ୍ଧ ହୋଇଛି। ପୁରୀରେ ଥିବା ଗୋଟିଏ ରେକ୍‌ରେ ୧୮ଟି ବଗି ରହିଛି। ଅର୍ଥାତ୍‌ ଏଠାରେ ୨୮୮ ଶଯ୍ୟା ପ୍ରସ୍ତୁତ ଥିବା ବେଳେ କଣ୍ଟାବାଞ୍ଝି, ଟିଟିଲାଗଡ଼ ଓ ସମ୍ବଲପୁରଠାରେ ଥିବା ଗୋଟିଏ ଲେଖାଏଁ ରେକ୍‌ରେ ୧୦ଟି ଲେଖାଏଁ ବଗି ରହିଛି। ଅର୍ଥାତ୍‌ ପ୍ରତି ସ୍ଥାନଗୁଡ଼ିକରେ ୧୬୦ଟି ଲେଖାଏ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି। ମୋଟ ଉପରେ ପୂର୍ବତଟ ରେଳପଥ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଲାଗି ଓଡ଼ିଶାରେ ୧୫୭୮ ଶଯ୍ୟା ପ୍ରସ୍ତୁତ ହୋଇ ରହିଛି।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଏଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଯାଇଛି। ସ୍ବତନ୍ତ୍ର ବେଡ୍‌ ସମେତ, ମଶା ବତି, ଡଷ୍ଟବିନ୍‌, ଫ୍ୟାନ୍‌, ସାନିଟାଇଜର, ଅକ୍ସି‌ଜେନ୍‌ ସିଲିଣ୍ଡର, ଖାଇବା ଓ ହାତ ଧୋଇବା ପାଇଁ ବ୍ୟବସ୍ଥା, ଶୌଚାଳୟ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଜରୁରୀ ସେବା ଲାଗି ଅକ୍ସିଜେନ୍‌ ସିଲିଣ୍ଡର ମହଜୁଦ ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ଦେଶ ଆସି ନାହିଁ। ଅନୁମତି ମିଳିବା କ୍ଷଣି ଯୁଦ୍ଧକାଳୀନ ଭିତ୍ତିରେ ସେବା ଯୋଗାଇ ଦେବା ଲାଗି ପ୍ରସ୍ତୁତ ରହିଛୁ। ଆକ୍ରାନ୍ତଙ୍କୁ ସେବା ଯୋଗାଇବା ଲାଗି ରେଲୱେର ଡାକ୍ତର ରହିବେ। ରାଜ୍ୟ ସରକାର ଏହାକୁ ନେବା ପରେ ସେମାନେ ଡାକ୍ତର ଦେଇପାରିବେ। ନ ହେଲେ ଆବଶ୍ୟକ କଲେ ଆମେ ଡାକ୍ତରଙ୍କୁ ଯୋଗାଇଦେବୁ। ରେକ୍‌ ନିକଟକୁ ଯିବା ଲାଗି ‌ସଂଯୋଗକାରୀ ରାସ୍ତା ପ୍ରସ୍ତୁତ ହୋଇଛି। ଆମ୍ବୁଲାନ୍ସ ‌ଯେପରି ସଠିକ୍‌ ଭାବେ ଯିବା ଆସିବା କରିବ ସେଦିଗରେ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର